ଭୁବନେଶ୍ବର ୧୩।୭: ବାଲେଶ୍ବର ଫକୀରମୋହନ କଲେଜରେ ଆତ୍ମାହୂତୀ ଉଦ୍ୟମ କରିଥିବା ଛାତ୍ରୀ ଏବେ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅଛନ୍ତି । ଛାତ୍ରୀଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ଛାତ୍ରୀ ଜଣଙ୍କ ଆହୁରି ୪୮ ଘଣ୍ଟା ଅବଜରଭେସନରେ ରହିବେ । ଶରୀର ବାହ୍ୟ ଅଂଶରୁ ଯେଉଁ କ୍ଷତ ହୋଇଛି ସେଥିରୁ ଜଣାପଡୁଛି ୯୫ ପ୍ରତିଶତ ପୋଡ଼ିଯାଇଛି । ଶରୀରର ଅଧିକାଂଶ ଅଂଶରେ ଡ଼ିପ୍ ବର୍ଣ୍ଣ ହୋଇଛି । ଶ୍ୱାସନଳୀର କିଛି ଅଂଶ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି ।
ଶନିବାର ଠାରୁ ଭେଣ୍ଟିଲେଟର ସାହାଯ୍ୟରେ ଛାତ୍ରୀଙ୍କୁ ରଖାଯାଇଛି । ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇନି । ଶରୀରର ଇଣ୍ଟରନାଲ ପାର୍ଟ ମଧ୍ୟରେ କିଡ଼ନୀ ଏବଂ ଲଙ୍ଗସ ପ୍ରଭାବିତ ହୋଇଛି । ମାତ୍ର ଇଣ୍ଟରନାଲ ପାର୍ଟ କେତେ ଅଧିକ କ୍ଷତି ହୋଇଛି ତାହା ଏବେ କହିବ କଷ୍ଟକର । ଅବସ୍ଥା ଗୁରୁତର ରହିଛି । ବର୍ଣ୍ଣ କେସ୍ରେ ଇନଫେକ୍ସନର ସମ୍ଭାବନା ଅଧିକ ଥିବାରୁ ଘର ଲୋକଙ୍କୁ ଦେଖିବାକୁ ମଧ୍ୟ ଛଡାଯାଇନାହିଁ । ଛାତ୍ରୀ ଜଣଙ୍କ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏୟାର ଲିଫ୍ଟିଂ ହେବ କି ନାହିଁ କମିଟି ନିଷ୍ପତି ନେବ । ବିଭିନ୍ନ ବିଭାଗ ଯେମିତିକି ବର୍ଣ୍ଣ ଏବଂ ପ୍ଲାଷ୍ଟିକ, ମେଡ଼ିସିନ ପଲମନାରୀ, କ୍ରିଟିକାଲ କେୟାର, କାର୍ଡ଼ିଓଲୋଜି, ନେଫରୋଲୋଜି, ନର୍ସିଂ ବିଭାଗର ବରିଷ୍ଠ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି । ସକାଳୁ ଡ୍ରେସିଂ ହୋଇସାରିଛି ।
ସେପଟେ, ପୀଡ଼ିତାଙ୍କ ଚିକିତ୍ସା ପାଇଁ ୮ ଜଣିଆ ଟିମ୍ ଗଠିତ ହୋଇଛି । ୮ ଜଣିଆ ଟିମ୍ ଗଠନ କଲେ ଏମ୍ସ କର୍ତ୍ତୃପକ୍ଷ । ୮ ଜଣିଆ ଟିମ୍ରେ ପ୍ରଫେସର ଜୟନ୍ତ ମିତ୍ର, ମନୋଜ ପାଣିଗ୍ରାହୀ, ସଞ୍ଜୟ ଗିରି, ଶାନ୍ତନୁ ସୁବା, ସନ୍ଦୀପ ପଣ୍ଡା, ଦେବୀଶ୍ରୀ ଦାସ, ଡ. ମହାଲିଙ୍ଗମ୍ ଓ ପ୍ରିୟଦର୍ଶିନୀ ସାହୁ ସାମିଲ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ପରିସରରେ ଘଟିଥିଲା ଛାତିଥରା ଦୃଶ୍ୟ । ଭୋଗରାଇ ଅଞ୍ଚଳର ଛାତ୍ରୀ ଇଣ୍ଟିଗ୍ରେଟେଡ଼ ବିଇଡିର ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ହେଲେ ଏଚଓଡ଼ି ସମୀର କୁମାର ସାହୁ ତାଙ୍କୁ କିଛି ଦିନ ଧରି ମାନସିକ ନିର୍ଯାତନା ଦେଉଥିଲେ । ତାଙ୍କୁ ଫେବର ମାଗିବା ଭଳି ଛାତ୍ରୀ ଜଣକ ପୂର୍ବରୁ ଅଭିଯୋଗ ଆଣି ନ୍ୟାୟ ମାଗିଥିଲେ । ଏପରିକି ପ୍ରିନ୍ସିପାଲଙ୍କ ଠାରେ ଫେରାଦ ହୋଇଥିଲେ । ପରେ ତାଙ୍କୁ ଏଚ୍ଓଡ଼ି ଫେଲ୍ କରାଇ ଦେବାକୁ ଧମକ ଚମକ ଦେଇଥିଲେ ।
ପରେ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ଶେଷଥର ପାଇଁ ନ୍ୟାୟ ମାଗିବାକୁ ଆସିଥିଲେ । କିଏ ଜାଣିଥିଲା ନ୍ୟାୟ ମିଳିବା ବିଳମ୍ବ ହେଲେ ସେ ଆତ୍ମହତ୍ୟା କରିବେ ବୋଲି । ପ୍ରିନ୍ସିପାଲଙ୍କ ଚାମ୍ବରକୁ ଯିବାର ୧୦ ମିନିଟ୍ ପରେ ବାହାରକୁ ଆସି ଆଣିଥିବା ପେଟ୍ରୋଲକୁ ଦେହରେ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଜଳି ଜଳି ଦୌଡୁଥିବାର ଦୃଶ୍ୟ ବେଶ ହୃଦୟବିଦାରକ ଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ର ମଧ୍ୟ ଗୁରୁତର ହୋଇଥିଲେ । ଏହା ସିସିଟିଭିରେ କଏଦ ମଧ୍ୟ ହୋଇଛି ।
ତେବେ ଗୁରୁତର ଛାତ୍ରୀ ଜଣକ ବାଲେଶ୍ୱର ହସ୍ପିଟାଲ ଯିବାପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏମ୍ସ ସ୍ଥାନାନ୍ତର ହୋଇଥିଲେ । ପରେ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପ୍ରିନ୍ସିପାଲଙ୍କୁ ଘେରିଥିଲେ ଛାତ୍ରଛାତ୍ରୀ । ତେବେ ଆଇନ ଶୃଙ୍ଖଳା ପାଇଁ କଲେଜ ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଥିବାବେଳେ ଏସ୍ପି ଓ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିଥିଲେ ।
You Can Read:
ଏଫ୍ଏମ୍ କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ପୀଡ଼ିତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର