ନୂଆଦିଲ୍ଲୀ : କୁକୁରଙ୍କୁ ନେଇ ଆସିଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଚିନ୍ତା ବ୍ୟକ୍ତ କରିଛନ୍ତି।ସେ କହିଛନ୍ତି ଯେ, ଏଥିରେ ପଶୁଙ୍କ ସହ ଅମାନବୀୟ ବ୍ୟବହାର କରାଯିବ। ସେ କହିଛନ୍ତି କୁକୁରଙ୍କ ପ୍ରତି ଏଭଳି ବର୍ବରତା ଠିକ୍ ନୁହେଁ। ଏହା ପୂର୍ବରୁ ରାୟବରେଲୀ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ କୋର୍ଟଙ୍କ ନିଷ୍ପତ୍ତିରେ ଦୟାର ଅଭାବ ଥିବାର କଥା କହିଥିଲେ।
ପ୍ରିୟଙ୍କା ଗାନ୍ଧୀ ଏକ୍ସରେ ଲେଖିଛନ୍ତି , କିଛି ସପ୍ତାହ ଭିତରେ ସହରର ସବୁ କୁକୁରଙ୍କୁ ଆଶ୍ରୟସ୍ଥଳୀକୁ ନେଇ ଯିବାରେ ତାଙ୍କ ସହ ଅମାନବୀୟ ବ୍ୟବହାର ହେବ। ଏମିତିକି ସେମାନଙ୍କୁ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଆଶ୍ରୟସ୍ଥଳୀ ମଧ୍ୟ ନାହିଁ। ସହରାଞ୍ଚଳ ଗୁଡ଼ିକରେ ପ୍ରାଣୀଙ୍କ ସହ ନିଷ୍ଠୁରତା ଓ ଭୁଲ ବ୍ୟବହାର ହେଉଛି। ଏହି ସ୍ଥିତିରୁ ବର୍ତ୍ତିବାର ନିଶ୍ଚିତ ହିଁ କିଛି ଭଲ ଉପାୟ ଥିବ, ଯେଉଁଠି ଏହି ନିରୀହ ପଶୁଙ୍କ ଯତ୍ନ ନିଆଯାଉ ଏବଂ ସୁରକ୍ଷିତ ମଧ୍ୟ ରଖାଯାଉ।
ସେ କହିଛନ୍ତି, କୁକୁର ସବୁଠୁ ସୁନ୍ଦର ଓ କୋମଳ ପ୍ରାଣୀ ହୋଇଥାନ୍ତି। ସେମାନେ ଏହି ପ୍ରକାରର ନିଷ୍ଠୁରତାର ଯୋଗ୍ୟ ନୁହଁନ୍ତି।
ରାହୁଲ କହିଥିଲେ , ଦିଲ୍ଲୀ – ଏନସିଆରରୁ ସବୁ ବୁଲା କୁକୁରଙ୍କୁ ହଟେଇବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନେକ ଦଶନ୍ଧରୁ ଚାଲି ଆସୁଥିବା ମାନବୀୟ , ବିଜ୍ଞାନ-ସମର୍ଥିତ ନୀତିରୁ ଗୋଟେ ପାଦ ପଛରେ। ସେ କହିଥିଲେ – ଏହି ଜୀବ କୌଣସି ସମସ୍ୟା ନୁହେଁ ଯାହାକୁ ଦୂର କରିବାକୁ ପଡ଼ିବ।
ରାହୁଲ କହିଥିଲେ, ଆଶ୍ରୟ ସ୍ଥଳ , ବନ୍ଧ୍ୟାକରଣ , ଟୀକାକରଣ ଓ କମ୍ୟୁନିଟି କେୟାର ବିନା ନିଷ୍ଠୁରତାରେ ରାସ୍ତାକୁ ନିରାପଦ ରଖି ପାରିବା। କିନ୍ତୁ ସେମାନଙ୍କୁ ସଂପୂର୍ଣ୍ଣ ରୂପେ ହଟେଇ ଦେବା ନିଷ୍ଠୁରତା ପୂର୍ଣ୍ଣ କାର୍ଯ୍ୟ ଓ ଅଦୂରଦର୍ଶୀ ଏବଂ ଯେଉଁଥିରେ ଦୟାର ଅଭାବ ରହିଛି। କଂଗ୍ରେସର ଏହି ପୂର୍ବତନ ଅଧ୍ୟକ୍ଷ କହିଥିଲେ , ଆମେ ଏହା ସୁନିଶ୍ଚିତ କରି ପାରିବା ଯେ, ଜନ ସୁରକ୍ଷା ଓ ପଶୁ କଲ୍ୟାଣ ଏକାଠି ହୋଇ ପାରିବ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ସମୟାନୁସାରେ କୁକୁରମାନଙ୍କର ଆଶ୍ରୟସ୍ଥଳୀକୁ ବୃଦ୍ଧି କରିବାକୁ ହେବ। କୋର୍ଟ ଦିଲ୍ଲୀର ଅଧିକାରୀଙ୍କୁ ୬ରୁ ୮ ସପ୍ତାହ ଭିତରେ ପାଖାପାଖି ୫୦୦୦ କୁକୁରଙ୍କ ରହିବା ଯୋଗ୍ୟ ଆଶ୍ରୟସ୍ଥଳ ତିଆରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଚାରପତି ଜେବି ପାର୍ଦିୱାଲା ଓ ବିଚାରପତି ଆର୍ ମହାଦେବନଙ୍କ ଖଣ୍ଡପୀଠ ଅନେକ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶର ପାଳନରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବ୍ୟକ୍ତି ବା ସଂଗଠନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ଏହି ସ୍ଥିତିରେ କୋର୍ଟ ବ୍ୟକ୍ତି ବା ସଙ୍ଗଠନ ବିରୋଧରେ ଅବମାନନା ମାମଲା ମଧ୍ୟ ଆରମ୍ଭ କରି ପାରନ୍ତି।