ନୂଆଦିଲ୍ଲୀ ୨୬।୭: ଲୋକସଭାରେ ସୋମବାର ପହଲଗାମ ଆକ୍ରମଣ ଓ ଅପରେସନ ‘ସିନ୍ଦୂର’କୁ ନେଇ ଚର୍ଚ୍ଚା ଆରମ୍ଭ ହେବ। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ଓ ବିରୋଧୀଦଳ ନେତା ରାହୁଲ ଗାନ୍ଧି ଅଂଶଗ୍ରହଣ କରିପାରନ୍ତି। ଏହି ସ୍ୱତନ୍ତ୍ର ଚର୍ଚ୍ଚା ନିମନ୍ତେ ୧୬ ଘଣ୍ଟା ସମୟ ନିର୍ଦ୍ଧାରିତ ହୋଇଛି। ଏଣୁ ଏହି ଚର୍ଚ୍ଚା ୩ ଦିନ ଧରି ଚାଲିବ ବୋଲି ଆକଳନ କରାଯାଉଛି।
ଏହି ଚର୍ଚ୍ଚା କାଳରେ ବିରୋଧୀ ଦଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ସମ୍ପର୍କିତ ଦାବିକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବ। ତେବେ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନର ଡାଇରେକ୍ଟର ଜେନେରାଲ ଅଫ ମିଲେଟ୍ରି ଅପରେସନସ୍ (ଡିଜିଏମଓ) ସମ୍ପର୍କ କରିବା ପରେ ସାମରିକ କାର୍ଯ୍ୟାନୁଷ୍ଠାନ ରୋକିବା ପାଇଁ ବିଚାର କରାଯାଇଥିଲା। ତେବେ ଲୋକସଭା ସଚିବାଳୟ ସୋମବାର ତାଙ୍କ କାର୍ଯ୍ୟସୂଚୀରେ ‘ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଜବାବରେ ଭାରତର ସଶକ୍ତ, ସଫଳ ଓ ନିର୍ଣ୍ଣାୟକ ‘ଅପରେସନ ସିନ୍ଦୂର’ ଉପରେ ଏକ ବିଶେଷ ଚର୍ଚ୍ଚା’ ସୂଚୀ ବଦ୍ଧ କରିଛନ୍ତି।
ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଂଶଗ୍ରହଣ କରିପାରନ୍ତି। ତେବେ ସରକାରଙ୍କ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। ତେବେ ରାଜ୍ୟସଭାରେ ମଙ୍ଗଳବାର ଅପରେସନ ସିନ୍ଦୂର ଚର୍ଚ୍ଚା ହେବ। ସେହିପରି ଆତଙ୍କବାଦକୁ ନେଇ ଭାରତର ବାର୍ତ୍ତାକୁ ବିଶ୍ୱର ୩୩ ଦେଶରେ ପହଞ୍ଚାଇଥିବା ବହୁଦଳୀୟ ପ୍ରତିନିଧି ମଣ୍ଡଳରେ ସାମିଲ ସାଂସଦ ମଧ୍ୟ ସଂସଦର ଉଭୟ ସଦନରେ ହେବାକୁ ଥିବା ଏହି ଚର୍ଚ୍ଚାରେ ଭାଗ ନେବେ ବୋଲି ଆଶା କରାଯାଉଛି।