LIVE TV

ୟୁକ୍ରେନକୁ ୨୦୨୭ ଯାଏ ଆର୍ଥିକ ସହଯୋଗ କରିବ ୟୁରୋପୀୟ ସଂଘ

NEWS7
fake-aquagurd-case

ନୂଆଦିଲ୍ଲୀ: ୟୁକ୍ରେନକୁ ଆଗାମୀ ଦୁଇ ବର୍ଷ ଯାଏ ଆର୍ଥିକ ସହାୟତା ପ୍ରଦାନ ପାଇଁ ୟୁରୋପୀୟ ୟୁନିଅନ ପରିଷଦ ନିଷ୍ପତ୍ତି ନେଇଛି । ୟୁରୋପୀୟ ସଂଘର ଏହି ନିଷ୍ପତ୍ତି ଉପରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଖୁସି ବ୍ୟକ୍ତ କରିଛନ୍ତି । ସୋସିଆଲ୍ ମିଡିଆ ପୋଷ୍ଟରେ ସେ ଏହି ସୂଚନା ଦେଇଛନ୍ତି । ତେବେ ୟୁକ୍ରେନକୁ ସାହାଯ୍ୟ ପାଇଁ ରୁଷର ଜବତ ସମ୍ପତ୍ତିକୁ ବ୍ୟବହାର କରିବାକୁ ସଂଘ ଏବେବି ମଞ୍ଜୁରି ଦେଇ ନାହିଁ । ବୈଠକରେ ବେଲଜିୟମ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇ ନାହିଁ ।

ୟୁରୋପୀୟ ସଂଘ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା କହିଛନ୍ତି ଯେ ଇୟୁ ଗୁରୁବାର ଆଗାମୀ ଦୁଇ ବର୍ଷ ପାଇଁ ୟୁକ୍ରେନକୁ ଆର୍ଥିକ ସହଯୋଗ କରିବା ଉପରେ ସହମତ ହୋଇଛି । ବ୍ରୁସେଲ୍ସରେ ୟୁରୋପୀୟ ୟୁନିଅନ ପରିଷଦର ବୈଠକ ହୋଇଥିଲା, ଯେଉଁଥିରେ ଅତିଥି ଭାବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ସାମିଲ ହୋଇଥିଲେ । ଜବତ ରୁଷ ସମ୍ପତ୍ତିକୁ ବ୍ୟବହାର କରି ୟୁକ୍ରେନକୁ ୧୪୦ ବିଲିୟନ ୟୁରୋ ଋଣ ଦେବା ପାଇଁ ଦାବି କରିଥିଲେ । କିନ୍ତୁ ବେଲଜିୟମର ବିରୋଧ ଯୋଗୁ ଏହାକୁ ମଞ୍ଜୁରି ମିଳିପାରି ନଥିଲା । ବେଲଜିୟମ ମଞ୍ଜୁରି ଦେବା ପାଇଁ ତିନି ସର୍ତ୍ତ ରଖିଥିଲା, ଯାହାକୁ ସ୍ୱୀକାର କରାଯିବା ପରେ ବେଲଜିୟମ ମଧ୍ୟ ମଞ୍ଜୁରି ଦେଇପାରେ ।

ଉଲ୍ଲେଖଯୋଗ୍ୟ ଯେ ରୁଷର ଜବତ ସମ୍ପତ୍ତି ବେଲଜିୟମରେ ରହିଛି । ବେଲଜିୟମ ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ଯଦି ରୁଷ ଆଇନଗତ ପଦକ୍ଷେପ ନିଏ, ତେବେ ସେହି ଆଇନଗତ ଲଢେଇର ସମସ୍ତ ଖର୍ଚ୍ଚ ୟୁରୋପୀୟ ସଂଘର ଅନ୍ୟ ଦେଶ ବହନ କରିବେ । ଏହାସହ ଯଦି କେବେ ଟଙ୍କା ଫେରସ୍ତ କରିବାକୁ ପଡ଼େ ତେବେ ଅନ୍ୟ ଦେଶ ବି ଆର୍ଥିକ ସହଯୋଗ କରିବେ । ବେଲଜିୟମ ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଦାବି କରିଛନ୍ତି ଯେ ଅନ୍ୟ ଦେଶରେ ଜବତ କରାଯାଇଥିବା ରୁଷ ସମ୍ପତ୍ତି ବି ଏହି ଯୋଜନାର ଅଂଶ ହେବା ଦରକାର ।