ନୂଆଦିଲ୍ଲୀ: ଆତଙ୍କୀ ଉପରେ ଲଗାମ ଲଗାଅ। ପାକିସ୍ତାନକୁ କଡ଼ା ସନ୍ଦେଶ ଦେଲା ଆମେରିକା। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM) ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଆତଙ୍କବାଦୀ ସଂଗଠନକୁ ଘୃଣ୍ୟ ବୋଲି ବର୍ଣ୍ଣନା କରିଛନ୍ତି ଆମେରିକୀୟ ସାଂସଦ ବ୍ରାଡ ଶେର୍ମାନ୍। ଏହି ଗୋଷ୍ଠୀ ୨୦୦୨ରେ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ସାମ୍ବାଦିକ ଡାନିଏଲ୍ ପର୍ଲଙ୍କ ହତ୍ୟା ସମେତ ଅନେକ ଜଘନ୍ୟ ଅପରାଧ ପାଇଁ ଦାୟୀ ବୋଲି ସେ କହିଛନ୍ତି।
ୱାଶିଂଟନରେ ପୂର୍ବତନ ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନେତୃତ୍ୱରେ ପାକିସ୍ତାନୀ ପ୍ରତିନିଧିମଣ୍ଡଳକୁ ଭେଟି ଶର୍ମାନ୍ କହିଛନ୍ତି ଯେ ପାକିସ୍ତାନ ଏହି ଘୃଣ୍ୟ ଆତଙ୍କବାଦୀ ସଂଗଠନକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବା ଏବଂ ଏହି ଅଞ୍ଚଳରେ ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ଲଢ଼ିବା ପାଇଁ ସମସ୍ତ ସମ୍ଭବ ପଦକ୍ଷେପ ନେବା ଉଚିତ।
ପ୍ରକାଶଥାଉକି କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ଏକ ଭାରତୀୟ ପ୍ରତିନିଧିମଣ୍ଡଳ ମଧ୍ୟ ୱାଶିଂଟନରେ ଉପସ୍ଥିତ ଅଛି। ସେମାନେ 'ଅପରେସନ୍ ସିନ୍ଦୁର' ଏବଂ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଆମେରିକୀୟ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି। ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନଙ୍କୁ ଦାୟୀ କରିଛି। ସୀମାପାର ଆତଙ୍କବାଦ ପ୍ରତି ତାର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ଦୋହରାଇଛି।
ବ୍ରାଡ୍ ଶେର୍ମ୍ୟାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ ମୁଁ ପାକିସ୍ତାନୀ ପ୍ରତିନିଧିମଣ୍ଡଳକୁ ଆତଙ୍କବାଦ ବିରୋଧରେ ଲଢ଼େଇର ଗୁରୁତ୍ୱ ବିଷୟରେ କହିଥିଲି, ବିଶେଷକରି ଜୈଶ-ଏ-ମହମ୍ମଦ ଗୋଷ୍ଠୀ ବିରୁଦ୍ଧରେ, ଯାହା ୨୦୦୨ ମସିହାରେ ମୋ ନିର୍ବାଚନମଣ୍ଡଳୀର ବାସିନ୍ଦା ଡାନିଏଲ୍ ପର୍ଲଙ୍କୁ ହତ୍ୟା କରିଥିଲା। ତାଙ୍କ ପରିବାର ଏବେ ବି କାଲିଫର୍ନିଆରେ ରହୁଛନ୍ତି। ଡାନିଏଲ୍ ପର୍ଲଙ୍କୁ ଅପହରଣ ଏବଂ ହତ୍ୟା ମାମଲାରେ ଆତଙ୍କବାଦୀ ଓମାର ସଇଦ ଶେଖଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ଜୈଶ-ଏ-ମହମ୍ମଦକୁ ଜାତିସଂଘ ଦ୍ୱାରା ଏକ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି। ଭାରତରେ ଅନେକ ବଡ଼ ଆକ୍ରମଣ ପାଇଁ ମଧ୍ୟ ଦାୟୀ ବୋଲି ଦାବି କରାଯାଏ।