ମାଲକାନଗିରିରେ ପୁଣି ବଢିଲା ଇଣ୍ଟରନେଟ୍ କଟକଣା, ଗୁରୁବାର ଦିନ ୧୨ଟା ଯାଏଁ ବନ୍ଦ ରହିବ

NEWS7
diwali-bonus-and-gift-will-be-taxable-know-how

ମାଲକାନଗିରି ୧୦।୧୨: ମାଲକାନଗିରିରେ ପୁଣି ବଢିଲା ଇଣ୍ଟରନେଟ୍ କଟକଣା । ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ । ବୁଧବାର ଦିନ ୧୨ଟାରୁ ଗୁରୁବାର ଦିନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ପରିସ୍ଥିତିକୁ ଦେଖି କଟକଣା ନେଇ ପୁଣି ଗୁରୁବାର ନିଷ୍ପତ୍ତି ନିଆଯିବ । ସୂଚନା ଦେଲେ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ । ମଙ୍ଗଳବାର ଅଧିକ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କରିଥିଲା ପ୍ରଶାସନ । ବୁଧବାର ଦିନ ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି କରାଯାଇଥିଲା । RDC ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଥିଲା । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଥିଲେ ।

ସେପଟେ, ମୃତ ମହିଳାଙ୍କ କଟା ମୁଣ୍ଡ ଉଦ୍ଧାର କରାଯାଇଛି । ପୋଟେରୁ ନଦୀର ନାମକୋଣ୍ଡା ଡଙ୍ଗା ଘାଟରୁ ମିଳିଛି ମହିଳାଙ୍କ କଟା ମୁଣ୍ଡ । ଘଟଣାସ୍ଥଳରେ କାଲିମେଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ନେଇ ମାଲକାନଗିରି ଏସ୍ପି ସୂଚନା ଦେଇଛନ୍ତି ।

ମାଲକାନଗିରି ଜିଲ୍ଲା ଏମ୍ଭି ୨୬ ଓ ରାଖାଲଗୁଡା ହିଂସାକାଣ୍ଡକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶାନ୍ତି କମିଟି ବୈଠକ ଶେଷ ହୋଇଛି । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଲ ସିଂ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମାଲକାନଗିରି ଏସ୍ପି ବିନୋଦ ପାଟିଲ ଓ ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କ ଅଧ୍ୟକ୍ଷତାରେ ଏହି ଶାନ୍ତି କମିଟି ବୈଠକ ହୋଇଛି । ଉଭୟ ଆଦିବାସୀ ଓ ବଙ୍ଗାଳୀ ସଂପ୍ରଦାୟର ନେତୃତ୍ୱ ନେଉଥିବା ପ୍ରାୟ ୬୦ ଜଣ ସଦସ୍ୟ ଏଥିରେ ଯୋଗେ ଦେଇଥିଲେ । ଉଭୟ ପକ୍ଷ ନିଜ ନିଜର ଦାବି ଉପସ୍ଥାପନ କରିବା ପରେ ଜିଲ୍ଲାପାଳ କହିଛନ୍ତି ଯେ, ଖୁବ୍ଶୀଘ୍ର ଏକ ଶାନ୍ତି କମିଟି ଗଠନ କରାଯାଇ ଉଭୟ ଗାଁ ଗସ୍ତ କରି ଆପୋସ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବେ । ଉଭୟ ପକ୍ଷ ନିଜ ନିଜର ଭୁଲ ସ୍ବୀକାର କରିବା ସହ ଆଗାମୀ ଦିନରେ ଭାଇଚାରା ବଜାର ରଖିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।