ବାଲେଶ୍ୱର: ଫକିରମୋହନ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ଜାତୀୟ ସ୍ତରରେ ରାଜନୀତି ଆରମ୍ଭ ହୋଇଯାଇଛି। ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି ପଡ଼ୋଶୀ ପଶ୍ଚିମବଙ୍ଗର ଟିଏମ୍ସି ସରକାର। ଏନେଇ ଦଳ ଏକ୍ସରେ ପୋଷ୍ଟ କରି ଲେଖିଛି ଯେ ଭିନ୍ନ ଦିନ ଭିନ୍ନ ଜଣେ ପୀଡ଼ିତା। ବିଜେପି ଶାସନରେ ସମାନ ଘଟଣା। ଓଡ଼ିଶାର ବାଲେଶ୍ୱରରେ, ଜଣେ ଛାତ୍ରୀ କଲେଜ୍ ଏଚଓଡିଙ୍କର ଯୌନ ପିପାସା ଓ ଭବିଷ୍ୟତ ନଷ୍ଟ କରିବାକୁ ଧମକ ଯୋଗୁ ନିଜକୁ ଜାଳିବାକୁ ବାଧ୍ୟ ହୋଇଛି। ସେ ୯୫ ପ୍ରତିଶତ ଜଳିଯାଇ ଜୀବନ ସହ ସଂଘର୍ଷ କରୁଛନ୍ତି। ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇଥିବା ତାଙ୍କର ଜଣେ ସହପାଠୀ ମଧ୍ୟ ୭୦ ପ୍ରତିଶତ ଜଳିଯାଇଛନ୍ତି ବୋଲି ଦଳ ଏକ୍ସରେ ଲେଖିଛି। ଦଳ ଆହୁରି ଲେଖିଛି ଯେ ମୋହନ ଚରଣ ମାଝୀଙ୍କ ନୀରବତା ଲଜ୍ଜାଜନକ, ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଏନେଇ କୌଣସି ନିନ୍ଦା କରା ନ ଯିବା ନିରାଶାପୂର୍ଣ୍ଣ ବୋଲି ଦଳ ଲେଖିଛି।
ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାକୁ ଗୁରୁତର ସହ ନେଇଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଏମ୍ସରେ ପହଞ୍ଚି ଗୁରୁତର ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ଷ୍ଟାଣ୍ଡାର୍ଡର ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭର୍ଚ୍ଚୁଆଲ ମାଧ୍ୟମରେ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି। ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଏବେ ଏୟାରଲିଫ୍ଟ ସମ୍ଭବ ନୁହେଁ। ଯଦି ଆଗକୁ ସ୍ଥିତି ସ୍ୱାଭାବିକ ହୁଏ ତାହେଲେ ପୀଡିତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ବିଭିନ୍ନ ଜରୁରୀ କାମରେ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଯାହା ପଦକ୍ଷେପ ନେବା କଥା ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେଇ ସାରିଛି। ତଦନ୍ତ ଆରମ୍ଭ ହୋଇଛି। ସେହି ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଯେପରି ଘଟଣାର ପୁନରାବୃତ୍ତି ନହେବ ସରକାର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଘଟଣାକୁ ନେଇ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ଦେଇଛି। ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି, କଂଗ୍ରେସ ପକ୍ଷରୁ ଏହି ଘଟଣାକୁ ନେଇ ଆନ୍ଦୋଳନ କରାଯାଉଛି। ଏହି ଘଟଣାକୁ ନେଇ ଠିକ୍ ଢ଼ଙ୍ଗରେ ତଦନ୍ତ ହେବାର ଆବଶ୍ୟକତା ରହିଛି । ମହିଳା କଂଗ୍ରେସର ଏକ ଟିମ୍ ସୋମବାର ବାଲେଶ୍ଵର ଫକୀରମୋହନ କଲେଜକୁ ଯିବ । ଘଟଣାର ଅନୁଧ୍ୟାନ କରିବ ଏହି ଟିମ୍ । କଂଗ୍ରେସ ଦାବି କାହିଁକି ସେ ଛାତ୍ରୀ ଆତ୍ମାହୁତି ଉଦ୍ୟମ କଲା । ସେ ସବୁ କଥା ସମସ୍ତଙ୍କୁ ଅବଗତ କରିଥିଲା । ସାଂସଦଙ୍କୁ ମଧ୍ୟ ଜଣାଇଥିଲା । କାହିଁକି ସେ ଛାତ୍ରୀର ଅଭିଯୋଗକୁ ହାଲୁକା ଭାବେ ନିଆଗଲା । ତାହା ଦୁଃଖର କଥା ବୋଲି ଭକ୍ତ ଦାସ କହିଛନ୍ତି । ସେପଟେ ମହିଳା କଂଗ୍ରେସ ଛାତ୍ରୀଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ଚାକିରିରୁ ଡିସ୍ମିସ୍ କରାଯିବାକୁ ଦାବି କରିଛି।
ଘଟଣାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଏମ୍ସ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ। ସେ କହିଛନ୍ତି ଯେ ମାମଲାରେ ୨ ଜଣଙ୍କୁ ନିଲମ୍ବନ ଓ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଯାହାକୁ ବହିଷ୍କାର କରାଯିବା କଥା କରାଯିବ। ଏହାସହ ଘଟଣାରେ ଅଧିକ ତଦନ୍ତ ପାଇଁ ୩ ଜଣିଆ ଉଚ୍ଚସ୍ତରୀୟ ଟିମ୍ ବାଲେଶ୍ୱର ଯାଇଛନ୍ତି। ତଦନ୍ତ ରିପୋର୍ଟ ଆସିଲା ପରେ ଦୋଷୀଙ୍କ ବିରୋଧରେ ଆକ୍ସନ୍ ନିଆଯିବ। କଠୋର ପଦକ୍ଷେପ ନେବାରେ ଅବହେଳା କରାଯିବ ନାହିଁ। ସେହିପରି ପୀଡିତା ଛାତ୍ରୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଭେଟିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଏମ୍ସରେ ପୀଡିତାଙ୍କୁ ଭେଟିଛନ୍ତି। ଛାତ୍ରୀଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା ଚାଲିଛି। ଲଗାତର ଭାବେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଏମ୍ସର ବରିଷ୍ଠ ଡାକ୍ତରମାନେ ନଜର ରଖିଛନ୍ତି ବୋଲି ସେ କହିଛନ୍ତି।