News7 Logo

ଦୋକାନ ବନ୍ଦ କରି ଶୋଇଥିଲେ, ପଡ଼ୋଶୀ ଜେସିବି ଲଗାଇ ଭାଙ୍ଗିଦେଲେ ଘର...

NEWS7
gopa

କୋଣାର୍କ ୧୫।୦୯ : ପୁରୀ ଜିଲ୍ଲା ଗୋପ ଥାନା ମଦରଙ୍ଗ ବଜାରରେ ଅଭାବନୀୟ ଘଟଣା । ଦୋକାନ ବନ୍ଦ କରି ମାଲିକ ଶୋଇଥିବା ବେଳେ ଜେସିବି ଲଗାଇ ଘର ଭାଙ୍ଗିଦେଲେ ପଡୋଶୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ଗୋପ ବ୍ଲକ କୁଆଁପଡ଼ା ପଞ୍ଚାୟତ ମଦରଙ୍ଗ ବଜାରରେ ଚକ୍ରଧର ସାହୁ, ଜଟାଧାରୀ ସାହୁ ଏକ ମିଠା ଏବଂ ସାଇକେଲ ପାର୍ଟ୍ସ ଦୋକାନ କରି ଦୀର୍ଘ ଦିନ ହେବ ବ୍ୟବସାୟ କରି ଆସୁଥିଲେ। ଉଭୟ ଦୋକାନକୁ ଲାଗି ପଛପଟେ ସେହି ଗାଁର କେଦାର ରାଉତଙ୍କ ଦୁଇ ମହଲା କୋଠା ରହିଥିଲା । କେଦାର ତାଙ୍କ ଘର ଆଗରେ ଦୁଇଟା ଦୋକାନ ଥିବାରୁ ଅଧିକାଂଶ ସମୟ ବିବାଦ ଲାଗି ରହିଥିଲା। ହଠାତ ରବିବାର ବିଳମ୍ବିତ ରାତିରେ କେଦାର ଏକ ଜେସିବି ସହାୟତାରେ ଉଭୟ ଦୋକାନକୁ ଭାଙ୍ଗି ଦେଇଥିଲେ। ଦୋକାନ ଭିତରେ ଶୋଇଥିବା ମିଠା ଦୋକାନୀ ଜଟାଧାରୀ କିଛି ଶବ୍ଧ ଶୁଣି ଜୀବନ ବିକଳରେ ବାହାରକୁ ପଳାଇ ଆସିଥିଲେ।ଏପଟେ ଏନେଇ ଗୋପ ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ କେଦାର ରାଉତଙ୍କ ଘରେ ପହଞ୍ଚିଥିଲେ। ଦୀର୍ଘ ସମୟ ପରେ ପରିବାର ସଦସ୍ୟ ଘରର କବାଟ ଖୋଲିଥିଲେ। ଅଭିଯୁକ୍ତ କେଦାର ରାଉତକୁ ଧରିବା ସମୟରେ ପୋଲିସକୁ ପାଲଟା ଆକ୍ରମଣ କରିଥିଲେ। ପରେ ପୋଲିସ ଅଭିଯୁକ୍ତକୁ କାବୁ କରି ଥାନାରେ ଅଟକ ରଖିଛି । ସେହିପରି ଜେସିବିକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ।