କମିଲା ଟେସ୍ଲା ସେୟାର ମୂଲ୍ୟ, ଏଲନ ମସ୍କଙ୍କ ନେଟୱର୍ଥ ୧୨ ବିଲିୟନ ଡଲାର ହ୍ରାସ

Published By : Prameya-News7 Bureau | July 24, 2025 IST

ୱାସିଂଟନ ୨୪।୭:  ଆମେରିକୀୟ ବ୍ୟବସାୟୀ ଏଲନ ମସ୍କଙ୍କ କମ୍ପାନୀ ଟେସ୍ଲାର ସେୟାର ମୂଲ୍ୟରେ ଗୁରୁବାର ହ୍ରାସ ଦେଖାଯାଇଛି। ପ୍ରତି ସେୟାର ୮% ହ୍ରାସ ହୋଇ ୩୦୩ ଡଲାର ଆଖପାଖରେ କାରବାର କରୁଛି। ଏହାର ପ୍ରଭାବ ଏଲନ ମସ୍କଙ୍କ ନେଟୱର୍ଥ ଉପରେ ମଧ୍ୟ ପଡିଛି। ଗୋଟିଏ ଦିନରେ ତାଙ୍କ ନେଟୱର୍ଥ ୧୨ ବିଲିୟନ ଡଲାର ହ୍ରାସ ହୋଇଛି। ଆମେରିକା ସରକାର ଇଲେକ୍ଟ୍ରିକ କାରରେ ଦେଉଥିବା ରିହାତି ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ଟେସ୍ଲାର ସେୟାର ଦର କମିଛି। 

ତେବେ ଏଥି ପାଇଁ ମସ୍କ ପୂର୍ବରୁ ଚେତାବନୀ ଦେଇଥିଲେ। ସେ କହିଥିଲେ ତାଙ୍କ କମ୍ପାନୀ ଟେସ୍ଲାକୁ ଆଗାମୀ ଦିନମାନଙ୍କରେ କିଛି ସମୟ ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ, କାରଣ ଫେଡେରାଲ ଇଲେକ୍ଟ୍ରିକ୍ ବାହନ କର କ୍ରେଡିଟ୍ ଖୁବଶୀଘ୍ର ସମାପ୍ତ ହୋଇଯିବ। ଏହା ପୂର୍ବରୁ ବୁଧବାର ଟେସ୍ଲା ଦ୍ୱିତୀୟ ତ୍ରୈମାସିକର ରିପୋର୍ଟ ଜାରି କରିଥିଲା। ରିପୋର୍ଟରେ ଅଟୋ ମେକର କମ୍ପାନୀ ସବୁଠୁ ଅଧିକ ହ୍ରାସ ରେକର୍ଡ କରିଛି। 

ଏହା ଛଡା ଇଲେକ୍ଟ୍ରିକ୍ କାରକୁ ମିଳୁଥିବା କ୍ରେଡିଟ୍ ବନ୍ଦ ହେବାର ପ୍ରଭାବ ମଧ୍ୟ ସେୟାର ଉପରେ ପଡିଛି। ଟେସ୍ଲା ରେଭିନ୍ୟୁରେ ପାଖାପାଖି ୬୦୦ ମିଲିୟନ ଡଲାର କ୍ଷତି ରେକର୍ଡ କରିଛି। କମ୍ପାନୀର ରେଭିନ୍ୟୁ କମିବା ଯୋଗୁ ନିବେଶକ ସେମାନଙ୍କ ସେୟାର ବିକି ପଇସା କାଢି ନେଉଛନ୍ତି। ଏଣୁ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ହୋଇଛି। ଟେସ୍ଲାରେ ଏଲନ ମସ୍କଙ୍କ ଅଂଶ ପାଖାପାଖି ୧୨% ରହିଛି। ଏଣୁ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ହେବା ଯୋଗୁ ମସ୍କଙ୍କ ନେଟୱର୍ଥ ମଧ୍ୟ ହ୍ରାସ ହୋଇଛି। ଏବେ ମସ୍କଙ୍କ ମୋଟ ନେଟୱର୍ଥ ୧୨୪.୧ ବିଲିୟନ ଡଲାର ହୋଇଯାଇଛି। 

ମସ୍କଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ନୀତିଗତ ବିଧେୟକର ସମ୍ଭାବିତ ପ୍ରଭାବ ସମ୍ପର୍କରେ ପଚରା ଯାଇଥିଲା। ସେ କହିଥିଲେ ଏହା ଦ୍ୱାରା ତାଙ୍କ କମ୍ପାନୀକୁ କିଛି କ୍ୱାର୍ଟର ପର୍ଯ୍ୟନ୍ତ ଅସୁବିଧା ହୋଇ ପାରେ। ଟ୍ରମ୍ପଙ୍କ ନୀତିଗତ ବିଧେୟକରେ ନୂଆ ଇଲେକ୍ଟ୍ରିକ ବାହନ କିଣିଲେ ମିଳୁଥିବା ୭,୫୦୦ ଡଲାର କର ରିହାତି ସମାପ୍ତ ହୋଇଯାଇଛି। ଏହି ନିୟମ ସେପ୍ଚେମ୍ବର ୩୦ ତାରିଖରୁ ଦେଶରେ ପ୍ରଭାବୀ ହେବ। ଏହାର ପରିଣାମ ଏବେ ଟେସ୍ଲାର ତ୍ରୈମାସିକ ଫଳାଫଳ ଉପରେ ପଡିଛି। 

ଫୋର୍ବସ ଅନୁସାରେ ମସ୍କଙ୍କ ମୋଟ ସମ୍ପତ୍ତି ୪୧୪.୯ବିଲିୟନ ଡଲାର। ଏହି ଦୃଷ୍ଟିରୁ ସେ ଏବେ ବିଶ୍ୱର ସବୁଠୁ ଧନାଢ୍ୟ ବ୍ୟକ୍ତି। ତେବେ ତାଙ୍କ କମ୍ପାନୀ ଟେସ୍ଲା ନିମନ୍ତେ ଆଗାମୀ କିଛି ମାସ ଚ୍ୟାଲେଞ୍ଜିଂ ହୋଇ ପାରେ। ତେବେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଟେସ୍ଲା ସେୟାର ମୂଲ୍ୟରେ ପାଖାପାଖି ୧୨% ପର୍ଯ୍ୟନ୍ତ ହ୍ରାସ ହେଲାଣି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.