LIVE TV

ଶାନ୍ତି ଆଲୋଚନା ବିଫଳ, ଆଫଗାନିସ୍ତାନ ଉପରେ ଆକ୍ରମଣ କରିବ ପାକିସ୍ତାନ !

NEWS7
disconnection-of-electricity-by-cesu-is-continuing

ଲାହୋର, ୦୮|୧୧  :   ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଘଟିପାରେ ଭୟଙ୍କର ଲଢେଇ । ବିଶ୍ବ ଦେଖିପାରେ ଆଉ ଏକ ବଡ ଯୁଦ୍ଧ । କାରଣ ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଏମିତି କିଛି ସଙ୍କେତ ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱାଜା ଆସିଫ୍ । ଏପରିକି ତୁର୍କୀରେ ଦୁଇ ଦେଶ ମଧ୍ୟରେ ସମସ୍ତ ଚୁକ୍ତି ଏବେ ଭାଙ୍ଗିଯାଇଥିବା ସେ କହିଛନ୍ତି ।

ଗଣମାଧ୍ୟମକୁ ସକ୍ଷାତକାରରେ ଆସିଫ୍ କହିଛନ୍ତି ଯେ, ଆଫଗାନିସ୍ତାନ ଆକ୍ରମଣ କଲେ ଅସ୍ତ୍ର ବିରତି ପାକିସ୍ତାନ ମାନିବନି । ଦୃଢ ଭାବେ ଜବାବ ଦେବ । ବାଧ୍ୟ ହୋଇ ପାକିସ୍ତାନ ଯୁଦ୍ଧକୁ ବିକଳ୍ପ ଭାବେ ଗ୍ରହଣ କରିବ । ଅନେକ ଥର ଚେତାବନୀ ଦିଆଯାଇଛି । ତାଲିବାନ ସରକାର ଏହାକୁ ନମାନିଲେ ପରିସ୍ଥିତି ଭୟଙ୍କର ହେବ । ତେବେ ଆସିଫଙ୍କ ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ତୃତୀୟ ଥର ଆଲୋଚନା ହେଉଥିଲା ।

ସେ ଆହୁରି କହିଛନ୍ତି ଯେ, ତାଲିବାନ ସହ କଥାବାର୍ତ୍ତା ଜାରି ରହିଛି । କିନ୍ତୁ ଏହା ସେତେ ଗୁରୁତ୍ବ ବହନ କରୁନି । ଆମ ପାଖରେ ଅନ୍ୟ ବିକଳ୍ପ ରହିଛି । ତାଲିବାନ ଗୁପ୍ତ ରାସ୍ତାରେ ପାକିସ୍ତାନ ମଧ୍ୟକୁ ପ୍ରବେଶ କରୁଛି । ହାତରେ ଅସ୍ତ୍ରଶସ୍ତ୍ର ଧରି ପାକିସ୍ତାନ ଭିତରେ ସେମାନଙ୍କ ସେନା ପ୍ରବେଶ କରୁଛନ୍ତି ।  ଆମକୁ ଯେପରି ଟାର୍ଗେଟ୍ କରାଯିବ ଆମେ ସେହିପରି ଜବାବ ଦେବୁ ବୋଲି ସେ କହିଛନ୍ତି । ଯାହା ଉଭୟ ଦେଶର ସମ୍ପର୍କରେ ଆହୁରି ତିକ୍ତତା ଆଣିବା ନେଇ କୁହାଯାଉଛି ।

ଏହାରି ଭିତରେ ତୁର୍କୀ ଦୁଇ ଦେଶର ତିକ୍ତତାକୁ ବନ୍ଦ କରିବା ପାଇଁ ଲଗାତାର ମଧ୍ୟସ୍ତତା କରୁଛି । ପ୍ରଥମେ ଅକ୍ଟୋବର ୧୮ରେ ଉଭୟ ପକ୍ଷ ଆଲୋଚନା କରିଥିଲେ । ୨୫ ତାରିଖରେ ଇସ୍ତନବୁଲରେ ଦ୍ୱିତୀୟ ଥର ପାଇଁ ବୈଠକ ବସିଥିଲା । ଯେଉଁଥିରେ ଅସ୍ତ୍ର ବିରତି ନେଇ ସହମତି ପ୍ରକାଶ ପାଇଥିଲା । କିନ୍ତୁ ସମାନ ଦିନ ରାତିରେ ସୀମାରେ ପରସ୍ପର ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯାହା ପରିସ୍ଥିତିକୁ ଆହୁରି ଅଶାନ୍ତ କରିଦେଇଥିଲା ।