ସାର ସଙ୍କଟ ପାଇଁ ଚାଷୀ ହନ୍ତସନ୍ତ, ସେପଟେ ଦୋକାନରେ ଚାଲିଛି ସାରର କଳାବଜାରୀ

Published By : Prameya-News7 Bureau | August 25, 2025 IST

ଭୁବନେଶ୍ଵର: ସାର ସଙ୍କଟ ପାଇଁ ଚାଷୀ ହନ୍ତସନ୍ତ ହେଉଛନ୍ତି। କଳାବଜାରରୁ ସାର କିଣିବାକୁ ବାଧ୍ୟ ହେଉଛନ୍ତି।  ବିଭିନ୍ନ ଅଞ୍ଚଳରୁ ଆସିଥିବା ଏ ସଂପର୍କିତ ଖବର ପ୍ରସାରଣ ପରେ ଆକ୍ସନକୁ ଆସିଛନ୍ତି ରାଜ୍ୟ ସରକାର। ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ସାର କଳାବଜାରୀ ରୋକିବା ଲାଗି ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସାର ପାଇଁ ରାସ୍ତାରେ ଚାଷୀ। ସାର ପାଇଁ ହଟ୍ଟହଟ୍ଟା ହେଉଛନ୍ତି ଚାଷୀ। ଲ୍ୟାମ୍ପ ଆଗରେ ଲମ୍ବା ଲାଇନ ହେଲେ ମିଳୁନି ସାର। ସେପଟେ ଦୋକାନରେ ଚଢ଼ା ଦରରେ ସାରର କଳାବଜାରୀ।  ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁରର। ଏଠାରେ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ନବରଙ୍ଗପୁର-ଉମରକୋଟକୁ ସଂଯୋଗ କରୁଥିବା ୩୯ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଶନିବାର ଉମରକୋଟକୁ ୧୭୦୦ କ୍ବିଣ୍ଟାଲ ୟୁରିଆ ସାର ଆସିଥିଲା। 

ହେଲେ ଶତାଧିକ ଚାଷୀ ସାର ପାଇଁ ଲ୍ୟାମ୍ପକୁ ଧସେଇ ପଶିବାରୁ ସାର ବାଣ୍ଟିବା ହୋଇପାରିନଥିଲା। ଆଜି ପୁଣି ଲ୍ୟାମ୍ପ ଖୋଲିବା ପରେ ସମାନ ସ୍ଥିତି ଉପୁଜିଥିଲା। ଉତ୍ୟକ୍ତ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ। ମାଲକାନଗିରିରେ ଆନ୍ଦୋଳନମୁଖା ହୋଇଛନ୍ତି ଚାଷୀ। ଶିଖପାଲି ଛକ ଠାରେ ୩୨୬  ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ମାଲକାନଗିରି ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ସାର ଅଭାବରେ ଅସନ୍ତୁଷ୍ଟ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। 

Also read: ରାଜ୍ୟରେ ନୂଆ ଆଇଟି ପାର୍କ ପାଇଁ ସରକାର ଦେବେ ପ୍ରୋତ୍ସାହନ, କ୍ୟାବିନେଟ ବୈଠକରେ ନୂଆ IT ପଲିସିକୁ ମିଳିଲା ଅନୁମୋଦନ

ଏତିକି ବେଳେ କାର୍ପଟଦାର ବି ମାତିଛନ୍ତି। ବାଲିରେ ରଙ୍ଗ ଗୋଳାଇ ସାର ବୋଲି ବିକ୍ରି କରୁଛନ୍ତି। କୋରାପୁଟ ଜିଲ୍ଲାରେ ଠକେଇର ଶିକାର ହୋଇଛନ୍ତି ଶହ ଶହ ଚାଷୀ।  ପଟାସ ସାର ନାଁରେ ବାଲିରେ ରଙ୍ଗମାରି ବିକ୍ରି କରିଛନ୍ତି କିଛି ଅସାଧୁ ବ୍ୟବସାୟୀ। ଘୁମର ଗାଁରେ ପ୍ରାୟ ୫୦୦ ବସ୍ତା ପଟାସ ସାର କୋଟପାଡ଼ ବାସୁଗୁଡାର ଏକ ଫର୍ଟିଲାଇଜେର ଦୋକାନରୁ ଆଣିଥିଲେ ଚାଷୀ।   ପାଣିରେ ପକାଇଲେ ସାରରୁ ରଙ୍ଗ ଛାଡ଼ି ଯାଉଛି। ଆଜି ନ୍ୟୁଜ ସେଭେନ ଏହି ଖବର ପ୍ରସାରଣ କରିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। 

କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଏପରିକି ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସାର ସଙ୍କଟ ଦେଖାଦେଇଛି। ଖବର ପ୍ରସାରଣ ପରେ ଆକ୍ସନକୁ ଆସିଛନ୍ତି ସରକାର। ସାର କଳାବଜାରୀ ରୋକିବା ପାଇଁ ଆକ୍ସନ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ।   କଳାବଜାରୀ ରୋକିବାକୁ ଆରମ୍ଭ ହୋଇଛି ତନାଘନା।  ସାର ଅଭାବରୁ ଅନେକ ସ୍ଥାନରେ ତଳି ଶୁଖିଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ। ସେପଟେ ୟୁରିଆ ଏବଂ ପଟାସ ସାରର ଯୋଗାଣ କମ ରହୁଥିବାରୁ ଚାଷୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.