ଭୁବନେଶ୍ବର ୧୦୧୧: ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ଓ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ଫିଲ୍ମ ଆରକାଇଭସ୍ ପକ୍ଷରୁ ଫିଲ୍ମ ସଂରକ୍ଷଣ କର୍ମଶାଳା । ଆସନ୍ତା ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି କର୍ମଶାଳା ଭୁବନେଶ୍ୱରରେ ଆୟୋଜିତ ହେବ । ଫିଲ୍ମ ହେରିଟେଜ ଫାଉଣ୍ଡେସନ, ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ଫିଲ୍ମ ଆରକାଇଭସ୍ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି କର୍ମଶାଳାଟି ହେବାକୁ ଯାଉଛି । ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ଆଣ୍ଡ୍ ଦି ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ଫିଲ୍ମ ଆରକାଇଭସ୍ (FIAF) ପ୍ରାଚୀନ ଓଡ଼ିଆ ଫିଲ୍ମ ସଂରକ୍ଷଣ କରିବା କାର୍ଯ୍ୟ ଆରମ୍ଭ କରିଛି । ଏ ନେଇ ଭୁବନେଶ୍ୱର ପ୍ରେସ୍ କ୍ଲବ୍ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନର ଫାଉଣ୍ଡର ଶିଭେନ୍ଦ୍ର ସିଂହ ଡୁଙ୍ଗରପୁର ସୂଚନା ଦେଇଛନ୍ତି ।

ଓଡ଼ିଆ ସିନେମା ସମ୍ପର୍କରେ ବହୁତ କମ୍ ଲୋକ ଜାଣନ୍ତି । ସବୁଠୁ ଦୁଃଖର ବିଷୟ ଓଡ଼ିଶାରେ ଫିଲ୍ମ ସଂରକ୍ଷଣ ନେଇ କୌଣସି ଜ୍ଞାନ ନାହିଁ । ଏପରିକି ଏନେଇ କୌଣସି ପଲିସି ମଧ୍ୟ ନାହିଁ । ଓଡ଼ିଆ ଫିଲ୍ମ 'ମାୟା ମିରିଗ' ଜାପାନର 'ଓଜୋମ' ଫିଲ୍ମ ସହ ସମାନ । ତେଣୁ ଓଡ଼ିଆ ଫିଲ୍ମ ସଂରକ୍ଷଣ ନେଇ ସଚେତନତା ଜରୁରୀ । ଏଥିପାଇଁ ଆସନ୍ତା ୧୨ରୁ ୧୯ ତାରିଖ ଯାଏଁ ଭୁବନେଶ୍ବର କଳାଭୂମି ଠାରେ ଏହି କର୍ମଶାଳା ଆୟୋଜନ କରାଯାଉଛି ।

ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କର୍ମଶାଳାରେ ଫିଲ୍ମ ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ ବୋଲି ସୂଚନା ରହିଛି । ଅଭିନେତ୍ରୀ ଓ୍ବାହିଦା ରେହମାନ ମଧ୍ୟ ଏହି କର୍ମଶାଳାରେ ଯୋଗ ଦେବେ । ଉଦଘାଟନୀ ଉତ୍ସବରେ ଅମିତାଭ ବଚ୍ଚନ ଭିସି ମାଧ୍ୟମରେ ରହିବେ । ପ୍ରାଚୀନ ଓଡ଼ିଆ ଫିଲ୍ମ ସଂରକ୍ଷଣ ନେଇ ଏହି କର୍ମଶାଳାରେ ସଚେତନ କରାଯିବ । ସବୁ କୋଣ ଅନୁକୋଣରେ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ହେବା ଆମର ଲକ୍ଷ୍ୟ ବୋଲି ଫିଲ୍ମ ହେରିଟେଜ୍ ଫାଉଣ୍ଡେସନର ଫାଉଣ୍ଡର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଏଠାରେ ଓଡ଼ିଆ ଫିଲ୍ମର ଏକ ଆରକାଇଭସ୍ ତିଆରି କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ପାଇଁ ଫିଲ୍ମ ପାଇଁ ଏକ ନିୟମ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।