ନିଯୁକ୍ତି ନାଁରେ ଫେକ୍ ବିଜ୍ଞପ୍ତି, ସୋସିଆଲ ମିଡିଆରେ ବୁଲୁଛି ୯୮୪ ସ୍ୱାସ୍ଥ୍ୟ କର୍ମୀଙ୍କ ନିଯୁକ୍ତି ପତ୍ର

Published By : Prameya-News7 Bureau | July 30, 2025 IST

ନୂଆଦିଲ୍ଲୀ ୩୦/୦୭: ସ୍ୱାସ୍ଥ୍ୟ ବିଭାଗ ନାଁରେ ଜାଲ ନିଯୁକ୍ତି ବିଜ୍ଞପ୍ତି । ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ଠିକା ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶାଳୟର ନିଯୁକ୍ତି ବିଜ୍ଞାପନ । ଘୁରି ବୁଲୁଛି ଆଉଟ୍‌ସୋର୍ସିଂ ସଂସ୍ଥା ମାଧ୍ୟମରେ କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ୱର, ଖୋର୍ଦ୍ଧା, ମୟୂରଭଞ୍ଜ ଆଦି ଜିଲ୍ଲାରେ ୯୪୮ ସ୍ୱାସ୍ଥ୍ୟ କର୍ମୀ ପଦବି ପୂରଣ ଲାଗି ନିଯୁକ୍ତି ବିଜ୍ଞାପନ । ତେବେ ଏହି ବିଜ୍ଞାପନ ପଢ଼ି ବହୁ ଚାକିରି ଆଶାୟୀ ଶିକ୍ଷିତ ଯୁବକ/ଯୁବତୀ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ପ୍ରଶାସନ ସହ ଯୋଗାଯୋଗ କରିବା ପରେ ଏହା ଜାଲ ନିଯୁକ୍ତି ବିଜ୍ଞପ୍ତି ବୋଲି ଜଣାପଡ଼ିଛି । 

ଏନେଇ ଚାକିରି ଆଶାୟୀମାନେ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶକ କାର୍ଯ୍ୟାଳୟର ଲେଟର ପ୍ୟାଡ୍‌ର ଅବିକଳ ନକଲ ଓ ନିର୍ଦ୍ଦେଶକଙ୍କ ଦସ୍ତଖତକୁ କେହି ନକଲ କରି ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରସ୍ତୁତ କରିଛନ୍ତି । ତେବେ ସେହି ବିଜ୍ଞପ୍ତିକୁ ଭାଇରାଲ୍‌ କରୁଥିବାର ଜଣାଯାଇଛି । ଏଥିରେ ହସ୍ପିଟାଲ ମ୍ୟାନେଜର ପଦବିଠାରୁ ଆରମ୍ଭ କରି ଫାର୍ମାସିଷ୍ଟ୍‌, ନର୍ସିଂ, ରେଡିଓଗ୍ରାଫର୍‌, ଲାବ୍ରୋଟୋରି ଟେକ୍ନିସିଆନ, ଲାବ୍ରୋଟୋରି ଆସିଷ୍ଟାଣ୍ଟ୍‌, ଏଏନ୍‌ଏମ୍‌, ସୁପର୍‌ଭାଇଜର, ପିଅନ, ଡାଟା ଏଣ୍ଟ୍ରି ଅପରେଟର୍‌, ସୁଇପର୍‌ ଆଦି ୨୪ଟି ପାହ୍ୟାର ପଦବିରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି । 

ଜିଲ୍ଲା ସ୍ତରରେ ଏହି ନିଯୁକ୍ତି ଆଉଟ୍‌ସୋର୍ସିଂ ସଂସ୍ଥା ଦ୍ୱାରା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଉକ୍ତ ବିଜ୍ଞପ୍ତି ସୋସିଆଲ୍‌ ମିଡିଆରେ ଦେଖିବା ଚାକିରି ଆଶାୟୀ ଆବେଦନ କରିବାକୁ ଯିବା ମଧ୍ୟରେ ଏହା ସମ୍ପୂର୍ଣ୍ଣ ଜାଲିଆତି ବୋଲି ଜଣାପଡ଼ିଛି । ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶାଳୟ ନାଁରେ ଏପରି ଜାଲ୍‌ ନିଯୁକ୍ତି ବିଜ୍ଞପ୍ତି ପ୍ରସ୍ତୁତ କରାଯାଇ ଭାଇରାଲ୍‌ ହେଉଥିଲେ ହେଁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଶୂନ । 

କେବଳ ଲୋକ ଦେଖାଣିଆ ଭାବେ ଏବଂ ନିଜ ଆଡ଼କୁ କିପରି ସମସ୍ୟା ନ ଆସିବ ସେଥିଲାଗି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିର୍ଦ୍ଦେଶକ ଓ ରାଉରକେଲାସ୍ଥିତ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷଙ୍କୁ ସତର୍କ ସୂଚନା ସୂରୁପ ଚିଠି ଜାରି କରିଛନ୍ତି । ସରକାରୀ ସଂସ୍ଥା ନାଁରେ ଜାଲ୍‌ ନିଯୁକ୍ତି ବିଜ୍ଞପ୍ତି ଛପାଇ ତାହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିବା ଧର୍ତ୍ତବ୍ୟ ଅପରାଧ ଥିଲେ ହେଁ ଏହି ଜାଲିଆତି ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଉନି କଡ଼ା ପଦକ୍ଷେପ । 

ବିଭାଗ ପକ୍ଷରୁ ଥାନା କିମ୍ବା କ୍ରାଇମ୍‌ବ୍ରାଞ୍ଚ୍‌ରେ ଏତଲା ଦାଏର ବି ହୋଇନି । ସେହିଭଳି କୌଣସି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ମଧ୍ୟ ଜାଲ୍‌ ନିଯୁକ୍ତି ବିଜ୍ଞପ୍ତି ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇନାହିଁ । ସେପଟେ ସ୍ୱାସ୍ଥ୍ୟ ବିଭାଗର ଏପରି ଖାମଖିଆଲ ମନୋଭାବ ଚାକିରି ବିକ୍ରି ରାକେଟ୍‌ର ଦଲାଲ୍‌ମାନଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି କରିଛି । ଦଲାଲ୍‌ମାନଙ୍କ ଚାକିରି ବିକ୍ରି ଜାଲରେ ରାଜ୍ୟରେ ଅନେକ ଚାକିରି ଆଶାୟୀ ଫସିବା ପରେ ଉକ୍ତ ଜାଲ୍‌ ନିଯୁକ୍ତି ବିଜ୍ଞପ୍ତି ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଛି । 

କହିବାକୁ ଗଲେ ସମାନ ଭାବେ ଦୁଇ ବର୍ଷ ତଳେ ମଧ୍ୟ ଜାଲ୍‌ ନିଯୁକ୍ତି ବିଜ୍ଞପ୍ତି ଭାଇରାଲ୍‌ ହୋଇଥିଲା । ମାତ୍ର ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଇ ନ ଥିଲା । ଫଳରେ ଶହ ଶହ ଚାକିରି ଆଶାୟୀ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଆଶାରେ ଠକାମିରେ ଶିକାର ହୋଇଥିଲେ । ପୂର୍ବପରି ଏବେ ମଧ୍ୟ ଜାଲ ନିଯୁକ୍ତି ବିଜ୍ଞପ୍ତି ଭାଇରାଲ୍‌ ହେଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.