ଏଆଇ ସମିଟ୍‌ରେ ହଙ୍ଗାମା, ସାର୍ଟ ଖୋଲି ପ୍ରତିବାଦ କରୁଥିବା ନେତାଙ୍କୁ ବାନ୍ଧିଲା ପୋଲିସ

NEWS7
due-to-domestic-violence-minor-write-letter-to-president-for-will-to-die

ନୂଆଦିଲ୍ଲୀ: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ରେ ସାର୍ଟଲେସ୍ ପ୍ରତିବାଦରେ ଦିଲ୍ଲୀ ପୋଲିସ ସମସ୍ତ ଚାରି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ସମସ୍ତେ ଭାରତୀୟ ଯୁବ କଂଗ୍ରେସର ନେତା । ପୋଲିସ ସେମାନଙ୍କୁ ପଟିଆଲା ହାଉସ୍ କୋର୍ଟରେ ହାଜର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ଦିଲ୍ଲୀ ପୋଲିସ କହିଛି ଯେ, ପ୍ରଦର୍ଶନକାରୀମାନେ ପୋଲିସ ସହିତ ଧସ୍ତାଧସ୍ତି କରିଥିଲେ। ଏଫଆଇଆରରେ ସାର୍ବଜନୀନ ସ୍ଥାନରେ ଅଶ୍ଳୀଳତା, ପୋଲିସକୁ ଆକ୍ରମଣ ଏବଂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କରିବା ଭଳି ଅନେକ ଗମ୍ଭୀର ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନେ ପୂର୍ବରୁ ସମ୍ମିଳନୀର ହଲ୍ ନମ୍ବର ୫ରେ ପ୍ରବେଶ କରିବା ପାଇଁ ଏକ QR କୋଡ୍ ତିଆରି କରିଥିଲେ ଏବଂ ସ୍ୱେଟର ତଳେ ସେମାନଙ୍କର ଟି-ସାର୍ଟ ଲୁଚାଇ ଭିତରକୁ ପଶିଯାଇଥିଲେ।

ପୋଲିସ କହିଛି, ଏହି ଘଟଣା ପୂର୍ବ ଯୋଜନାବଦ୍ଧ ବୋଲି ମନେ ହେଉଛି। ଏସିପି କହିଛନ୍ତି, ନିଶ୍ଚିତ ଭାବରେ, ଯଦି କିଛି ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇ ଏପରି ପ୍ରତିବାଦ କରନ୍ତି, ତେବେ ପୂର୍ବ ଯୋଜନା ବିନା ଏହା ସମ୍ଭବ ହେବ ନାହିଁ। ଆମେ ଏହାର ତଦନ୍ତ କରୁଛୁ। ଏହା ପଛରେ ଥିବା ଷଡ଼ଯନ୍ତ୍ର ସଂପର୍କରେ ତଦନ୍ତ କରୁଛି ପୋଲିସ । ପ୍ରତିବାଦ କେବଳ କିଛି ଲୋକଙ୍କର କାର୍ଯ୍ୟ ଥିଲା ନା ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା,  ସେନେଇ ପୋଲିସ ଛାନଭିନ ଆରମ୍ଭ କରିଛି ।

ଫେବୃଆରୀ ୨୦ (ଶୁକ୍ରବାର) ଦିନ ପ୍ରାୟ ୧୨:୩୦ ସମୟରେ ଭାରତ ମଣ୍ଡପମର ପ୍ରଦର୍ଶନୀ ହଲରେ ଏହି ଘଟଣା ଘଟିଥିଲା । ଯୁବ କଂଗ୍ରେସର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ବିରୋଧରେ ପ୍ରତିବାଦ କରିଥିଲେ । 

କଂଗ୍ରେସ ନେତାମାନେ  ‘ପ୍ରଧାନମନ୍ତ୍ରୀଙ୍କ ସହ ବୁଝାମଣା ହୋଇଛି’, ‘ଏପଷ୍ଟିନ୍ ଫାଇଲ୍ସ,’ ଏବଂ ‘ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି’ ଭଳି ସ୍ଲୋଗାନ ଲେଖାଥିବା ଟି-ସାର୍ଟ ପିନ୍ଧିଥିଲେ। ସେମାନେ ସେମାନଙ୍କର ସାର୍ଟ ଓହ୍ଲାଇ ପ୍ରତିବାଦ କରିଥିଲେ ।  ସ୍ଲୋଗାନ ଦେଇଥିଲେ ଏବଂ ହଙ୍ଗାମା କରିଥିଲେ । ଫଳରେ ଉପସ୍ଥିତ ଅନ୍ତର୍ଜାତୀୟ ପ୍ରତିନିଧି ଏବଂ ଅତିଥିମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।