ଲର୍ଡ୍ସ: ବହୁ ରୋମାଞ୍ଚକର ଓ ନାଟକୀୟ ମୋଡ଼ ପରେ ଶେଷରେ ଲର୍ଡ୍ସ ଟେଷ୍ଟରେ ବାଜି ମାରି ନେଇଛି ଇଂଲଣ୍ଡ। ଭାରତକୁ ଘରୋଇ ଦଳ ୨୨ ରନରେ ହରାଇଛି। ରବୀନ୍ଦ୍ର ଜାଡ଼େଜାଙ୍କ ୬୧ ରନର ସଂଘର୍ଷପୂର୍ଣ୍ଣ ଇନିଂସ ବୃଥା ହୋଇଛି। ବିଜୟ ସହ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଇଂଲଣ୍ଡ ଦ୍ଵାରା ଧାର୍ଯ୍ୟ ୧୯୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୭୦ ରନରେ ଅଲଆଉଟ୍ ହୋଇଛି। ଜାଡ଼େଜା ଓ କେଏଲ ରାହୁଲଙ୍କ ବ୍ୟତୀତ ଅନ୍ୟ ବ୍ୟାଟରଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ଭାରତ ଛୋଟ ବିଜୟ ଲକ୍ଷ୍ୟକୁ ବି ପିଛା କରି ପାରିନି। ପ୍ରଥମ ଇନିଂସରେ ଇଂଲଣ୍ଡ ଓ ଭାରତ ସମାନ ୩୮୭ ରନ କରିଥିଲେ। ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ୧୯୨ ରନରେ ଅଲଆଉଟ୍ ହୋଇଥିଲା।
ଚତୁର୍ଥ ଦିନର ଅସମାପ୍ତ ଖେଳ ୫୮/୪ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଶେଷ ଦିନରେ ଭାରତକୁ ଜିତିବା ପାଇଁ ଦରକାର ଥିଲା ୧୩୫ ରନ ଏବଂ ଇଂଲଣ୍ଡକୁ ଦରକାର ଥିଲା ୬ ଓ୍ଵିକେଟ୍। କେଏଲ ରାହୁଲ ଓ ଋଷଭ ପନ୍ତଙ୍କଠୁ ଦଳ ବହୁତ ଆଶା ରଖିଥିଲା। ହେଲେ ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ପନ୍ତ ୯ ରନ କରି ଆଉଟ୍ ହୋଇଥିବା ବେଳେ ନିର୍ଭରଯୋଗ୍ୟ ବ୍ୟାଟର କେଏଲ ରାହୁଲ ଆଉଟ୍ ହେବା ଭାରତକୁ ବହୁତ ବଡ଼ ଝଟକା ଲାଗିଥିଲା। କେଏଲ ୩୯ ରନ କରି ପାଭିଲିୟନ ଫେରିଥିଲେ। ଓ୍ଵାଶିଂଟନ ସୁନ୍ଦର ଖାତା ଖୋଲି ପାରି ନ ଥିଲେ। ୮୨ ରନରେ ୭ ଓ୍ଵିକେଟ୍ ହରାଇବା ପରେ ଭାରତର ପରାଜୟ ନିଶ୍ଚିତ ଲାଗୁଥିଲା।
ତେବେ ରବୀନ୍ଦ୍ର ଜାଡ଼େଜା ଗୋଟିଏ ପଟେ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳି ଭାରତର ଆଶା ଉଜ୍ଜିବୀତ ରଖିଥିଲେ। ଜାଡେଜା ଓ ନୀରଶ କୁମାର ରେଡ୍ଡୀ ୩୦ ରନ ଯୋଡ଼ି ଦଳର ସ୍କୋରକୁ ୧୧୨ ରନରେ ପହଞ୍ଚାଇଥିଲେ। ନିମ୍ନକ୍ରମରେ ବୁମରା ଓ ସିରାଜ ଦୀର୍ଘ ସମୟ ଜାଡ଼େଜାଙ୍କ ସହ ଲଢିଥିଲେ। ଏହା ପରେ ଜାଡେଜା ଓ ବୁମରା ଧୈର୍ଯ୍ୟର ସହ ବ୍ୟାଟିଂ କରି ଲଢେଇ ଜାରି ରଖିଥିଲେ। ଉଭୟ ନବମ ଓ୍ଵିକେଟ୍ ପାଇଁ ୩୫ ରନ ଯୋଡ଼ିଥିଲେ। ବୁମରା ବଡ ସଟ୍ ଖେଳିବା ପ୍ରୟାସରେ ନିଜର ଓ୍ଵିକେଟ୍ ଫିଙ୍ଗିଥିଲେ।
ଜାଡେଜା ଅର୍ଦ୍ଧଶତକ ହାସଲ କରିବା ସହ ମହମ୍ମଦ ସିରାଜଙ୍କ ସହ ମିଶି ଦଳ ପାଇଁ ଲଢେଇ ଜାରି ରଖିଥିଲେ। ତେବେ ମହମ୍ମଦ ସିରାଜ(୪)ଙ୍କ ଆଉଟ୍ ହେବା ସହ ଭାରତର ଦ୍ଵିତୀୟ ଇନିଂସ ସ୍କୋର ୧୭୦ ରନରେ ଅଟକିଥିଲା। ଘରୋଇ ଇଂଲଣ୍ଡ ମ୍ୟାଚ୍କୁ ୨୨ ରନରେ ଜିତି ନେଇଛି। ବୋଲିଂରେ ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚର ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେ୍ ନେଇଥିବା ବେଳେ ବ୍ରାଇଡନ କାର୍ସ ୨ ଓ୍ଵିକେଟ୍ ନେଇଛନ୍ତି। ସିରିଜ୍ର ଚତୁର୍ଥ ଟେଷ୍ଟ ଜୁଲାଇ ୨୪ରେ ଓଲ୍ଡ ଟ୍ରାଫର୍ଡରେ ଖେଳାଯିବ।