ବିପତ୍ତି ଆସିବା ପୂର୍ବରୁ ଜାଣିଦେଲା କୁକୁର, ବଞ୍ଚାଇଲା ୬୭ ଜଣଙ୍କ ଜୀବନ

Published By : Prameya-News7 Bureau | July 09, 2025 IST

News7

ନୂଆଦିଲ୍ଲୀ: ବିପର୍ଯ୍ୟୟ ଆସିବା ପୂର୍ବରୁ ଜାଣିପାରନ୍ତି ପଶୁ। ମଣିଷଙ୍କୁ ଦିଅନ୍ତି ସଙ୍କେତ। ଆଜି ସତ ପ୍ରମାଣିତ ହୋଇଛି ଏହି ଲୋକକଥା। ବିପତ୍ତି ଆସିବା ପୂର୍ବରୁ ଜଣାଇଦେଇଛି କୁକୁର। ବଞ୍ଚାଇଦେଇଛି ୬୭ ଜଣଙ୍କ ଜୀବନ। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏକ ଭୟଙ୍କର ରାତି ଅନେକଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଇଛି। କୁକୁରର ଚେତାବନୀ ଲୋକଙ୍କ ପାଇଁ ଜୀବନ ରକ୍ଷାକାରୀ ପ୍ରମାଣିତ ହୋଇଛି। ଜୀବନ ରକ୍ଷା କରି କୁକୁର ପାଲଟିଛି ଦେବଦୂତ।

ଜୁନ୍ 30 ତାରିଖ।  ସମୟ ପ୍ରାୟ ରାତି ୧୨ଟା। ଗଭୀର ନିଦ୍ରାରେ ଶୋଇପଡିଥାଆନ୍ତି ସିୟାଥି ଗାଁର ଲୋକେ। ସେହି ଗ୍ରାମର ଜଣେ ବାସିନ୍ଦା ନରେନ୍ଦ୍ରଙ୍କ ପୋଷା କୁକୁର ଘରର ଦ୍ୱିତୀୟ ମହଲାରେ ଶୋଇଥାଏ। କିନ୍ତୁ ବିପଦ ଅନୁଭବ କରି ସେ ଜୋରରେ ଭୁକିବା ଆରମ୍ଭ କଲା। ଶବ୍ଦ ଶୁଣି ନରେନ୍ଦ୍ର ଉଠିପଡ଼ିଲେ। ଦେଖିଲେ ଯେ ଘରର କାନ୍ଥରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ପାଣି ଭିତରକୁ ପ୍ରବେଶ କରିବାକୁ ଲାଗିଛି। ସେ ତୁରନ୍ତ ପରିସ୍ଥିତି ବୁଝିପାରି ସାରା ଗାଁକୁ ତୁରନ୍ତ ସତର୍କ କରିବା ପାଇଁ ଦୌଡ଼ିବାକୁ ଲାଗିଲେ।

ଗୋଟିଏ ମୁହୂର୍ତ୍ତ ସମୟ ନଷ୍ଟ ନକରି ନରେନ୍ଦ୍ର ପାଖ ଘରର ଲୋକମାନଙ୍କୁ ଉଠାଇ ଘର ଖାଲି କରିବାକୁ କହିଲେ। କିଛି ମିନିଟ୍ ମଧ୍ୟରେ ଏକ ବଡ଼ ଭୂସ୍ଖଳନ ଘଟିଲା। ଯାହା ଫଳରେ ଗାଁର ୧୨ରୁ ଅଧିକ ଘର ମାଟି ତଳେ ଦବିଗଲା। କିନ୍ତୁ ନରେନ୍ଦ୍ରଙ୍କ ପୋଷା କୁକୁରର ସତର୍କତା ଯୋଗୁଁ ଗାଁର ୬୭ ଜଣ ଲୋକ ସମୟ ମଧ୍ୟରେ ସୁରକ୍ଷିତ ଭାବରେ ବାହାରକୁ ଆସିପାରିଲେ। ଏବେ ଗାଁର ୫ ଘରକୁ ଛାଡ଼ିଦେଲେ ବାକି ସବୁ ମାଟିରେ ପୋତି ହୋଇଯାଇଛି। ଗତ ୭ ଦିନ ହେବ ୨୦ ପରିବାରର ୬୭ ଜଣ ସଦସ୍ୟ ତ୍ରିୟମବାଲା ମନ୍ଦିରରେ ନୈନା ଦେବୀ ମନ୍ଦିରରେ ଆଶ୍ରୟ ନେଇଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ସମସ୍ତେ କୁକୁରକୁ ହିରୋ ବୋଲି କହୁଛନ୍ତି। 

ହିମାଚଳ ପ୍ରଦେଶରେ ଲଗାତାର ବର୍ଷା ଏବଂ ଭୂସ୍ଖଳନ ସମଗ୍ର ରାଜ୍ୟରେ ବିନାଶ ଘଟାଇଛି। ସରକାରୀ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ୨୨୫ ଘର, ୨୪୩ ଗୁହାଳ, ୧୪ ସେତୁ ଏବଂ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଓ ଭୂସ୍ଖଳନରେ ପ୍ରାୟ ୭୮ ଜଣଙ୍କ ମୃତ୍ୟୁ ହୋଇଛି। ସିୟାଥି ଗାଁର ଲୋକ ମୃତ୍ୟୁ ମୁହଁରୁ ବାହାର କରିଥିବା କୁକୁରର ଭୁକିବା କଥାକୁ ଭୁଲି ପାରିନାହାଁନ୍ତି। ଏପରି ପରିସ୍ଥିତି ପ୍ରମାଣିତ କରୁଛୁ ଯେ ମଣିଷର ବିପଦ ସମୟରେ ପ୍ରାଣୀମାନେ କେତେ ସମ୍ବେଦନଶୀଳ ଏବଂ ସହାୟକ ହୋଇପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.