୪୦,୦୦୦ କୋଟି ଟଙ୍କା ଠକେଇ ମାମଲାରେ ସୁପ୍ରିମକୋର୍ଟଙ୍କୁ ଅନିଲ ଅମ୍ବାନୀଙ୍କ ବଡ଼ ପ୍ରତିଶ୍ରୁତି, ଜାଣନ୍ତୁ କହିଲେ କ’ଣ?

NEWS7
famous-actor-vijay-rangaraju-is-no-more

ନୂଆଦିଲ୍ଲୀ ୧୯।୨ : ରିଲାଏନ୍ସ (ଏଡିଏଜି) ଚେୟାରମ୍ୟାନ ଅନିଲ ଅମ୍ବାନୀ ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦାଖଲ କରିଛନ୍ତି। ସେ ୪୦,୦୦୦ କୋଟି ଟଙ୍କାର କଥିତ ବ୍ୟାଙ୍କିଙ୍ଗ ଓ କର୍ପୋରେଟ ଠକେଇ ମାମଲାରେ କହିଛନ୍ତି ଯେ ବିନା କୌଣସି ପୂର୍ବ ଅନୁମତିରେ ଦେଶ ଛାଡିବେନି। ସେ ଏହା ବି ପ୍ରତିଶ୍ରୁତି ଦେଇଛନ୍ତି ଯେ ତଦନ୍ତକାରୀ ସଂସ୍ଥାଙ୍କୁ ପୂର୍ଣ୍ଣ ସହଯୋଗ କରିବେ। ଏହି ଠକେଇ ମାମଲା ଅନିଲ ଧିରୁଭାଇ ଅମ୍ବାନୀ ଗ୍ରୁପ (ଏଡିଏଜି) ସମ୍ପର୍କିତ, ଯାହା ଉପରେ ବଡ଼ ଧରଣର ଫଣ୍ଡ ଡାୟଭର୍ସନ ଓ ଆର୍ଥିକ ଗଡବଡ଼ିର ଆରୋପ ଲାଗିଛି।

ସୁପ୍ରିମକୋର୍ଟରେ ଅନିଲ ଅମ୍ବାନୀ ଦାଖଲ କରିଥିବା ତାଙ୍କ ଆଫିଡେଭିଟରେ କହିଛନ୍ତି ଯେ ‘ମୁଁ ଶପଥ କରି କହୁଛି ଜୁଲାଇ ୨୦୨୫ରେ ତଦନ୍ତ ଆରମ୍ଭ ହେବା ପରଠାରୁ ମୁଁ ଭାରତ ଛାଡି ନାହିଁ କି ନିକଟ ଭବିଷ୍ୟତରେ ମୋର ବିଦେଶ ଯିବାର କୌଣସି ଉଦ୍ଦେଶ୍ୟ ନାହିଁ’। ତେବେ ଯଦି କୌଣସି ଜରୁରି କାମରେ ଭାରତ ବାହାରକୁ ଯିବାକୁ ପଡେ ତେବେ ତା ପୂର୍ବରୁ କୋର୍ଟଙ୍କ ଅନୁମତି ନେବେ। ଅମ୍ବାନୀ ଏହି ଆଫିଡେଭିଟ୍ ପୂର୍ବତନ ବ୍ୟୁରୋକ୍ରାଟ ଇ.ଏସ୍ ଶର୍ମାଙ୍କ ପିଟିସନର ଜବାବରେ ଦାଖଲ କରିଛନ୍ତି।

ଶର୍ମା ତାଙ୍କ ଜନସ୍ୱାର୍ଥ ମାମଲାରେ ଏଡିଏଜି ଓ ଏହା ସମ୍ପର୍କିତ କମ୍ପାନୀଙ୍କ ବିରୋଧରେ କଥିତ ୪୦,୦୦୦ କୋଟି ଟଙ୍କା ଠକେଇ ମାମଲାର ନିରପେକ୍ଷ, ବିନା ପାତର ଅନ୍ତରରେ ଓ ତୁରନ୍ତ ଯାଞ୍ଚ ଦାବି କରିଛନ୍ତି। ଶର୍ମା ଆବେଦନରେ ଅଭିଯୋଗ କରିଛନ୍ତି ଯେ ସମୂହର କେତେକ ୟୁନିଟ୍ ପାଣ୍ଠି ଏଣେତେଣେ କରିବା ସହ ଖାତାରେ ଗଡ଼ବଡ଼ କରିଛନ୍ତି।

ଆଫିଡେଭିଟରେ ଅମ୍ବାନୀ କହିଛନ୍ତି ଯେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି) ଫେବୃଆରୀ ୨୬ ତାରିଖରେ ହାଜର ହେବାକୁ ଡାକିଛନ୍ତି ଓ ସେ ସେହି ତାରିଖରେ ହେବାକୁ ଥିବା ଯାଞ୍ଚରେ ସାମିଲ ହେବେ। ସେ କହିଛନ୍ତି ଯେ ପୂର୍ଣ୍ଣ ବିଶ୍ୱସ୍ଥତାର ସହ ସେ ଏଜେନ୍ସୀଙ୍କୁ ତଦନ୍ତରେ ସହଯୋଗ କରୁଛନ୍ତି, ଯାହା ଆଗକୁ ଜାରି ରଖିବା ସହିତ ପ୍ରକ୍ରିୟାର ପାରଦର୍ଶିତା ସୁନିଶ୍ଚିତ କରିବେ। ଏହା ପୂର୍ବରୁ ସୁପ୍ରିମକୋର୍ଟ ଫେବୃଆରୀ ୪ ତାରିଖରେ ସିବିଆଇ ଓ ଇଡିଙ୍କୁ ତାଗିଦ କରି ବିନା କାରଣରେ ତଦନ୍ତ ବିଳମ୍ବ କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ।

ଏଥିରେ ଶର୍ମା ଯେତେବେଳେ ଅମ୍ବାନୀ ଦେଶ ଛାଡି ଦେଇ ପାରନ୍ତି ବୋଲି ସନ୍ଦେହ କଲେ ସେତେବେଳେ ଅନିଲ ଅମ୍ବାନୀଙ୍କ ପକ୍ଷରୁ କୋର୍ଟରେ ବରିଷ୍ଠ ଓକିଲ ମୁକୁଲ ରହତୋଗୀ ସେ ବିନା ଅନୁମତିରେ ଦେଶ ଛାଡିବେନି ବୋଲି କୋର୍ଟଙ୍କୁ ଭରସା ଦେଇଛନ୍ତି। ତେବେ ୨୬ ଫେବୃଆରୀ ହାଜିରି ଓ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଏହି ହାଇପ୍ରୋଫାଇଲ ମାମଲାର ଦିଗ ନିର୍ଦ୍ଧାରଣ କରିବ।

ଏହା ବି ପଢନ୍ତୁ:-Dry red chilli prices: କନ୍ଦାଉଛି ଶୁଖିଲା ଲଙ୍କା, ଦାମ ୭୮ ହଜାର ଟଙ୍କା ପାର୍