ଚୁଗୁଲି କରୁଛନ୍ତି କି ? ହୋଇଯାଆନ୍ତୁ ସତର୍କ, ନଚେତ୍ ଭରିବେ ମୋଟ ଅଙ୍କର ଜରିମାନା

NEWS7
dipali-das-reaction-on-naba-das-death-inquiry

ନୂଆଦିଲ୍ଲୀ ୨୭।୦୨; ଚୁଗୁଲି କଲେ ଜରିମାନା। ଛତିଶଗଡ଼ର ବାଲୋଦ ଜିଲ୍ଲାର ମେଢକୀ ଗାଁରେ ଏଣିକି କାହା ବିରୁଦ୍ଧରେ ଚୁଗୁଲି କଲେ ୫ ହଜାର ଟଙ୍କା ଜରିମାନା ଗଣିବାକୁ ହେବ। ଏଭଳି ଅଜବ ନିଷ୍ପତ୍ତି ପଛରେ ଏକ କାରଣ ରହିଛି । ଗାଁରେ କିଛି ଦିନ ତଳେ ଚୁଗୁଲି ଯୋଗୁ ଦୁଇ ପକ୍ଷ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସର୍ବସାଧାରଣରେ ଟିପ୍ପଣୀ ଯୋଗୁ ମାହୋଲ ବିଗିଡ଼ି ଯାଇଥିଲା। ତେଣୁ ଗ୍ରାମସଭାରେ ନିଷ୍ପତ୍ତି ହେଲା, ସାର୍ବଜନୀନ ସ୍ଥାନ କିମ୍ବା ଧାର୍ମିକ କାର୍ଯ୍ୟକ୍ରମରେ କାହାର ଭାବନାକୁ ଆଘାତ ଦେବା ଭଳି ଟିପ୍ପଣୀ ଉପରେ କଟକଣା ଲାଗୁ ହେବ । ଜରିମାନା ଓ ନିୟମ ମଧ୍ୟ ସ୍ଥିର ହେବ।

ଚୁଗୁଲି କଲେ, ୫ ହଜାର ଟଙ୍କା, ମଦ ବିକ୍ରି ଏବଂ ସାର୍ବଜନୀନ ସ୍ଥାନରେ ମଦ୍ୟପାନ କଲେ, ୧୦ ହଜାର ଟଙ୍କା ଜରିମାନା ଲାଗୁ ହେବ । ମଦ ପିଇ ଧାର୍ମିକ ଓ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଲେ, ୫ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ଏହି ଟଙ୍କା ଗାଁର ବିକାଶ କାର୍ଯ୍ୟରେ ଲାଗିବ । ସରପଞ୍ଚ କହିଛନ୍ତି, ଗାଁରେ ଶାନ୍ତି, ଭାଇଚାରା ଓ ସୁରକ୍ଷା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଗ୍ରାମବାସୀ ପ୍ରତି ମାସ ବସି ନିୟମଗୁଡ଼ିକର ସମୀକ୍ଷା କରିବେ । ଜିଲ୍ଲାପାଳ ଅଜୟ କିଶୋର କହିଛନ୍ତି, ଏହା ଗାଁ ସମିତିର ନିଜସ୍ୱ ନିୟମ । ପ୍ରଶାସନ ଏହାର ସମୀକ୍ଷା କିମ୍ବା ହସ୍ତକ୍ଷେପ କରିବ ନାହିଁ ।

ଅଧିକ ପଢନ୍ତୁ- ଏହି ରାଜ୍ୟରେ ଗାଁ’ ଲୋକଙ୍କ ପାଇଁ ବଡ ଉପହାର ! ଗାଈ ଚରାଇଲେ ସରକାର ଦେବେ ମାସିକ ଦରମା