ଆମେରିକାରେ ଭାରତର ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଗ୍ୟାଙ୍ଗଓ୍ବାର, ଲରେନ୍ସ ବିଷ୍ଣୋଇ ଗ୍ରୁପ୍‌ର ୨ ମୃତ !

NEWS7
financial-budget-will-be-discussed-again-on-seventh-day-of-assembly-session

ନୂଆଦିଲ୍ଲୀ: ଆମେରିକାରେ ଭାରତର ଦୁଇ ଗ୍ୟାଙ୍ଗଷ୍ଟର ଗୋଷ୍ଠୀଙ୍କ ମଧ୍ୟରେ ଗ୍ୟାଙ୍ଗଓ୍ବାର । ଏଥିରେ ଦୁଇ ଜଣ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଛି । ଉଭୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡିତ ଥିବା କୁହାଯାଉଛି। ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗ ବଲଜୋତ ଏବଂ ଜସା ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଛନ୍ତି ଏବଂ ଧମକ ବି ଦେଇଛନ୍ତି।

ସୋସିଆଲ ମିଡିଆ ପୋଷ୍ଟରେ ବଲଜୋତ ଏବଂ ଜସା ନାମକ ଗୋଷ୍ଠୀ ଲେଖିଛନ୍ତି, ‘ଆମେ, ବଲଜୋତ ଏବଂ ଜସା ଆଜି ଇଣ୍ଡିଆନାରେ ବୀରେନ୍ଦ୍ର ସେମ୍ଭି ହତ୍ୟାର ଦାୟିତ୍ୱ ନେଉଛୁ। ସେ ଆମ ଭାଇ ଜାସିଙ୍କ ଉପରେ ଗୁଳି ଚଳାଇଥିଲା। ଆମର ବୀର ଅକ୍ଷତ ଥିଲେ, କିନ୍ତୁ ସେ ଆମ ଭାଇଚାରା ଭାଙ୍ଗିବାକୁ ଚେଷ୍ଟା କରିଥିଲା । ସେ ଲରେନ୍ସ ବିଷ୍ଣୋଇକୁ 'ବାପ' ବୋଲି ମାନୁଥିଲା ଏବଂ ଟଙ୍କା ଆଦାୟ କରୁଥିଲା । ସେ ଅତ୍ୟନ୍ତ ଘୃଣ୍ୟ ବ୍ୟକ୍ତି ଥିଲା । ଆଜି ତାକୁ ହତ୍ୟା କରି ସନ୍ଦେଶ ଦେବାକୁ ଚାହୁଁଛୁ ଯେ, ଯେଉଁମାନେ ଆମ ଭାଇଚାରା ପ୍ରତି ବିପଦ ସୃଷ୍ଟି କରିବେ ସେମାନଙ୍କୁ ସମାନ ପରିଣାମ ଭୋଗିବାକୁ ପଡିବ।’ ତେବେ ଅନ୍ୟ ଜଣେ ମୃତ ଗ୍ୟାଙ୍ଗଷ୍ଟରର ସୂଚନା ମିଳିପାରି ନାହିଁ ।

ପୋଷ୍ଟରେ ଆହୁରି ଲେଖାଯାଇଛି, ‘ଯେଉଁମାନେ ଧୋକାବାଜ ଲରେନ୍ସ ସହିତ ରହିବେ, ସେମାନଙ୍କର ଏଭଳି ଅବସ୍ଥା କରିବୁ। ଲରେନ୍ସ ସହଯୋଗୀମାନେ ସାବଧାନ ରୁହନ୍ତୁ । ଯେଉଁମାନେ ଆମର ଶତ୍ରୁମାନଙ୍କୁ ଟିକେ ପାଣି ବି ପିଇବାକୁ ଦେବେ, ସେମାନଙ୍କୁ ଛାଡ଼ିବୁ ନାହିଁ । ବହୁତ ଶୀଘ୍ର ସମସ୍ତଙ୍କ ପାଳି ଆସିବ ।’

ଉଲ୍ଲେଖନୀୟ ଯେ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଭାରତରେ ଜେଲରେ ବନ୍ଦୀ ଅଛି । କିନ୍ତୁ ଆମେରିକା ଏବଂ କାନାଡା ସମେତ ଅନେକ ଦେଶରେ ତାର ନେଟୱର୍କ କାମ କରୁଛି । ଲରେନ୍ସ ଗ୍ୟାଙ୍ଗ ଦାଦାବଟି ଆଦାୟ ଏବଂ ଅପରାଧିକ କାର୍ଯ୍ୟକଳାପରେ ସକ୍ରିୟ। ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗ ସହିତ ତାର ଦୀର୍ଘକାଳୀନ ଶତ୍ରୁତା ରହିଛି । ଏବେ ଆମେରିକା ସମେତ ଅନେକ ଦେଶରେ ଲରେନ୍ସର ନେଟଓ୍ବର୍କ ଲମ୍ବିବାରେ ଲାଗିଛି । ଭାରତୀୟ ଜେଲରେ ରହି କିଭଳି ଲରେନ୍ସ ନିଜର କାୟା ବିସ୍ତାର କରୁଛି, ତାକୁ ନେଇ ଅନେକ ସମୟରେ ପ୍ରଶ୍ନ ମଧ୍ୟ ଉଠିଛି । ଦେଶରେ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ରୁପ୍ ସକ୍ରିୟ ରହିଛି ।