ଭୁବନେଶ୍ବର ୧୬/୫: ଖଲ୍ଲିକୋଟରେ ନିର୍ବାଚନୀ ହିଂସାରେ ୪ ଜଣ ଗୁରୁତରଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି । ମୃତକ ଶ୍ରୀକୃଷ୍ଣ ଶରଣପୁର ଗାଁର ବିଜେପି କର୍ମୀ ଦିଲ୍ଲୀପ ପାହାନ । ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଖଲ୍ଲିକୋଟ ଥାନା ସମ୍ମୁଖ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କ ଘର ଆଗରେ ଥିବା ୩ଟି କାର ଓ ବାଇକ ଭଙ୍ଗାରୁଜା କରିଛନ୍ତି । କୌଣସି ଅଘଟଣ ଆଶଙ୍କାରେ ଘଟଣାସ୍ଥଳରେ ଖଲ୍ଲିକୋଟ ପୋଲିସ ମୁତୟନ ଅଛନ୍ତି । ବୁଧବାର ବିଳମ୍ବିତ ରାତିରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ୨ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇ ୪ ଜଣ ଗୁରୁତର ହୋଇଥିଲେ । ସମସ୍ତେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଗୁରୁବାର ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କର ମୃତ୍ୟୁ ହୋଇଛି ।
ସେପଟେ ଖଲ୍ଲିକୋଟର ନିର୍ବାଚନୀ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । କହିଛନ୍ତି ନିର୍ବାଚନ ସମୟରେ ହିଂସାକୁ ବରଦାସ୍ତ କରାଯିବନି । ଗଞ୍ଜାମରେ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ ।