ଶ୍ରୀନଗର ୯।୧୨: ଜମ୍ମୁ-କାଶ୍ମୀରରେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ସରକାର ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର(ଏଲଜି)ଙ୍କ କାର୍ଯ୍ୟାଳୟ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ନିକଟରେ ଏପରି କିଛି ପ୍ରସଙ୍ଗ ସାମ୍ନାକୁ ଆସିଛି ଯେଉଁଥିରୁ ସରକାରର ଉଭୟ ଭାଗରେ ସବୁକିଛି ଠିକ୍ ଚାଲୁନଥିବା ପରି ଲାଗୁଛି। ତେବେ ଏଥି ପାଇଁ ମୁଖ୍ୟମନ୍ତ୍ରୀ ଉମରଙ୍କ ସମସ୍ୟା ଅଧିକ ଜଟିଳ ହେଉଛି। କାରଣ ତାଙ୍କ ଉପରେ ପାର୍ଟିର ବିଧାୟକଙ୍କ ଚାପ ଲଗାତାର ବଢିବାରେ ଲାଗିଛି।
ରିପୋର୍ଟ ଅନୁସାରେ ନିକଟରେ ଏଲଜିଙ୍କ ପକ୍ଷରୁ ସମ୍ବିଧାନର ଅନୁଚ୍ଛେଦ ୩୧୧ ବ୍ୟବହାର କରି ୨ ସରକାରୀ କର୍ମଚାରୀଙ୍କ ସେବା ଯେପରି ସମାପ୍ତ କରିଦିଆଗଲା ଓ କେନ୍ଦ୍ର ଶାସିତ ପ୍ରଦେଶର ଆଡଭୋକେଟ ଜେନେରାଲଙ୍କୁ ଅବସ୍ଥାପିତ ରଖିବା ପାଇଁ ଅବଦୁଲ୍ଲା ସରକାରଙ୍କ ନିଷ୍ପତ୍ତିକୁ ରାଜଭବନ ଯେପରି ଅସ୍ୱୀକାର କଲା ଏଥିରୁ ରାଜ୍ୟରେ ନ୍ୟାସନାଲ କନଫରେନ୍ସ ସରକାର ଏବେ ଅସହଜ ଅନୁଭବ କରୁଛନ୍ତି। କିଛି ପ୍ରସଙ୍ଗରେ ସରକାର ଓ ରାଜଭବନ ମଧ୍ୟରେ ବିବାଦ ରହୁଛି।
କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କାଶ୍ମୀରରେ ଗତ ଅକ୍ଟୋବରରେ ନିର୍ବାଚିତ ସରକାର ସ୍ଥାପିତ ହୋଇଛି। ତେବେ କେନ୍ଦ୍ର ଶାସିତ ପ୍ରଦେଶ ହୋଇଥିବା କାରଣରୁ ଶାସନର ବିଭିନ୍ନ କ୍ଷେତ୍ର ଉପରେ ଏଲଜିଙ୍କ ନିୟନ୍ତ୍ରଣ ଏବେବି ରହିଛି। ଖାସ ଏହି କାରଣରୁ ରାଜ୍ୟ ସରକାର ଓ ଏଲଜିଙ୍କ ମଧ୍ୟରେ ବିବାଦ ଉପୁଜୁଛି। ଉମର ଅବଦୁଲ୍ଲା ପୂର୍ବରୁ ମଧ୍ୟ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ। ତେବେ ସେତେବେଳେ ଏହା ଏକ ପୂର୍ଣ୍ଣ ରାଜ୍ୟ ଥିଲା। ତେବେ ପରିବର୍ତ୍ତିତ ସାମ୍ବିଧାନିକ ପରିସ୍ଥିତିରେ ରାଜଭବନ ସହିତ ତାଳମେଳ ରଖିବା ତାଙ୍କ ପକ୍ଷେ ସମ୍ଭବ ହେଉ ନାହିଁ।
ଅନ୍ୟପକ୍ଷରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯ ବିଜନେସ୍ ରୁଲସ୍ ରେ ବିଧାନସଭା ନିର୍ବାଚନ ପୂର୍ବରୁ ସଂଶୋଧନ କରିଥିଲେ। ଏଥିରେ ରାଜ୍ୟପାଳଙ୍କୁ ଅଧିକ କ୍ଷମତା ଦିଆଯାଇଛି। ଖାସ କରି ବିଜନେସ୍ ରୁଲସରେ ପରିବର୍ତ୍ତନ କାରଣରୁ ସର୍ବଭାରତୀୟ ସେବା ସମ୍ପର୍କିତ ଅଧିକାରୀମାନଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂରେ ଏଲଜିଙ୍କ କ୍ଷମତା ଆହୁରି ବଢିଯାଇଛି। ଏହା ଛଡା ପୋଲିସ ମହକମା, ଆଇନ ଶୃଙ୍ଖଳା ସହିତ ବିଚାରବିଭାଗୀୟ ନିଯୁକ୍ତିରେ ବି ଏଲଜିଙ୍କୁ ଅଧିକ କ୍ଷମତା ବଢାଇ ଦିଆଯାଇଛି।