india us trade deal: ବୟନ ଶିଳ୍ପ ଉପରେ ବାଂଲାଦେଶ ଭଳି ସୁବିଧା ଭାରତକୁ ବି ମିଳିବ, ଚୁକ୍ତି ଚୂଡ଼ାନ୍ତ ପରେ ଜଣାପଡ଼ିବ: ପିୟୂଷ ଗୋୟଲ

NEWS7
dharmendra-shahrukh-khan-govinda-malaika-arora-know-about-extramarital-affair-of-bollywood-stars

ନୂଆଦିଲ୍ଲୀ: ବାଂଲାଦେଶ ଟେକ୍ସଟାଇଲ ଉପରେ ଆମେରିକା ଶୂନ୍ୟ ଟାରିଫ ଲଗାଇବା ପରେ ଭାରତ ସହିତ ହୋଇଥିବା ବାଣିଜ୍ୟ ଡିଲକୁ ନେଇ ଦେଶରେ ମୋଦୀ ସରକାରଙ୍କୁ ନାନା ସମାଲୋଚନା କରାଯାଇଥିଲା। ସମାଲୋଚନା ପରେ ଟ୍ରମ୍ପ ସରକାର ଭାରତ-ଆମେରିକା ଟ୍ରେଡ୍ ଡିଲର ଫ୍ୟାକ୍ଟସିଟରେ ପରିବର୍ତ୍ତନ କରିଥିଲେ। ଏଥିରେ ପୂର୍ବ ଅପେକ୍ଷା କିଛି ରିହାତି ଦିଆଯାଇଛି। ଏହା ସତ୍ତ୍ୱେ ବି ବଂଲାଦେଶ ବୟନଶିଳ୍ପ ଉପରେ ଆମେରିକାର ଶୂନ୍ୟ ଟାରିଫ୍ ଘୋଷଣା ପରେ ଏନେଇ ଭାରତକୁ ଏବେ ବି ସମାଲୋଚନା କରାଯାଉଛି। ଯାହାକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୂଷ ଗୋୟଲ।

ଟେକ୍ସଟାଇଲରେ ବାଂଲାଦେଶ ଭଳି ଭାରତକୁ ମଧ୍ୟ ରିହାତି ଦିଆଯିବ ବୋଲି ପିୟୂଷ ଗୋୟଲ କହିଛନ୍ତି। ଡିଲ୍ ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ବାଂଲାଦେଶ ପରି ଆମେରିକା କପାରେ ଭାରତ ତିଆରି କରିଥିବା କପଡ଼ା ଉପରେ ମଧ୍ୟ ଶୂନ୍ୟ ଟାରିଫ ଲଗାଯିବ ବୋଲି ଗୁରୁବାର ପିୟୂଷ ଗୋୟଲ ବଡ଼ ଦାବି କରିଛନ୍ତି। କେବଳ ଏହି ଗୋଟିଏ କଥା ନୁହେଁ, ଟ୍ରେଡ୍ ଡିଲରେ ଆମେରିକା ଏକାଧିକ ଦିଗରେ ନିଜ ଜିଦ୍ ଛାଡ଼ୁଛି ବୋଲି ଶୁଣିବାକୁ ମିଳୁଛି। ଡିଲ୍ ଚୂଡ଼ାନ୍ତ ହେଲେ ପ୍ରକୃତ କଥା ସାମ୍ନାକୁ ଆସିବ। ପ୍ରକୃତରେ ଆମେରିକା ବାଂଲାଦେଶ ସହିତ ଯେଉଁ ବାଣିଜ୍ୟ ଡିଲ୍ କରିଛି ସେଥିରେ ବାଂଲାଦେଶ ଟେକ୍ସଟାଇଲ୍ ଉପରେ ଶୂନ୍ୟ ଶୁଳ୍କ ଘୋଷଣା କରିଛି। ଆମେରିକା ଠାରୁ କପା ଓ ସୂତା ଆଣି ବାଂଲାଦେଶ ଯେଉଁ କପଡ଼ା ତିଆରି କରି ରପ୍ତାନୀ କରିିବ ସେଥିରେ ଆମେରିକାରେ କୌଣସି ଶୁଳ୍କ ଲଗାଇବ ନାହିଁ ବୋଲି ଡିଲରେ ରହିଛି। ଏହି ଖବର ସାମ୍ନାକୁ ଆସିବା ପରେ ଆମେରିକା ସହିତ ଭାରତ ସରକାରଙ୍କ ଡିଲ୍‌କୁ ନେଇ ସମାଲୋଚନା କରାଯାଇଥିଲା।

