୨୦ ହଜାର ଟଙ୍କାରେ ଶିଶୁ କନ୍ୟାକୁ ବିକ୍ରି ଅଭିଯୋଗ, ଦାରିଦ୍ର୍ୟତା କାରଣରୁ ଏଭଳି କରିଥିବା ମାନିଲା ବାପା

Published By : Prameya-News7 Bureau | July 27, 2025 IST

ଟିଟିଲାଗଡ଼: ଦାରିଦ୍ର୍ୟରେ କଟୁଛି ଜୀବନ। ଦି ଓଳି ଖାଇବାକୁ ନାହିଁ କି’ ମୁଣ୍ଡ ଉପରେ ପକ୍କା ଛାତଟିଏ ବି ନାହିଁ। ଏଭଳି ଦାରିଦ୍ର୍ୟ ଯନ୍ତ୍ରଣାରେ କେମିତି କରିବେ ଶିଶୁ କନ୍ୟାର ଲାଳନ ପାଳନ ସେ ଚିନ୍ତା ଘାରିଥିଲା ମନକୁ । ଶେଷରେ କୌଣସି ଉପାୟ ନପାଇ ମାତ୍ର ୨୦ ହଜାର ଟଙ୍କାରେ ଦମ୍ପତ୍ତି ବିକ୍ରି କରିଦେଲେ ନିଜ ଶିଶୁ କନ୍ୟାକୁ। ଘଟଣା ପଦାକୁ ଆସିବା ପରେ ଗଣମାଧ୍ୟମରେ ସତ ମାନିଛନ୍ତି ଶିଶୁ କନ୍ୟାର ବାପା। ଘଟଣାରେ ଟିଟିଲାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଘଟଣା ଟିଟିଲାଗଡ଼ ବ୍ଲକ ବାଗଡେର ଗାଁର। ଗାଁର ନୀଳ ରଣା ନାମକ ଜଣେ ବ୍ୟକ୍ତି ନିଜ ଶିଶୁ କନ୍ୟାକୁ ବିକ୍ରି କରିଛନ୍ତି। ଏହି ଶିଶୁ କନ୍ୟା ତାଙ୍କ ଦ୍ବିତୀୟ ପତ୍ନୀଙ୍କ ୨ୟ ଝିଅ। ତେବେ ଏଭଳି କରିବାର କାରଣକୁ ନେଇ ସେ କହିଛନ୍ତି, ତାଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ୩ଟି ଶିଶୁ କନ୍ୟା ଜନ୍ମ ହୋଇଥିଲା। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ୧ମ ସ୍ତ୍ରୀ ନୀଳ ରଣାଙ୍କୁ ଛାଡ଼ି ବାପ ଘରକୁ ପଳାଇଯାଇଥିଲେ । ଯାହା ପରେ ସେ ୨ୟ ବିବାହ କରିଥିଲେ। ଆଉ ଦ୍ବିତୀୟ ପତ୍ନୀଙ୍କ ଠାରୁ ମଧ୍ୟ ଦୁଇଟି ଝିଅ ହୋଇଥିଲେ। ଯେଉଁଥିରେ ସାନ ଝିଅକୁ ପାଇକମାଲର ଜଣେ ଦମ୍ପତ୍ତିଙ୍କୁ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ନୀଳ ରଣା ଓ ପତ୍ନୀ କନକ ରଣା ସ୍ଵୀକାର କରିଛନ୍ତି।

ଦମ୍ପତ୍ତି କହିବା କଥା ସେମାନେ ଖୁବ୍ ଗରିବ ଶ୍ରେଣୀର। ବର୍ଷର ଅଧିକାଂଶ ସମୟ ଦାଦନ ଯାଇଥାନ୍ତି। ‘‘ଦାରିଦ୍ର୍ୟତା ପାଇଁ ଆମେ ଶିଶୁକୁ ବିକିବାକୁ ଆମେ ବାଧ୍ୟ ହେଲୁ। ସ୍ୱାମୀ ସ୍ତ୍ରୀ ଦିନ ମଜୁରିଆ ଭାବରେ କାମ କରୁ। ଭଲ ଘର ଟିଏ ନାହିଁ। କୌଣସି ସୁବିଧା ବି ନାହିଁ। ମଜୁରୀରେ ଚଳିବାକୁ ପଡ଼େ। ଏମିତିରେ  ଶିଶୁ କନ୍ୟାକୁ ପାଳନ ପୋଷଣ ପାଇଁ ନିଜକୁ ଅକ୍ଷମ ଭାବି ଜନ୍ମ କଲା ଶିଶୁକୁ ବିକ୍ରି କରିଦେଇଥିବା କହିଛନ୍ତି ଦମ୍ପତ୍ତି। ତେବେ ଟିଟିଲାଗଡ଼ରୁ ଏଭଳି ଘଟଣା ନୂଆ ନୁହେଁ । ବାରମ୍ବାର ଏଭଳି ଘଟଣା ସାମ୍‌ନାକୁ ଆସୁଛି। ଏନେଇ ଟିଟିଲାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.