ନୂଆଦିଲ୍ଲୀ: ସଂସଦକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିବା ପୂର୍ବତନ ବିଧାୟକଙ୍କୁ ୬ ମାସ ଜେଲ୍ ଦଣ୍ଡ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ। ଶୁକ୍ରବାର ଏସମ୍ପର୍କିତ ମାମଲାର ଶୁଣାଣି କରି ମଧ୍ୟ ପ୍ରଦେଶ ପୂର୍ବତନ ବିଧାୟକ କିଶୋର ସମ୍ରିତେଙ୍କୁ କୋର୍ଟ ଏହି ଦଣ୍ଡ ଦେଇଛନ୍ତି। ଦାବି ପୂରା ନ ହେବାରୁ କିଶୋର ସେପ୍ଟେମ୍ବର ୨୦୨୨ରେ ସଂସଦକୁ ବୋମା ମାଡ଼ କରି ଉଡ଼ାଇ ଦେବାକୁ ଧମକ ଦେଇଥିଲେ।
ରାୟ ଶୁଣାଇ ସ୍ୱତନ୍ତ୍ର ବିଚାରପତି ବିକାଶ ଧୁଲ କହିଛନ୍ତି “ଦୋଷୀକୁ ଆଇପିସି ଧାରା ୫୦୬ (II) ୬ ମାସ ପାଇଁ ଦଣ୍ଡାଦେଶ ସହିତ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଉଛି।” ୧୬ ସେପ୍ଟେମ୍ବର ୨୦୨୨ରେ ସଂସଦ ଭବନରେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଏକ ପାର୍ସଲ ମିଳିଥିଲା, ଯେଉଁଥିରେ ଭାରତୀୟ ପତାକା ଏବଂ ସମ୍ବିଧାନର ଏକ କପି ବ୍ୟତୀତ ବିସ୍ଫୋରକ ସହ ଜଡିତ କିଛି ସନ୍ଦିଗ୍ଧ ପଦାର୍ଥ ଥିଲା।
ବିଚାରପତି କହିଛନ୍ତି ଯେ ବାଲାଘାଟର ଲାଞ୍ଜିର ପୂର୍ବତନ ବିଧାୟକ ସମରିତେଙ୍କ ଚିଠିରେ ସଂସଦ ଭବନକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା, ଏବଂ ନିଆଁ ଲଗାଇ ସମ୍ପତ୍ତି ନଷ୍ଟ କରିବାର ଧମକ ଥିଲା। ତେଣୁ ସେ ଆଇପିସିର ଧାରା ୫୦୬ ର ଭାଗ II ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେବେ। ତେବେ ବିସ୍ଫୋରକ ଆଇନ ଅନୁଯାୟୀ ସମ୍ରିତେକୁ ଦୋଷ ମୁକ୍ତ କରିଥିଲେ। କାରଣ ତାଙ୍କ ପାର୍ସଲ୍ରେ ମିଳିଥିବା ସାମଗ୍ରୀ ବିସ୍ଫୋରକ ନଥିଲା।
ଏହା ପୂର୍ବରୁ ସେପ୍ଟେମ୍ବର ୨୦୨୨ରେ କୋର୍ଟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ। କାରଣ କିଶୋରଙ୍କ ଧମକରେ କୌଣସି ପ୍ରକାରର ବିସ୍ଫୋରଣ କିମ୍ବା ଜୀବନ ଓ ସମ୍ପତ୍ତିର ହାନୀ ଘଟି ନଥିଲା।
ପାର୍ସଲରେ ସମରିତେଙ୍କର ଏକ ୧୦ ପୃଷ୍ଠାର ଦସ୍ତଖତ ଅଭିଯୋଗ ମଧ୍ୟ ଥିଲା, ଯେଉଁଥିରୁ ଜଣାପଡ଼ିଥିଲା ଯେ ସେ ଶାସକ ସରକାରଙ୍କ ନୀତି ପ୍ରତି ଅସନ୍ତୋଷ ପ୍ରକାଶ କରୁଛନ୍ତି ଏବଂ ୭୦ଟି ବିଭିନ୍ନ ଦାବି ରଖିଛନ୍ତି ଏବଂ ଯଦି ତାଙ୍କ ଦାବି ପୂରଣ ନ ହୁଏ ତେବେ ୩୦ ସେପ୍ଟେମ୍ବର ୨୦୨୨ରେ ସଂସଦ ଭବନ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ତଦନ୍ତ ସମୟରେ, ଏହା ମଧ୍ୟ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ୧୯ ସେପ୍ଟେମ୍ବର ୨୦୨୨ ରେ ସୁପ୍ରିମକୋର୍ଟକୁ ଠିକ୍ ଏଭଳି ଏକ ପାର୍ସଲ ପଠାଇଥିଲେ। ଏବଂ ଏସମ୍ପର୍କରେ ଏକ ପୃଥକ ଏଫଆଇଆର ଦାୟର କରାଯାଇଥିଲା।