ମାଞ୍ଚେଷ୍ଟର: ଓଲ୍ଡ ଟ୍ରାଫର୍ଡରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟରେ ମୁସ୍କିଲ ସ୍ଥିତିରେ ଭାରତ। ଇଂଲଣ୍ଡ ପ୍ରଥମ ଇନିଂସରେ ୬୬୯ ରନର ବିଶାଳ ସ୍କୋର କରିଛି। ୩୧୧ ରନ ଅଗ୍ରଣୀ ହାସଲ କରି ଘରୋଇ ଦଳ ଭାରତ ପାଇଁ ଇନିଂସ ପରାଜୟର ସ୍ଥିତି ଉତ୍ପନ କରିଛନ୍ତି। ଗତକାଲି ଜୋ ରୁଟ୍ ୧୫୦ ରନ କରିଥିବା ବେଳେ ଶନିବାର ଚତୁର୍ଥ ଦିନର ପ୍ରଥମ ସେସନରେ ଅଧିନାୟକ ବେନ ଷ୍ଟୋକ୍ସ ୧୪୧ ରନର ଶତକୀୟ ଇନିଂସ ଖେଳିବା ସହ ଶେଷ ଆଡ଼କୁ ବ୍ରାଇଡନ କାର୍ସ ୪୭ ରନ କରିଛନ୍ତି। ଫଳରେ ଘରୋଇ ଦଳ ନିଜର ପ୍ରଥମ ଇନିଂସର ରନର ପାହାଡ଼ ଛିଡ଼ା କରିଛି। ବୋଲିଂରେ ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ସର୍ବାଧିକ ୪ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୫୮ ରନ କରିଥିଲା।
ତୃତୀୟ ଦିନର ଅସମାପ୍ତ ଖେଳ ୫୪୪/୭ରୁ ଚତୁର୍ଥ ଦିନର ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ। ବେନ ଷ୍ଟୋକ୍ସ ୭୭ ରନ କରି ଅପରାଜିତ ଥିବା ବେଳେ ଆଜି ଦ୍ରୁତ ବ୍ୟାଟିଂ କରି ନିଜର ଟେଷ୍ଟ କ୍ୟାରିୟରରେ ୧୪ତମ ଶତକ ହାସଲ କରିଥିଲେ। ଲିୟାମ ଡାସନ ୨୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଷ୍ଟୋକ୍ସ ଓ ବ୍ରାଇଡନ କାର୍ସ ୯୫ ରନ ଯୋଡ଼ି ଦଳର ସ୍କୋରକୁ ୫୬୩ ରନରେ ପହଞ୍ଚାଇଥିଲେ। ବିଶେଷ କରି ଷ୍ଟୋକ୍ସ ବିସ୍ଫୋରକ ବ୍ୟାଟିଂ କରି ୧୪୧ ରନର ଇନିଂସ ଖେଳିଥିଲେ। କାର୍ସ ୫୪ ବଲରୁ ୪୭ ରନ କରି ଶେଷ ଖେଳାଳି ଭାବେ ଆଉଟ୍ ହୋଇଥିଲେ। ଶେଷରେ ଇଂଲଣ୍ଡ ୬୬୯ ରନ ରନରେ ଅଲଆଉଟ୍ ହୋଇଥିଲା।
ଏହା ପୂର୍ବରୁ ତୃତୀୟ ଦିନରେ ଜ୍ୟାକ କ୍ରାଉଲି ୮୪ ରନ ଓ ବେନ ଡକେଟ୍ ୯୪ ରନ କରିଥିଲେ। ଓପନିଂରେ ଦୁଇ ବ୍ୟାଟର ୧୬୬ ରନ ଯୋଡ଼ିଥିଲେ। ଓଲି ପୋପ ୭୧ ରନ କରିଥିବା ବେଳେ ଜୋ ରୁଟ୍ ୧୫୦ ରନର ମାରାଥନ ଇନିଂସ ଖେଳିଥିଲେ। ବୋଲିଂରେ ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ସର୍ବାଧିକ ୪ ଓ୍ଵିକେଟ୍ ନେଇଥିବା ବେଳେ ବୁମରା ଓ ଓ୍ଵାଶିଂଟନ ସୁନ୍ଦର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୫୮ ରନ କରିଥିଲା।