କାରଣ ଟ୍ରମ୍ପ ସରକାର ଭାରତର ଟେକ୍ସଟାଇଲ୍ ଉପରେ ବି ୧୮ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଏହି ଡିଲ୍ ପରେ ଭାରତୀୟ ବୟନଶିଳ୍ପକୁ ବଡ଼ କ୍ଷତି ହେବ ବୋଲି କୁହାଯାଉଥିଲା। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ମୋଦୀ ସରକାର ଟ୍ରମ୍ପ ପ୍ରଶାସନ ଆଗରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛନ୍ତି। ଯାହାକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ତର୍କବିତର୍କ ବି ହୋଇଥିଲା। ହେଲେ ପିୟୂଷ ଗୋୟଲ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ତେବେ ଆମେରିକା କଞ୍ଚାମାଲରେ ତିଆରି କପଡ଼ା ଉପରେ ହିଁ ଶୁଳ୍କ ଛାଡ଼ ହେବ ବୋଲି ଟ୍ରମ୍ପ ସର୍ତ୍ତ ରଖିଛି।

ରାହୁଲଙ୍କୁ ଟାର୍ଗେଟ୍ କରି କ’ଣ କହିଲେ ପିୟୂଷ ଗୋୟଲ ?

ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ପିୟୂଷ ଗୋୟଲ କହିଛନ୍ତି “ ସେ ସଂସଦରେ ଆଉ ଏକ ମିଛ ପ୍ରଚାର କରୁଛନ୍ତି ଯେ ଟ୍ରେଡ୍ ଡିଲରେ ବାଂଲାଦେଶ ଭାରତ ଠାରୁ ଅଧିକ ଲାଭବାନ ହେବ। ଯେପରି ବାଂଲାଦେଶକୁ ସୁବିଧା ଦିଆଯାଇଛି ଯେ ଯଦି ସେ କଞ୍ଚାମାଲ ଆମେରିକାରୁ କିଣି ଏହାକୁ ପ୍ରୋସେସିଂ କରି କପଡ଼ା ତିଆରି କରେ ଓ ରପ୍ତାନୀ କରେ ତେବେ ଆମେରିକା ଏହା ଉପରେ ଶୂନ୍ୟ ପାରସ୍ପରିକ ଶୁଳ୍କ ଲଗାଇବ। ଭାରତ ପାଇଁ ମଧ୍ୟ ସମାନ ସୁବିଧା ଅଛି, ଏବଂ ଭାରତ ମଧ୍ୟ ଏହା ପାଇବ।”

ଗୋୟଲ ଆହୁରି କହିଛନ୍ତି ଯେ ଯଦିଓ ଏହି କଥା ପୂର୍ବରୁ ଘୋଷଣା ହୋଇଥିବା ଢାଞ୍ଚାରେ ନାହିଁ, ତେବେ ମାର୍ଚ୍ଚ ସୁଦ୍ଧା ଚୁକ୍ତି ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ଏହିସବୁ ସୁବିଧା ଭାରତ ପାଖରେ ରହିବ। ଗୋୟଲ କହିଛନ୍ତି ଯେ ବର୍ତ୍ତମାନ ଆମ ଚୁକ୍ତିର ପ୍ରେମୱର୍କ ତଆରି ଚାଲିଛି। ଯେବେ ଚୂଡ଼ାନ୍ତ ହୋଇଯିବ ସେତେବେଳେ ଆପଣ ଏହି ଡିଲ୍ ଫାଇନାଲ୍ କପିରେ ଦେଖିପାରିବେ।

ବର୍ତ୍ତମାନ, ସଦ୍ୟତମ ଚୁକ୍ତି ଅନୁଯାୟୀ, ଭାରତ ପୂର୍ବରୁ ଆମେରିକୀୟ ଅତିରିକ୍ତ-ଲମ୍ବା ମୁଖ୍ୟ କପା ଆମଦାନୀ ପାଇଁ ଶୁଳ୍କ ରିହାତି ପ୍ରଦାନ କରିସାରିଛି। ତଥାପି, ବାଂଲାଦେଶ ପରି, ଭାରତ ଏପର୍ଯ୍ୟନ୍ତ ଆମେରିକୀୟ କପା ବ୍ୟବହାର କରି ପ୍ରସ୍ତୁତ ପୋଷାକ ପାଇଁ ଶୂନ୍ୟ-ଶୁଳ୍କ ପ୍ରବେଶ ସୁରକ୍ଷିତ କରିନାହିଁ।

ଭାରତର ବୟନ ଶିଳ୍ପ ଉପରେ ଏହାର କି ପ୍ରଭାବ ପଡ଼ିବ?

ଯଦି ଭାରତ ଶେଷରେ ଆମେରିକା ସହିତ ଏପରି ଏକ ଚୁକ୍ତିରେ ପହଞ୍ଚିବାରେ ସଫଳ ହୁଏ, ତେବେ ଏହା ଭାରତର ଅଧିକ ଶ୍ରମଶକ୍ତି ଲାଗୁଥିବା ବୟନ କ୍ଷେତ୍ର ପାଇଁ ଏକ ସ୍ୱାଗତଯୋଗ୍ୟ ଆଶ୍ୱସ୍ତି ହେବ। କାରଣ ଆମେରିକା ଭାରତର ବୟନ ରପ୍ତାନି ପାଇଁ ଶୀର୍ଷ ବଜାର ହୋଇ ରହି ଆସିଛି। ଦେଶରୁ ସମସ୍ତ ବୟନ ଏବଂ ପୋଷାକ ରପ୍ତାନୀର ୩୦% ଆମେରିକାକୁ ଯାଇଥାଏ।

