ବାଲିଯାତ୍ରା ୨୦୨୫
LIVE TV

ଦିଲ୍ଲୀରେ ହାଇବ୍ରିଡ୍ ମୋଡରେ ହେବ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା, ପ୍ରଦୂଷଣ ଯୋଗୁ ଗ୍ରାପ୍- ୩ ଲାଗୁ ପରେ ନିଷ୍ପତ୍ତି

NEWS7
farmers-protest-union-petroleum-minister-dharmendra-pradhan

ନୂଆଦିଲ୍ଲୀ: ଉତ୍କଟ ହୋଇଛି ଦିଲ୍ଲୀ- ଏନସିଆରରେ ପ୍ରଦୂଷଣ। ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ମାନ ଗମ୍ଭୀର ସ୍ତରରେ ପହଞ୍ଚିଛି। ଅନେକ ସ୍ଥାନରେ ତ’ ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ (AQI) ୮୦୦ ଉପରେ ରେକର୍ଡ ହୋଇଛି। ଏଭଳି ସ୍ଥିତିରେ ବାୟୁ ମାନ ପରିଚାଳନା କମିଶନ ବା CAQM ଗ୍ରାପ୍ ୩ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ପରେ ଦିଲ୍ଲୀ ସରକାର ମଧ୍ୟ ହାଇବ୍ରିଡ୍ ମୋଡ୍ରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ନିଷ୍ପତ୍ତି ଦିଲ୍ଲୀର ସମସ୍ତ ସରକାରୀ, ବେସରକାରୀ ଏବଂ ସହାୟତାପ୍ରାପ୍ତ ସ୍କୁଲଗୁଡ଼ିକ ପାଇଁ ଲାଗୁ ହେବ। ଏହାର ଅର୍ଥ, ଦିଲ୍ଲୀର ସବୁ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ହାଇବ୍ରିଡ୍ ମୋଡ୍ରେ ପରିଚାଳନା କରାଯିବ। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ତେବେ ଗାଜିଆବାଦ, ନୋଏଡା, ଫରିଦାବାଦ, ଗୁରୁଗ୍ରାମ, ସୋନିପତ ଭଳି ଅନ୍ୟ ଏନସିଆର ସହରଗୁଡ଼ିକର ଜିଲ୍ଲା ପ୍ରଶାସନ ଗ୍ରାପ୍- ୩ ଯୋଗୁ ହାଇବ୍ରିଡ୍ ମୋଡରେ ପାଠ ପଢ଼ା ଉପରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି। ତଥାପି କୁହାଯାଉଛି ଏହି ସହରଗୁଡ଼ିକ ମଧ୍ୟ ଖୁବ୍ ଶୀଘ୍ର ହାଇବ୍ରିଡ ମୋଡରେ ପାଠପଢ଼ା ଆରମ୍ଭ କରିବେ।

ସୂଚନାଥାଉକି, ହାଇବ୍ରିଡ୍ ମୋଡରେ ସ୍କୁଲଗୁଡ଼ିକ ଅନଲାଇନ୍ ଏବଂ ଅଫ୍ଲାଇନ୍ ଉଭୟ ମୋଡ୍ରେ କାର୍ଯ୍ୟ କରିଥାନ୍ତି। ଶିକ୍ଷକମାନେ ସ୍କୁଲ ଆସି ସେଠାରୁ ଅନଲାଇନ୍ରେ କ୍ଲାସ କରିଥାନ୍ତି। ତଥାପି ଯଦି ସ୍କୁଲ ସମୟ ମଧ୍ୟରେ ପ୍ରଦୂଷଣ କମ୍ ରୁହେ ତେବେ ପିଲାମାନଙ୍କୁ ସ୍କୁଲକୁ ଡକାଯାଇପାରିବ।

ଉଲ୍ଲେଖଯୋଗ୍ୟ, ଏକ୍ୟୁଆଇ ୩୫୦ ଅତିକ୍ରମ କଲେ ଗ୍ରାପ୍-୩ ଲାଗୁ ହୋଇଥାଏ। ଏହା ଲାଗୁ ହେବା ପରେ ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନଗୁଡ଼ିକ ବନ୍ଦ କିମ୍ବା ଅନ୍ୟ ବିକଳ୍ପ ଉପରେ ନିଷ୍ପତ୍ତି ନେଇପାରିବେ।