LIVE TV

ଗୌତମ ଗମ୍ଭୀର କୋଚ୍ ହେବା ପରେ କେଉଁଠୁ କେଉଁ ସ୍ତରରେ ପହଞ୍ଚିଗଲା ଟିମ୍ ଇଣ୍ଡିଆ ? ୧୩ ମାସରେ ଦେଖିବାକୁ ମିଳିଲା ଲଜ୍ଜାକର ଦିନ

NEWS7
fest-urequo-at-cuttack-cda-dav

ନୂଆଦିଲ୍ଲୀ: ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କ ନିଯୁକ୍ତି ହୋଇଥିଲା ୨୦୨୪ ଜୁଲାଇ ୯ରେ। ସେ ୨୦୨୪ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ପ୍ରଥମ ଥର ପାଇଁ ଦାୟିତ୍ଵ ଗ୍ରହଣ କରିଥିଲେ। କିନ୍ତୁ ଆମେ ଏଠି କେବଳ ସେହି ୧୩ ମାସ ଉପରେ ଆଲୋଚନା କରିବା ଯେଉଁ ଅବଧିରେ ଗମ୍ଭୀର ଟେଷ୍ଟ କ୍ରିକେଟରେ ଭାରତର କୋଚିଂ ଭାବେ ସମୟ ଦେଇଛନ୍ତି। ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ଗମ୍ଭୀରଙ୍କ ପ୍ରଥମ ଟେଷ୍ଟ ସିରିଜ୍ ଗତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଥିଲା। କୋଚ୍ ଭାବେ ଗମ୍ଭୀରଙ୍କ ଟେଷ୍ଟ କ୍ୟାରିଅର ବିଜୟ ସହିତ ଆରମ୍ଭ ହୋଇଥିଲା। ତଥାପି ପରବର୍ତ୍ତୀ ୧୩ ମାସ ମଧ୍ୟରେ ଟିମ୍ ଇଣ୍ଡିଆକୁ ଟେଷ୍ଟ କ୍ରିକେଟରେ ଏମିତି ଦିନ ଦେଖିବାକୁ ପଡ଼ିଛି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା।

ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ଜାଲରେ ଫସିଗଲେ

ଗମ୍ଭୀରଙ୍କ କୋଚିଂରେ ଟିମ୍ ଇଣ୍ଡିଆକୁ ଟେଷ୍ଟ କ୍ରିକେଟରେ ପ୍ରଥମ ବଡ଼ ଧକ୍କା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ ଲାଗିଥିଲା। ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରଥମ ଥର ଘରୋଇ ମାଟିରେ କ୍ଲିନ ସୁଇପର ଶିକାର ହୋଇଥିଲା। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ଭାରତକୁ ଭାରତ ମାଟିରେ ୩-୦ରେ ଟେଷ୍ଟ ସିରିଜ୍ ହରାଇ ଇତିହାସ ରଚିଥିଲା। ଏହି ସିରିଜ୍ ପାଇଁ ଭାରତୀୟ ଦଳ ସ୍ପିନ ଟ୍ରାକ ମାଗିଥିଲା, ଆଉ ପିଚ୍ କ୍ୟୁରେଟର ସେମିତି ପିଚ୍ ପ୍ରସ୍ତୁତ କରି ଦେଇଥିଲେ। ଆଉ ନିଜ ଜାଲରେ ଫସିଥିଲା ଭାରତ।

ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ କାହାଣୀ ଏବେ ପୁଣି ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦେଖିବାକୁ ମିଳିଲାଣି। ଏହି ସିରିଜ୍ ପାଇଁ ମଧ୍ୟ ଗମ୍ଭୀର ଓ ଦଳ ପ୍ରବନ୍ଧକ ସ୍ପିନ ଟ୍ରାକ ମାଗିଥିଲେ। ଆଉ କ୍ୟୁରେଟର ସେମିତି ପିଚ୍ ପ୍ରସ୍ତୁତ କରି ଦେଲେ। ଆଉ ପରିଣାମ ତାହା ଦେଖିବାକୁ ମିଳିଛି, ଯାହା ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଘଟିଥିଲା। ଦକ୍ଷିଣ ଆଫ୍ରିକା ୧୫ ବର୍ଷ ପରେ ଭାରତୀୟ ମାଟିରେ ଟେଷ୍ଟ ମ୍ୟାଚ୍ ଜିତିବାରେ ସଫଳ ହୋଇଛି।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ମିଳିଥିବା ପରାଜୟ ପରେ ଏବେ ପୁଣି ଥରେ ଭାରତକୁ ଦ୍ଵିତୀୟ ଧକ୍କା ଲାଗିଛି। ଗମ୍ଭୀରଙ୍କ କୋଚିଂରେ ମାଞ୍ଚେଷ୍ଟରରେ ଗତ ୧୩ ବର୍ଷ ଧରି ଭାରତର ଅପରାଜୟ ପରମ୍ପରା ଭାଙ୍ଗିଥିଲା। ୧୦ ବର୍ଷ ପରେ ହାତରୁ ବର୍ଡର-ଗାଭାସ୍କର ଟ୍ରଫି ଖସିଲା। ପ୍ରଥମ ଥର ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ପାଇଁ ଯୋଗ୍ୟତା ଅର୍ଜନ କରି ପାରିପାରିଲାନି। ଗମ୍ଭୀରଙ୍କ କୋଚିଂରେ ଭାରତ ପ୍ରଥମ ଟିମ୍ ହେଲା, ଯେଉଁଠି ବ୍ୟାଟର ୫ ଶତକ ଲଗାଇବା ପରେ ବି ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା।

