ଆମେରିକାର ଟ୍ୟାକ୍ସ ବିଲ୍‌କୁ ମସ୍କଙ୍କ ପୁଣି ବିରୋଧ: ଟ୍ରମ୍ପ କହିଲେ, ତାଙ୍କ ଦୋକାନ ବନ୍ଦ ହୋଇଯାଇ ପାରେ

Published By : Prameya-News7 Bureau | July 01, 2025 IST

indiatoday

ୱାଶିଂଟନ ଡିସିଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାକ୍ଷରିତ ଟିକସ ଏବଂ ଖର୍ଚ୍ଚ ଆଇନକୁ ପୁଣିଥରେ ସମାଲୋଚନା କରିଛନ୍ତି ଟେକ୍ ଜାଏଣ୍ଟ ଏଲନ ମସ୍କ। ଏହାକୁ "ଋଣ ଦାଶତ୍ୱର ବିଲ୍" ବୋଲି କହି ସମାଲୋଚନା କରିବା ସହିତ ଯଦି ଏହା ପାରିତ ହୁଏ ତେବେ ସେ ଏହା ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦେବେ। ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଆମେରିକା ପାର୍ଟି’ ଗଠନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏଲନ ମସ୍କ। ଟ୍ରମ୍ପଙ୍କ "ୱାନ ବିଗ୍, ବ୍ୟୁଟିଫୁଲ ବିଲ୍" ଉପରେ ଚୂଡ଼ାନ୍ତ ଭୋଟ୍ ପୂର୍ବରୁ ଏନେଇ ସୋମବାର ଆମେରିକା ସଂସଦରେ ଆଲୋଚନା ହୋଇଥିଲା। ଯାହା ମସ୍କଙ୍କୁ କ୍ଷ୍ୟୁବ୍ଧ କରିଛି। 

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଲନ ମସ୍କଙ୍କ ଟ୍ରମ୍ପଙ୍କୁ ସମର୍ଥନ କରି ତାଙ୍କ ପାଇଁ ପ୍ରଚାର କରିଥିଲେ। ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରିବାକୁ ମସ୍କ ଏକାକୀ $୨୫୦ ମିଲିଅନ ଡଲାର ଦେଇଥିଲେ। ହେଲେ ଏବେ ଟ୍ରମ୍ପ ଆଣିଥିବା ଟିକସ ବିଲକୁ ମସ୍କ ତୀବ୍ର ବିରୋଧ କରୁଛନ୍ତି। ବର୍ତ୍ତମାନ ଦେଶରେ ଯେତେକି ଋଣ ହୋଇଛି, ଏହି ବିଲ୍ ଫଳରେ ଆହୁରି $୩ ଟ୍ରିଲିୟନ ଋଣ ବଢ଼ିଯିବ ବୋଲି ମସ୍କ କହିଛନ୍ତି।

ଏହା ପୂର୍ବରୁ ମସ୍କ ଏହି ବିଲ୍‌ ନେଇ ସୋସିଆଲ୍ ମିଡିଆରେ ବିରୋଧ ପ୍ରଦର୍ଶନ କରି ସାରିଛନ୍ତି। ଏହି ବିଲ ପାସ୍ ହେଲେ ସାଧାରଣ ଆମେରିକୀୟମାନେ ଗୁରୁତର ଭାବରେ କ୍ଷତି ସହିବେ ବୋଲି ମସ୍କ ପୂର୍ବରୁ ସୋସିଆଲ୍ ମିଡିଆରେ ଲେଖିଥିଲେ। ଏଥିପାଇଁ ସେ ସମସ୍ତ ସାଂସଦମାନଙ୍କୁ ଦାୟୀ କରିଥିଲେ। ଆମରିକାର ସରକାରୀ ଖର୍ଚ୍ଚ କମ କରିବାକୁ କହି ନିର୍ବାଚନ ଜିତିଥିବା ଟ୍ରମ୍ପ ତାଙ୍କ କଥାରୁ ଓହରି ଯାଇଛନ୍ତି ବୋଲି ମସ୍କ ଅଭିଯୋଗ କରିଛନ୍ତି। ଋଣ ଏବଂ ଖର୍ଚ୍ଚକୁ ନେଇ ମସ୍କ ଡେମୋ୍କ୍ରାଟିକ୍ ପାର୍ଟି ଏହାର ନେତାମାନଙ୍କ ଉପରେ ତୀବ୍ର ସମାଲୋଚନା କରିଛନ୍ତି। 

ସୂଚନା ଥାଉକି ଏହି ବିଗ୍ ବ୍ୟୁଟିଫୁଲ ବିଲ୍ ପାଇ ଏଲନ ମସ୍କଙ୍କର ଟ୍ରମ୍ପ ସହ ସମ୍ପର୍କ ଖରାପ ହୋଇଥିଲା। ତେବେ ଆରମ୍ଭରେ ଟ୍ରମ୍ପ ସରକାରରେ ଏକ ନୂଆ ଭାବରେ ସୃଷ୍ଟି ହୋଇଥିବା ସରକାରୀ ଦକ୍ଷତା ବିଭାଗର ଏଲନ ମସ୍କଙ୍କୁ ମୁଖ୍ୟ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ସରକାରୀ ଖର୍ଚ୍ଚ ଉପରେ ସାଧାରଣ ମତଭେଦ ପରେ ଶେଷରେ ଉଭୟଙ୍କ ଯୋଡ଼ି ଭାଙ୍ଗି ଯାଇଥିଲା। ମସ୍କ ଡଜ୍‌ରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରି ଆସୁଛନ୍ତି।  

ସେପଟେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ମସ୍କକୁ ଟାର୍ଗେଟ୍ କରିଛନ୍ତି। ଏହି ବିଲ୍ ଯୋଗୁ ହୁଏତ ମସ୍କଙ୍କୁ ଦୋକାନ ବନ୍ଦ କରିବାକୁ ପଡିପାରେ ଏବଂ ଦକ୍ଷିଣ ଆଫ୍ରିକା ଫେରିବାକୁ ପଡିପାରେ ଟ୍ରମ୍ପ କହିଛନ୍ତି। ଟ୍ରମ୍ପ କହିଛନ୍ତି ଏଲୋନ ମସ୍କ ଇତିହାସର ଯେକୌଣସି ମଣିଷ ଅପେକ୍ଷା ଅଧିକ ସବସିଡି ପାଇଛନ୍ତି। ଏହା ବିନା ତାଙ୍କୁ ହୁଏତ ଦୋକାନ ବନ୍ଦ କରି ଘରକୁ ଫେରିବାକୁ ପଡ଼ିପାରେ ବୋଲି ଟ୍ରମ୍ପ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.