ସଲମାନ ଆଗାଙ୍କ ଅଜବ ରନ୍-ଆଉଟ୍: ମଜା ନେଲା ଟ୍ରାଫିକ୍ ପୋଲିସ୍, ରାଗିଯିବାରୁ କଡ଼ା ଆକ୍ସନ୍ ନେଲା ICC

NEWS7
diamonds-prices-do-not-fluctuate-what-is-the-reason-for-this

ଢାକା: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ପାକିସ୍ତାନୀ ବ୍ୟାଟର ସଲମାନ ଅଲି ଆଗାଙ୍କ ଏକ ଅଜବ ରନ୍-ଆଉଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବାଂଲାଦେଶୀ ଅଧିନାୟକ ମେହେଦି ହାସନ ମିରାଜ ତାଙ୍କୁ ରନ୍ ଆଉଟ୍ କରିବା ପରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ନିୟମ ଅନୁଯାୟୀ ଏହି ରନ୍-ଆଉଟ୍ ଠିକ୍ ଥିଲେ ମଧ୍ୟ କିଛି କ୍ରିକେଟ୍ ବିଶେଷଜ୍ଞ ଏହାକୁ ଖେଳ ଭାବନା ବିରୋଧୀ ବୋଲି କହୁଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ରାୱଲପିଣ୍ଡି ଟ୍ରାଫିକ୍ ପୋଲିସ୍ ମଜା ଥିବା ଦେଖିବାକୁ ମିଳିଛି।

କିପରି ହେଲା ଏହି ଅଜବ ରନ୍-ଆଉଟ୍?

ମାର୍ଚ୍ଚ ୧୩ ତାରିଖ ଶୁକ୍ରବାର ଦିନ ଢାକାର ମିରପୁର ସ୍ଥିତ ଶେର-ଏ-ବାଂଲା ଜାତୀୟ ଷ୍ଟାଡିୟମରେ ଏହି ଘଟଣା ଘଟିଥିଲା। ପାକିସ୍ତାନ ଇନିଂସର ୩୯ତମ ଓଭରରେ ମହମ୍ମଦ ରିଜୱାନ ଏକ ବଲ୍କୁ ଧୀରେ କରି ବୋଲର ମେହେଦି ହାସନ ମିରାଜଙ୍କ ଆଡ଼କୁ ଖେଳିଥିଲେ। ବଲଟି ନନ୍-ଷ୍ଟ୍ରାଇକରରେ ଥିବା ସଲମାନ ଆଗାଙ୍କ ପାଖରେ ପହଞ୍ଚିଥିଲା। ବଲ୍ଟି 'ଡେଡ୍' ହୋଇଯାଇଛି ଭାବି ସଲମାନ ତାହାକୁ ଉଠାଇ ବୋଲରଙ୍କୁ ଦେବା ପାଇଁ କ୍ରିଜ୍ ବାହାରକୁ ଆସିଥିଲେ। କିନ୍ତୁ ବାଂଲାଦେଶୀ ଅଧିନାୟକ ମିରାଜ ସତର୍କ ଥିଲେ ଏବଂ ସେ ତୁରନ୍ତ ବଲକୁ ଉଠାଇ ଷ୍ଟମ୍ପ୍ରେ ମାରିଦେଇଥିଲେ। ସେତେବେଳେ ସଲମାନ ୬୨ ବଲ୍ରୁ ୬୪ ରନ୍ କରି ଖେଳୁଥିଲେ। ଆଉଟ୍ ହେବା ପରେ ସେ ରାଗିଯାଇ ବାଂଲାଦେଶୀ ଖେଳାଳିଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ମଜା ନେଲା ରାୱଲପିଣ୍ଡି ଟ୍ରାଫିକ୍ ପୋଲିସ୍

ସଲମାନଙ୍କ ରନ୍-ଆଉଟ୍ ଭିଡିଓ ଭାଇରାଲ୍ ହେବା ପରେ ରାୱଲପିଣ୍ଡି ଟ୍ରାଫିକ୍ ପୋଲିସ୍ 'X' ରେ ଏକ ପୋଷ୍ଟ କରି ଏହାକୁ ସଡ଼କ ସୁରକ୍ଷା ସହ ଯୋଡ଼ିଥିଲା। ପୋଷ୍ଟରେ ଲେଖାଥିଲା, "ସଡ଼କ ହେଉ କିମ୍ବା ଖେଳ ପଡ଼ିଆ, ସୁରକ୍ଷାର ଆରମ୍ଭ ବ୍ୟକ୍ତିଗତ ଦାୟିତ୍ୱବୋଧରୁ ଆରମ୍ଭ ହୋଇଥାଏ। ନିଜ ଉପରେ ଭରସା ରଖନ୍ତୁ, ସତର୍କ ରୁହନ୍ତୁ ଏବଂ ବୁଦ୍ଧିମାନର ସହ ନିଷ୍ପତ୍ତି ନିଅନ୍ତୁ ଯାହାଫଳରେ ଆପଣ ଏବଂ ଅନ୍ୟମାନେ ସୁରକ୍ଷିତ ରହିପାରିବେ।" ଅର୍ଥାତ୍ ଟିକିଏ ଅସାବଧାନତା ବଡ଼ ବିପଦର କାରଣ ହୋଇପାରେ ବୋଲି ପୋଲିସ୍ ଏହି ବାର୍ତ୍ତା ଜରିଆରେ ବୁଝାଇଥିଲା।

ଆଇସିସି (ICC) ର କାର୍ଯ୍ୟାନୁଷ୍ଠାନ

ସଲମାନ ଅଲି ଆଗାଙ୍କ ପାଇଁ ଅସୁବିଧା ଏତିକିରେ ସରିନଥିଲା। ରନ୍-ଆଉଟ୍ ହେବା ପରେ ରାଗରେ ସେ ନିଜର ହେଲମେଟ୍ ଏବଂ ଗ୍ଲୋଭସ୍ ଫିଙ୍ଗି ଦେଇଥିଲେ। ଏଥିପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ତାଙ୍କୁ କଡ଼ା ଚେତାବନୀ ଦେଇଛି। ଆଇସିସି ଆଚରଣ ବିଧିର ଧାରା ୨.୨ ଅନୁଯାୟୀ ଲେଭଲ୍-୧ ଉଲ୍ଲଂଘନ ପାଇଁ ତାଙ୍କ ଖାତାରେ ଗୋଟିଏ ଡିମେରିଟ୍ ପଏଣ୍ଟ ଯୋଡ଼ାଯାଇଛି।

ମ୍ୟାଚ୍ର ଫଳାଫଳ

ଏହି ରନ୍-ଆଉଟ୍ ପରେ ପାକିସ୍ତାନର ପାଳି ଟିକେ ଧୀମା ପଡ଼ିଯାଇଥିଲା ଏବଂ ଦଳ ଜଲଦି ୱିକେଟ୍ ହରାଇଥିଲା। ତଥାପି ପରେ ପାକିସ୍ତାନ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଡିଏଲଏସ୍ (DLS) ନିୟମ ଅନୁଯାୟୀ ଏହି ମ୍ୟାଚ୍କୁ ୧୨୮ ରନ୍ରେ ଜିତି ନେଇଛି ଏବଂ ସିରିଜ୍କୁ ୧-୧ ରେ ବରାବର କରିଛି।