ସଫଳ ହେଲା ଓଡ଼ିଆ ଭାଷା ପାଇଁ ନ୍ୟୁଜ 7ର କ୍ୟାମ୍ପେନ, ଖବର ପ୍ରସାରଣ ପରେ ଆକ୍ସନ ମୋଡ଼ରେ ସରକାର

NEWS7
due-to-lack-of-teachers-the-students-protested-by-locking-the-school

ଭୁବନେଶ୍ଵର: ସରକାରୀ କାମ ଓଡ଼ିଆରେ ହେବାକୁ ନେଇ ସରକାର ଅନେକ ସମୟରେ ଘୋଷଣା କରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉ ନଥିଲା । ଯାହାକୁ ନେଇ ନ୍ୟୁଜ 7 ବାରମ୍ବାର ଖବର ପ୍ରସାରଣ କରିଛି। ହେଲେ ସରକାର କାହିଁକି ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି ବୋଲି ପ୍ରଶ୍ନ ଉଠିଛି। ଏବେ ସରକାର ଓଡ଼ିଆ ଭାଷାରେ ସରକାରୀ କାମ କରିବାକୁ ଚିଠି ଲେଖିବା ସହ ପାଳନ ନ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି।

ସଫଳ ହେଲା ଓଡ଼ିଆ ଭାଷା ପାଇଁ ନ୍ୟୁଜ 7ର କ୍ୟାମ୍ପେନ । ଲଗାତର ଖବର ପ୍ରସାରଣ ପରେ ଆକ୍ସନକୁ ଆସିଲେ ସରକାର । ଓଡ଼ିଆରେ ସରକାରୀ ଚିଠି ଲେଖିବା ଏଣିକି ବାଧ୍ୟତା ମୂଳକ । ଦେଖନ୍ତୁ ଏ ହେଉଛି ସେହି ସରକାରୀ ନିର୍ଦ୍ଦେଶନାମା। ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବାକୁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଚିଠି ହୋଇଛି । ପଂଚାୟତ ସ୍ତରରୁ ନେଇ ଲୋକସେବା ଭବନ ପର୍ଯ୍ୟନ୍ତ ଏଣିକି ସବୁ କାମ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ପାଳନ କରିବାକୁ ସରକାରୀ ସ୍ତରରେ କଡା ଚେତାବନୀ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । ସରକାରୀ କାର୍ଯ୍ୟରେ ଓଡ଼ିଆର ପ୍ରୟୋଗକୁ କିପରି ସୁଗମ କରିହେବ ସେନେଇ ଚେଷ୍ଟା ଚାଲିଛି, ୭ଟି କର୍ମଶାଳା କରିସାରିଲୁଣି ବୋଲି ସେ କହିଛନ୍ତି। ୉

ଦର୍ଶକ ବନ୍ଧୁ ସରକାରୀ ସ୍ତରରେ ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟ କରିବା ପାଇଁ ନ୍ୟୁଜ ସେଭେନ ଲମ୍ବା କ୍ୟାମ୍ପେନ କରିଥିଲା। ୩୦ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ସ୍ଥିତି ଦେଖାଇବା ସହ ସଚେତନତା ସୃଷ୍ଟି କରିଥିଲା। ଓଡ଼ିଆରେ ସରକାରୀ କାର୍ଯ୍ୟ କରାଇବା ପାଇଁ ୨୦୧୬ ମସିହାରୁ ନିର୍ଦ୍ଦେଶ ରହିଛି। ଏପରିକି ମୋହନ ସରକାର ମଧ୍ୟ ୨୦୨୫ ଜୁଲାଇ ୨ରେ ସାନି ନିର୍ଦ୍ଦେଶନାମା ଜାରି କରିଥିଲେ। ଏହା ସତ୍ତ୍ବେ ବି ପ୍ରଶାସନିକ ସ୍ତରରେ ଏହା କେମିତି ପାଳନ କରାଯାଉନଥିଲା ସେ ସଂପର୍କିତ ଗ୍ରାଉଣ୍ଡ ରିପୋର୍ଟ ନ୍ୟୁଜ 7 ଟିମ୍ ଦେଖାଇଥିଲା।

ଗତ ରବିବାର ମଧ୍ୟ ଏ ବାବଦରେ ଖବର ପ୍ରସାରଣ କରିଥିଲା ନ୍ୟୁଜ 7। ପୁରୁଣା ନିର୍ଦ୍ଦେଶ ଥିବା ସତ୍ତ୍ବେ ସରକାରୀ ଉଦାସିନତା କାହିଁକି ବୋଲି ଏନେଇ ଭାଷାବିତ ପ୍ରଶ୍ନ କରିଛନ୍ତି। କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବାକୁ ଆନ୍ତରିକତା ଦେଖାଉ ନାହାନ୍ତି, ଏବେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ଦରକାର ବୋଲି ଜୋର ଦେଇଛନ୍ତି। ସେପଟେ ବିଜେଡି ସରକାରଙ୍କ ଆନ୍ତରିକାତା ଉପରେ ପ୍ରଶ୍ନ ଉଠାଇଛି।

କେବଳ ଏତିକି ନୁହେଁ ସବୁ ବ୍ୟବସାୟୀକ ପ୍ରତିଷ୍ଠାନର ସାଇନ ବୋର୍ଡ ମଧ୍ୟ ଓଡ଼ିଆରେ ଲେଖିବାକୁ ବାଧ୍ୟତା ମୂଳକ କରାଯାଇଛି । ଏବେ ଦେଖିବାକୁ ବାକି ରହିଲା କହ ଓଡ଼ିଆ ଲେଖ୍ ଓଡ଼ିଆ ଖାଲି କଥାରେ ରହିବ ନାଁ ଏଥର ଲେଖାରେ ବି ଚାଲିବ।