UPSC 2025 ରେଜଲ୍ଟରେ ବଢିଛି ପୁରୁଣା ବର୍ଷର ସଫଳ ପ୍ରାର୍ଥୀଙ୍କ ସଂଖ୍ୟା, ୧୩୦ ରାଙ୍କରେ ଅଛନ୍ତି ୩୯ ଜଣ

NEWS7
elder-brother-beats-younger-brother-to-death-in-khallikote

ନୂଆଦିଲ୍ଲୀ ୬।୩: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ସିଭିଲ ସର୍ଭିସ ପରୀକ୍ଷା ୨୦୨୫ର ଚୂଡ଼ାନ୍ତ ରେଜଲ୍ଟ ଘୋଷଣା ହୋଇ ଯାଇଛି। ଏଥରର ଟପ ରାଙ୍କିଙ୍ଗରେ ଏକ ରୋଚକ କଥା ସାମ୍ନାକୁ ଆସିଛି। ଏଥିରେ ଏପରି ଅନେକ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ପୂର୍ବରୁ ସିଭିଲ ସର୍ଭିସରେ ସଫଳତା ପାଇଥିଲେ। ଏମାନଙ୍କ ମଧ୍ୟରୁ ୩୯ଜଣ ପ୍ରାର୍ଥୀଙ୍କ ରାଙ୍କ ୧୩୦ ମଧ୍ୟରେ ରହିଛି। ଏଣୁ ସେମାନେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ପାଇବାର ସମ୍ଭାବନା ବଢି ଯାଇଛି। ଏମାନେ ସମସ୍ତେ ପିଛିଲା ୨୦୨୩ ଓ ୨୦୨୪ ଫାଇନାଲ ଲିଷ୍ଟରେ ମଧ୍ୟ ଥିଲେ।

ଅନେକ ପ୍ରାର୍ଥୀ ପ୍ରଥମ ପ୍ରୟାସରେ ଆଇପିଏସ୍, ଆଇଆରଏସ୍ ଅଥବା ଅନ୍ୟ ଗ୍ରୁପ-ଏ ସେବା ଲାଗି ଉତୀର୍ଣ୍ଣ ହୋଇଯାଇଥାନ୍ତି, ହେଲେ ଆଇଏଏସ ପାଇ ନଥିବାରୁ ସନ୍ତୁଷ୍ଟ ହୋଇ ନଥାନ୍ତି। ଏଣୁ ସେମାନେ ପ୍ରାୟତଃ ପରବର୍ତ୍ତି ବର୍ଷ ପୁଣି ପରୀକ୍ଷା ଦେଇଥାନ୍ତି ଓ ଭଲ ରାଙ୍କ ଆଣି ଆଇଏଏସ ହେବାକୁ ଚେଷ୍ଟା କରିଥାନ୍ତି। ଏହାକୁ ‘ରାଙ୍କ ଇମ୍ପ୍ରୁଭମେଣ୍ଟ’ କୁହାଯାଏ। ଏଥର ୟୁପିଏସସି ରେଜଲ୍ଟରେ ଏପରି ୩୯ ଜଣ ଅଛନ୍ତି ଯେଉଁମାନେ ସେମାନଙ୍କ ରାଙ୍କ ସୁଧାର କରିଛନ୍ତି। ଉଦାହରଣ ରୂପେ ଗତବର୍ଷ ତୃତୀୟ ସ୍ଥାନ ପାଇଥିବା ଆକାଙକ୍ଷା ଧୂଲ ଗତ ୨ ବର୍ଷ ହେଲା ଲିଷ୍ଟରେ ଥିଲେ। ୨୦୨୩ରେ ତାଙ୍କୁ ୩୪୨ ରାଙ୍କ ଓ ୨୦୨୪ରେ ୨୯୫ ରାଙ୍କ ମିଳିଥିଲା ।

ସେହିପରି ଇଶାନ ଆସ୍ଥା ଜୈନ, ଜୀନଶ୍ରୀ ଯଶବନ୍ତ ଚନ୍ଦ୍ର ଓ ଭିନିତ ଲୋହିଦକ୍ଷନଙ୍କ ଭଳି ଅନେକ ନାମ ପୁଣି ସାମ୍ନାକୁ ଆସିଛି। ଏବେ ସୋସିଆଲ ମିଡିଆରେ ଏହି ଟ୍ରେଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ୟୁପିଏସସି ନୂଆ ନିୟମ ଲାଗୁ କରିଛନ୍ତି, ଯାହା ରାଙ୍କ ସୁଧାର ପ୍ରକ୍ରିୟାକୁ ସୀମିତ କରୁଛି। ଏବେ ଯଦି କୌଣସି ପ୍ରାର୍ଥୀ ପୂର୍ବରୁ ଆଇଏଏସ ଅଥବା ଆଇଏଫଏସ ପାଇଛନ୍ତି ସେ ଇସ୍ତଫା ନ ଦେଇ ଦ୍ୱିତୀୟବାର ପରୀକ୍ଷା ଦେଇ ପାରିବେନି। ଆଇପିଏସ ଅଥବା ଅନ୍ୟ ଗ୍ରୁପ-ଏ ସେବାରେ ମନୋନୀତ ପ୍ରାର୍ଥୀଙ୍କୁ କେବଳ ଥରଟିଏ ରାଙ୍କ ସୁଧାରର ଅବସର ମିଳିବ। ଏହା ପରବର୍ତ୍ତି ପ୍ରୟାସ ନିମନ୍ତେ ତାଙ୍କୁ ଇସ୍ତଫା ଦେବାକୁ ପଡିବ।

ଆଗରୁ ଅନେକବାର ଚୟନିତ ପ୍ରାର୍ଥୀ ପରୀକ୍ଷା ଦେଇ ଆଇଏଏସ ହୋଇଯାଉଥିଲେ। ଏହା ଦ୍ୱାରା ନୂଆ ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କ ଲାଗି ସିଟ୍ କମି ଯାଉଛି। ଏବେର ନୂଆ ପ୍ରଣାଳୀ ଅଧିକ ନିରପେକ୍ଷ ଲାଗୁଛି। ଏହି ଟ୍ରେଣ୍ଡ ଏହା ଦର୍ଶାଉଛି ୟୁପିଏସସି ପରୀକ୍ଷା କେତେ କଷ୍ଟକର। ଅନେକ ଲୋକ ଦୀର୍ଘ ବର୍ଷ ପରିଶ୍ରମ କରୁଛନ୍ତି ଓ ଭଲ ସର୍ଭିସ ପାଇବା ପାଇଁ ରିସ୍କ ମଧ୍ୟ ନେଉଛନ୍ତି। ହେଲେ ନୂଆ ନିୟମରେ ଫ୍ରେସର ପ୍ରାର୍ଥୀଙ୍କୁ ଅଧିକ ଅବସର ମିଳି ପାରିବ। ୟୁପିଏସସି ୨୦୨୫ ରେଜଲ୍ଟରେ ମୋଟ ୯୫୮ ପ୍ରାର୍ଥୀଙ୍କୁ ବିଭିନ୍ନ ସେବା ଲାଗି ମନୋନୀତ କରାଯାଇଛି। ଏଥିରେ ଅନେକ ପୁରୁଣା ମନୋନୀତଙ୍କୁ ରାଙ୍କ ସୁଧାର ଯୋଗୁ ଆଇଏଏସ ହେବାର ସୁଯୋଗ ମିଳିବ।