ଗତ ସପ୍ତାହରେ, ଭାରତ ଏବଂ ଆମେରିକା ଏକ ବାଣିଜ୍ୟ ଚୁକ୍ତିରେ ପହଞ୍ଚିବା ପରେ କପଡ଼ା ରପ୍ତାନିକାରୀଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଥିଲା। ଟ୍ରମ୍ପ ଶୁଳ୍କକୁ ୫୦% ରୁ ୧୮% କୁ ହ୍ରାସ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଭାରତକୁ ବାଂଲାଦେଶ, ପାକିସ୍ତାନ (୧୯%), ଭିଏତନାମ (୨୦%) ଏବଂ ଚୀନ୍ (୩୦%) ପରି ପ୍ରତିଦ୍ୱନ୍ଦ୍ୱୀମାନଙ୍କ ତୁଳନାରେ ଶୁଳ୍କ ଲାଭ ଦେଇଥିଲା। ହେଲେ ଏହି ଖୁସି ବେଶି ଦିନ ପର୍ଯ୍ୟନ୍ତ ରହିଲା ନାହିଁ। କାରଣ ଆମେରିକା ବାଂଲାଦେଶ ସହିତ ଯେଉଁ ଡିଲ୍ କରିଥିଲା ସେଥିରେ ଜବାବୀ ଶୁଳ୍କକୁ ୨୦% ରୁ ୧୯%କୁ ହ୍ରାସ କରିବା ସହିତ ବୟନ ଶିଳ୍ପ ଉପରେ ଶୂନ୍ୟ ଶୁଳ୍କ ଲାଗୁ କରି ଭାରତକୁ ଝଟ୍‌କା ଦେଇଥିଲା।

ଏଥିରେ ଦୁଇଟା ଦିଗ ରହିଛି। ଯଦି ବାଂଲାଦେଶ ଆମେରିକାରୁ କପା କିଣି ପୋଷାକ ତିଆରି କରେ ଓ ଏହାକୁ ରପ୍ତାନୀ କରେ ତେବେ ଏହା ଉପରେ ଶୂନ୍ୟ ଶୁଳ୍କ ଲଗାଯିବ। ତେଣୁ ବାଂଲାଦେଶ ଏବେ ଆମେରିକାରୁ କଞ୍ଚାମାଲ କିଣିବାକୁ ବାଧ୍ୟ ହେବ। ଫଳରେ ଭାରତୀୟ କପା ଓ ସୂତା ବ୍ୟବସାୟୀଙ୍କୁ ବଡ଼ ଘାଟା ହୋଇପାରେ। କାରଣ ବାଂଲାଦେଶ ଭାରତ ଠାରୁ ହିଁ ସବୁଠାରୁ ଅଧିକ କପା ଓ ସୂତା କିଣିଥାଏ। ଭାରତ ଠାରୁ କପା ଆମଦାନୀ କରୁଥିବା ଶୀର୍ଷ ୩ ଦେଶ ମଧ୍ୟରେ ବାଂଲାଦେଶ ରହିଛି। ଆଉ ଯଦି ଭାରତ ବାଂଲାଦେଶ ଭଳି ସୁବିଧା ପାଏ ତେବେ ଭାରତୀୟ ବୟନଶିଳ୍ପ ହୁଏତ ଲାଭ ପାଇପାରେ ହେଲେ କପା ଓ ସୂତା ବ୍ୟବସାୟୀଙ୍କୁ କିନ୍ତୁ ଘାଟା ହୋଇପାରେ। ତଥାପି ଚୂଡ଼ାନ୍ତ ଚୁକ୍ତି ଉପରେ ସମସ୍ତଙ୍କ ନଜର ରହିଛି।

କାରଣ ବର୍ତ୍ତମାନ ଯେହେତୁ ଦୁଇ ଦେଶ ଚୁକ୍ତିରେ ପରିବର୍ତ୍ତନ ଜାରି ରହିଛି, ତେଣୁ ଚୂଡ଼ାନ୍ତ ରୂପରେଖ କିଛି ଅଲଗା ହୋଇପାରେ। କାରଣ ଟ୍ରମ୍ପ ସରକାର ଜାରି କରିଥିବା ନୂଆ ଫ୍ୟାକ୍ଟସିଟରେ ଭାରତ ଡାଲି ଉପରେ ଶୁଳ୍କ ହ୍ରାସ କରିବା ଦାବି ଓ ୫୦୦ ବିଲିଅନ ଡଲାର କିଣିବା ଦାବିରେ ପରିବର୍ତ୍ତନ କରିଛି। ସେହିପରି ଭାରତ ଡିଜିଟାଲ ସର୍ଭିସ ଟ୍ୟାକ୍ସ ହଟାଇବା ଦାବି ମଧ୍ୟ ନୂଆ ଫ୍ୟାକ୍ଟସିଟ୍‌ରେ ନାହିଁ।