ଇରାନରେ ଗୃହଯୁଦ୍ଧ ପାଇଁ ଟ୍ରମ୍ପଙ୍କ ଉଦ୍ୟମ, ବିଦ୍ରୋହୀଙ୍କୁ ବନ୍ଧୁକ ଯୋଗାଉଛି CIA

NEWS7
elelction-news-update

ତେହେରାନ, ୦୪ /୦୩: ଇରାନ ଅଶାନ୍ତ । ସବୁ ଆଡେ ମିସାଇଲ୍ ମାଡ଼ । ଆମେରିକା ଏବଂ ଇସ୍ରାଏଲ ଘନଘନ ମିସାଇଲ୍ ଏବଂ ଡ୍ରୋନ୍ ଆଟାକ୍ କରୁଛନ୍ତି । ଏସବୁ ଭିତରେ ସାମ୍ନାକୁ ଆସିଛି ବଡ ଖବର । ଇରାନ ସରକାରଙ୍କ ବିରୋଧୀ ଗୋଷ୍ଠୀଙ୍କୁ ଆମେରିକାର ଗୁଇନ୍ଦା ସଂସ୍ଥା ସହଯୋଗ କରୁଥିବା ଜଣାପଡିଛି । ଏପରିକି ବିଦ୍ରୋହୀ ଗୋଷ୍ଠୀକୁ ଗୁଇନ୍ଦା ସଂସ୍ଥା ସିଆଇଏ ଅସ୍ତ୍ରଶସ୍ତ୍ର ପ୍ରଦାନ କରୁଛି ।

ସୂତ୍ରାନୁସାରେ, ଦୀର୍ଘଦିନ ଧରି ସିଆଇଏ ଇରାନକୁ ଅସ୍ଥିର କରିବାକୁ ଚାହୁଁଥିଲା । ଖାମେନିଙ୍କ ନେତୃତ୍ୱକୁ କିପରି ହଟାଯାଇପାରିବ ସେନେଇ ଅଭିଯାନ ଆରମ୍ଭ କରାଯାଇଥିଲା । ଖାମେନି ବିରୋଧୀ ଶକ୍ତିଙ୍କୁ ୟୁଏସ ସଂସ୍ଥା ଆର୍ଥିକ ଏବଂ ସାମରିକ ସହଯୋଗ କରୁଥିଲା। ତେବେ ଏନେଇ ସିଆଇଏ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।

ଟ୍ରମ୍ପ ପ୍ରଶାସନର ଆଲୋଚନା

ରିପୋର୍ଟ ଅନୁସାରେ, ଟ୍ରମ୍ପ୍ ପ୍ରଶାସନ ଇରାନ ବିପକ୍ଷ ନେତା ଏବଂ କିଛି ଗୋଷ୍ଠୀଙ୍କ ସହ ଲଗାତାର ଆଲୋଚନା କରୁଛି । ଏହି ସବୁ ଗୋଷ୍ଠୀଙ୍କୁ ଆମେରିକା ସୈନ୍ୟ ସହାୟତା ଦେବାକୁ ପ୍ରସ୍ତୁତ ଅଛି । ଇରାକର କୁର୍ଦିସ୍ତାନରେ ଥିବା କିଛି ଗୋଷ୍ଠୀ ଆମେରିକା ଦ୍ୱାରା ପରିଚାଳିତ ହେଉଛନ୍ତି । ସେମାନଙ୍କ ପାଖରେ ବିପୁଳ ଅସ୍ତ୍ରଶସ୍ତ୍ର ରହିଛି । କୁର୍ଦିସ୍ତାନର କିଛି ସଦସ୍ୟ ଇରାନର ଯବାନଙ୍କୁ ସେମାନଙ୍କ ସହ ସାମିଲ ହେବାକୁ ଅପିଲ କରୁଛନ୍ତି ।

ଅନ୍ୟ କିଛି ରିପୋର୍ଚ ଅନୁସାରେ, ମଙ୍ଗଳବାର ଟ୍ରମ୍ପ୍ କୁର୍ଦିସ୍ତାନର ମୁସ୍ତାଫା ହିଜରୀଙ୍କ ସହ କଥା ହୋଇଥିଲେ । ଇରାନରେ ଅଧିକ ଅସ୍ଥିରତା ସୃଷ୍ଟି କରି ପାଇଁ ଟ୍ରମ୍ପ୍ ମୁସ୍ତାଫାଙ୍କ ସହ ହାତ ମିଳାଇଛନ୍ତି । ଇରାନରେ ସରକାର ପରିବର୍ତ୍ତନ ପାଇଁ ଏହା ପ୍ରକୃଷ୍ଟ ସମୟ । କୁର୍ଦିସ୍ତାନୀ ନେତାଙ୍କୁ ଇସ୍ରାଏଲ ସମର୍ଥନ କରୁଛି । ତେବେ ଏନେଇ ଇସ୍ରାଏଲ ପକ୍ଷରୁ ବିଧିବଦ୍ଧ ଭାବେ କିଛି କୁହାଯାଇ ନାହିଁ ।

ଅନ୍ୟ ଦିଗରେ ଇରାନ କୁର୍ଦିସ୍ତାନ ଅଞ୍ଚଳରେ ଆକ୍ରମଣ ଜାରି ରଖିଛି । ଦେଶବିରୋଧି ତତ୍ତ୍ୱଙ୍କୁ ଟାର୍ଗେଟ୍ କରାଯାଉଛି । ସମ୍ଭାବ୍ୟ ବିଦ୍ରୋହକୁ ରୋକିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କୁହାଯାଉଛି ।