ଆଉ ନିଜ ଘରେ ସିଂହ ନୁହେଁ ଭାରତ

ଗମ୍ଭୀରଙ୍କ ଅମଳରେ ଭାରତୀୟ ଟେଷ୍ଟ ଦଳକୁ ସେହି ଦିନ ଦେଖିବାକୁ ପଡ଼ୁଛି ଯାହା ଭାରତୀୟ ଟେଷ୍ଟ ଇତିହାସରେ ଦେଖିବାକୁ ମିଳି ନ ଥିଲା। ଘରୋଇ ମାଟିରେ ଭାରତ ସିଂହର ଟ୍ୟାଗ୍ ଏବେ ମାଟିରେ ମିଶିବାରେ ଲାଗିଛି। କାରଣ ଭାରତ ୨୦୨୪ରୁ ଏ ପର୍ଯ୍ୟନ୍ତ ୮ଟି ଟେଷ୍ଟ ଖେଳି ୫ଟି ହାରିଛି। ଏଥିରୁ ୪ଟି ଟେଷ୍ଟ ପରାଜୟ ୬ଟି ଟେଷ୍ଟରୁ ମିଳିଛି। ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ଭାରତ ଘରୋଇ ମାଟିରେ ୪୧ ଟେଷ୍ଟ ଖେଳି ସେଥିରୁ ମାତ୍ର ୫ଟି ହାରିଥିଲା ଏବଂ ୯ଟି ଡ୍ର ରହିଥିଲା। ଅବଶିଷ୍ଟ ୨୭ ଟେଷ୍ଟ ଜିତିଥିଲା ଭାରତ।

ଶାସ୍ତ୍ରୀ ଓ ଦ୍ରାବିଡ଼ଙ୍କ ଆଗରେ ଫିକା ଗମ୍ଭୀର

ଗୌତମ ଗମ୍ଭୀରଙ୍କ ୧୩ ମାସର କୋଚିଂରେ ଭାରତ ୧୮ଟି ଟେଷ୍ଟ ଖେଳିଛି। ଏଥିରୁ ଦଳ ୭ଟି ଜିତିଥିବା ବେଳେ ୯ଟି ହାରିଛି। ଦୁଇଟି ଟେଷ୍ଟ ଡ୍ର ରହିଛି। ଗମ୍ଭୀରଙ୍କ ବିଜୟ ପ୍ରତିଶତ ମାତ୍ର ୦.୭୭ ପ୍ରତିଶତ ରହିଛି। ଗମ୍ଭୀରଙ୍କ କୋଚିଂରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ କେମିତି ନିମ୍ନଗାମୀ ହୋଇଛି, ତାହାର ଆକଳନ ଆପଣ ରବି ଶାସ୍ତ୍ରୀ ଓ ରାହୁଲ ଦ୍ରାବିଡଙ୍କ କୋଚିଂ ସହ ତୁଳନା କଲେ ଜାଣି ପାରିବେ।

ରବି ଶାସ୍ତ୍ରୀଙ୍କ କୋଚିଂରେ ଭାରତ ୪୫ଟି ଟେଷ୍ଟ ଖେଳି ୨୫ଟି ଜିତିଥିବା ବେଳେ କେବଳ ୧୩ଟି ଟେଷ୍ଟ ହାରିଥିଲା। ଶାସ୍ତ୍ରୀଙ୍କ କୋଚିଂରେ ଭାରତ ବିଜୟ ପ୍ରତିଶତ ୧.୯୨ ରହିଛି। ସେହିପରି ରାହୁଲ ଦ୍ରାବିଡ଼ଙ୍କ କୋଚିଂରେ ଭାରତ ୨୪ଟି ଖେଳି ୧୪ଟି ଜିତିବା ସହ ୭ଟି ହାରିଥିଲା। କୋଚ୍ ଭାବେ ଦ୍ରାବିଡ଼ଙ୍କ ବିଜୟ ହାର ୨ ପ୍ରତିଶତ ରହିଛି। ଏଥିରୁ ସ୍ପଷ୍ଟ ଯେ, ଗମ୍ଭୀରଙ୍କ କୋଚିଂରେ ଭାରତୀୟ ଟେଷ୍ଟ ଦଳ କମ ସଫଳତା ପାଇଥିବା ବେଳେ ଅଧିକ ମ୍ୟାଚ୍ ହାରିବା ସହ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛି।