ଧାମନଗରକୁ ବ୍ୟାପିଲା ଝାଡ଼ାବାନ୍ତି, ଦୁଇ ଦିନରେ ହେଲେଣି ୬୦ ଆକ୍ରାନ୍ତ

Published By : Prameya-News7 Bureau | June 15, 2025 IST

ଭଦ୍ରକ: ଭଣ୍ଡାରିପୋଖରୀ ପରେ ଏବେ ଧାମନଗରରେ ବଢ଼ିବାରେ ଲାଗିଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା। ଦୁଇ ଦିନରେ ପ୍ରାୟ ୬୦ ଜଣ ଆକ୍ରାନ୍ତ ହୋଇ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।ସମସ୍ତଙ୍କୁ ସାଲାଇନ ଓ ଔଷଧ ଦିଆଯାଇ ଛଡ଼ାଯାଇଛି। ଏହାସହ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ନେଇ ଭଦ୍ରକ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି।

ସେହିଭଳି ପରିସ୍ଥିତିର ମୁକାବିଲା ଲାଗି ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି ବୋଲି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଅଧୀକ୍ଷକ ମନ୍ମୟ କୁମାର ସାମନ୍ତସିଂହାର କହିଛନ୍ତି । ପୂର୍ବରୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ତିଖିଲିଆ, ଦାଣ୍ଡକୂଳ ଓ ବିରୋଳିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ତିଖିଲିଆ ଅଞ୍ଚଳରୁ ୧୦ରୁ ଅଧିକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ଯାଇଥିଲା । 

ପରେ ସମସ୍ତେ ସୁସ୍ଥ ହୋଇ ଫେରିଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରଜ ଭଳି ଉତ୍ସବରେ ଘରେ ପିଠାପଣା ଖାଦ୍ଯ ସହ ବର୍ଷା ସମୟରେ ପିଇବା ପାଣି ଦୂଷିତ ହେବା କାରଣରୁ ଧାମନଗର ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ଯା ବଢୁଥିବା ସନ୍ଦେହ କରାଯାଉଛି । 

ତେବେ ସ୍ଥିତି ବିଷୟରେ ପ୍ରତି ମୁହୂର୍ତ୍ତରେ ଜିଲ୍ଲା ସ୍ବାସ୍ଥ୍ଯ ବିଭାଗ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଉଛି । ଏହାସହ ଡାକ୍ତରଖାନାରେ ଆବଶ୍ଯକ ପରିମାଣର ସାଲାଇନ, ଓଆରଏସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଛି ବୋଲି ଅଧୀକ୍ଷକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.