ବିରାଟଙ୍କୁ ଦେଖିବାକୁ ପାଗଳ : ଗଛରେ ଚଢି ବ୍ୟାଟିଂ ଦେଖିଲେ ଫ୍ୟାନ୍ସ, ପକ୍ଷୀ ବସିବାକୁ ଜାଗା ରହିଲାନି

NEWS7
elephant-cub-falls-into-well-in-kamakshanagar-forest

ବେଙ୍ଗାଲୁରୁ, ୨୫/୧୨: ରନ୍ ମେସିନ ବିରାଟ କୋହଲି । ସାରା ବିଶ୍ୱରେ ତାଙ୍କର ଅଗଣିତ ଫ୍ୟାନ୍ସ । ବିରାଟଙ୍କ ଏକ ଝଲକ ପାଇବାକୁ କୌଣସି ସୁଯୋଗ ହତଛଡା କରନ୍ତି ପ୍ରଶଂସକ । ରନ୍ ମେସିନଙ୍କ ବ୍ୟାଟିଂ ଦେଖିବା ପାଇଁ ଛାଡିଦିଅନ୍ତି ସବୁ କାମ । ସରକାରୀ କଟକଣା ବି କାମ ଦିଏନି । ଯାହା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ଏଠାରେ ବିଜୟ ହଜାରେ ଟ୍ରଫିର ଟୁର୍ଣ୍ଣାମେଣ୍ଟରେ ଜଣେ ଫ୍ୟାନ୍ସ ବିରାଟଙ୍କ ବ୍ୟାଟିଂ ଦେଖିବାକୁ ନିଆରା ଉପାୟ ଅବଲମ୍ବନ କରିଛନ୍ତି । ସେମାନେ ଗଛରେ ଚଢି ବିରାଟଙ୍କ ଝଲକ ପାଇଛନ୍ତି ।

ଚାଲିଛି ବିଜୟ ହଜାରେ ଟ୍ରଫି । ବୁଧବାର ଦିଲ୍ଲୀ ଆନ୍ଧ୍ର ବିପକ୍ଷରେ କର୍ଣ୍ଣାଟକରେ ମୁକାବିଲା ଖେଳିଥିଲା । ମ୍ୟାଚର ଆକର୍ଷଣ ଥିଲେ ବିରାଟ କୋହଲି । ତେବେ ଆଇପିଏଲ ବିଜୟ ଶୋଭାଯାତ୍ରାରେ ଘଟିଥିବା ଦଳାଚକଟା କାରଣରୁ ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ଉପରେ ରୋକ୍ ଲାଗିଥିଲା । ଯାହା ଦର୍ଶକଙ୍କୁ ନିରାଶ କରିଥିଲା । ହେଲେ କିଛି ଦର୍ଶକ ଷ୍ଟାଡିୟମ ପାଖରେ ଥିବା ଗଛରେ ଚଢି ବିରାଟହଙ୍କ ବ୍ୟାଟିଂ ଦେଖିଥିଲେ । ଯାହାର ଫଟୋ ଭାଇରାଲ ହେଉଛି । ଏପରିକି ଗଛରେ ପକ୍ଷୀ ବସିବାକୁ ମଧ୍ୟ ଜାଗା ନଥିଲା ।

 

ବିରାଟ ମଧ୍ୟ ଫ୍ୟାନଙ୍କୁ ନିରାଶ କରିନଥିଲେ । ସେ ଦମଦାର ବ୍ୟାଟିଂ କରି ଶତକ ହାସଲ କରିଥିଲେ । କିନ୍ତୁ ଏଥର ଶତକ ଥିଲା ଖୁବ୍ ନିଆରା । କାରଣ ଦୀର୍ଘ ୧୭ ବର୍ଷ ପରେ ସେ ବିଜୟ ହଜାରେ ଟ୍ରଫିରେ ନଜର ଆସିଛନ୍ତି । ହେଲେ ଏଥର ସେ କ୍ରିଜକୁ ଯିବା ବେଳେ ବିରାଟ ବିରାଟ ନାରା ଶୁଣିବାକୁ ମିଳିନଥିଲା । ସେ ସଟ୍ ଖେଳିଲେ ବି ଗ୍ୟାଲେରୀରେ ତାଳିମାଡ ହେଉନଥିଲା ।

ସୂଚନାଯୋଗ୍ୟ, ବିସିସିଆଇର ନିର୍ଦ୍ଦେଶ କାରଣରୁ ରୋହିତ ଶର୍ମା ଏବଂ ବିରାଟଙ୍କ ଭଳି ବ୍ୟାଟର ଘରୋଇ ମୁକାବିଲା ଖେଳୁଛନ୍ତି । ସେମାନେ ୨୦୨୭ ଦିନିକିଆ ପାଇଁ ଏବେଠୁ ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି ।