ନୂଆଦିଲ୍ଲୀ ୨୭।୬: କେରଳରେ ଦୁଇ ସପ୍ତାହରୁ ଅଧିକ ସମୟ ହେଲା ଛିଡା ହୋଇ ରହିଥିବା ଏଫ-୩୫ ଯୁଦ୍ଧ ବିମାନ ହ୍ୟାଙ୍ଗରକୁ ଯିବ। ଏଥି ପାଇଁ ବ୍ରିଟେନ ଏବ ସହମତ ହୋଇଛି, ହେଲେ ଏକ ସର୍ତ୍ତ ରଖିଛି। ବିମାନ ସେବେ ହ୍ୟାଙ୍ଗରକୁ ଯିବ ଯେବେ ୟୁକେ ଇଞ୍ଜିନିୟର ଟିମ୍ ପହଞ୍ଚିବ। ଏହି ଟିମ୍ ଦେଖରେଖରେ ଲଢୁଆ ବିମାନକୁ ହ୍ୟାଙ୍ଗରକୁ ନିଆଯିବ। ଏଫ-୩୫ବି ଆମେରିକାନ ମେଡ ପଞ୍ଚମ ପିଢୀର ସୁପରସୋନିକ ଷ୍ଟିଲଥ୍ ଲଢୁଆ ବିମାନ।
ଏହାକୁ ବିଶ୍ୱର ସବୁଠୁ ଆଡଭାନ୍ସ ଫାଇଟର ଜେଟ୍ ମନେ କରାଯାଏ। ଏହାକୁ ଲକହିଡମାର୍ଟିନ ତିଆରି କରିଛି। ଏହି କାରଣରୁ ବ୍ରିଟେନର ଡର ଏହା ଯେ ହ୍ୟାଙ୍ଗରକୁ ନେଇ ଅନ୍ୟ ଲୋକେ ବି ଏହାର ଟେକ୍ନୋଲଜି ଜାଣିଯିବେ। ଏଫ-୩୫ବି ଯୁଦ୍ଧବିମାନଟି ପ୍ରିନ୍ସ ଅଫ ୱେଲସ୍ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପର ଅଂଶବିଶେଷ। ଭାରତୀୟ ନୌସେନା ସହିତ ମିଳିତ ଯୁଦ୍ଧାଭ୍ୟାସ ପରେ ଏୟାରକ୍ରାଫ୍ଟ ଫେରସ୍ତ ଯାଉଥିଲା, ତେବେ ସେତେବେଳେ ଏହା ଲୋ ଫ୍ୟୁଲ ସିଗ୍ନାଲ ଦେଇଥିଲା। ଏହାକୁ ତୁରନ୍ତ ତିରୁଅବନ୍ତିପୁରମ ଏୟାରପୋର୍ଟରେ ଅବତରଣ କରାଯାଇଥିଲା।
ଏହି ସମୟରେ ବିମାନରେ କୌଣସି ବୈଷୟିକ ତ୍ରୁଟି ଉପୁଜିଥିଲା। ଏଣୁ ଯୁଦ୍ଧ ବିମାନଟି ସେବେଠାରୁ ତିରୁଅନନ୍ତପୁରମ ବିମାନ ବନ୍ଦରରେ ଛିଡା ହୋଇ ରହିଛି। ତେବେ ପରେ ଏୟାର ଇଣ୍ଡିଆ ଯୁଦ୍ଧ ବିମାନକୁ ଏୟାରପୋର୍ଟ ହ୍ୟାଙ୍ଗରରେ ପାର୍କିଂ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ତେବେ ବ୍ରିଟିଶ ନେଭି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲା। ଏବେ ବ୍ରିଟେନ ତାର ଇଞ୍ଜିନିୟରିଂ ଟିମକୁ ସ୍ପେଶାଲିଷ୍ଟ ଇକ୍ୱିପମେଣ୍ଟ ସହିତ ପଠାଇବାକୁ ଯୋଜନା ପ୍ରସ୍ତୁତ କରୁଛି।
ଏହି ଟିମ୍ ପହଞ୍ଚିବା ପରେ ଯୁଦ୍ଧ ବିମାନଟି ପୁଣି ପ୍ରିନ୍ସ ଅଫ ୱେଲସ୍ ଏୟାରକ୍ରାଫ୍ଟ କ୍ୟାରିୟରକୁ ଫେରିବ କି ହ୍ୟାଙ୍ଗରକୁ ଯିବ ତାହା ଚୂଡ଼ାନ୍ତ ହେବ। ଯଦି ଏହି ଟିମ୍ ଯୁଦ୍ଧ ବିମାନର ତ୍ରୁଟି ସୁଧାରି ପାରିଲେ ତେବେ ଏହା ବ୍ରିଟେନ ଏୟାରକ୍ରାଫ୍ଟ କ୍ୟାରିୟରକୁ ଫେରିଯିବ। ନଚେତ ହ୍ୟାଙ୍ଗରକୁ ନେଇ ଏହାର ମରାମତି ନିମନ୍ତେ ପରବର୍ତ୍ତି ପଦକ୍ଷେପ ନିଆଯିବ। ତେବେ ଏଫ-୩୫କୁ ଜଗା ରଖା କରିବା ଓ ସହଯୋଗ କରିବା ପାଇଁ ବ୍ରିଟିଶ ଅଧିକାରୀମାନେ ତିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ଭାରତୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।