ପୁରୀ ୦୫/୦୭: ସରିଛି ଜନ୍ମବେଦୀରେ ଲୀଳା ଖେଳା । ଏବେ ବାହୁଡିବାର ବେଳ । ଭାଉ ଭଉଣୀଙ୍କ ସହ ବଡଦେଉଳ ଅଭିମୁଖେ ଯାତ୍ରା । ଛାମୁଙ୍କ ସହ ପରିଜନ ବି ଯାତ୍ରାରେ । ୯ ଦିନର ମହାଯାତ୍ରା ଶେଷ । ଠିକ୍ ସମୟରେ ସରିଥିଲା ସବୁ ନୀତିକାନ୍ତି । ହେଲେ ଏ ନେତ୍ର ଆଜି କଣ ଦେଖିଲା । କାହିଁକି ମାନ କଲେ କି ମାଆ ।
ସୁନାମୁହଁରେ ଏ ବିରସ ଭାଷା । କାହିଁକି ମାଆ କାହିଁକି । କଣ ହେଲା, କିଏ କଲା କି ତ୍ରୁଟି । ଆଜି ମାନୁନଥିଲା ମନ। ବାହୁଡିବାର ନଥିଲା ଇଚ୍ଛା । ବାହୁଯାତ୍ରାରେ ପହଣ୍ଡି ବେଳେ ଏ ଦୃଶ୍ୟ ବବୟାନ କରୁଥିଲା ଅନେକ କିଛି । କାରଣ ପହଣ୍ଡି ବେଳେ ରଥକୁ ଚଢିବାରେ ବିଳମ୍ୱ କରିଥିଲେ ଦେବୀ । ଆଉ ଉଠାଇ ନେବାବେଳେ ଲତ୍ କିନା କରି ବସିପଡିଲେ ରାଣୀ । ଆଉ ଅଣାୟତ୍ତ ହୋଇପଡିଲେ ସେବାୟତ ।
ସବୁଥର ଖୁସିଖୁସିରେ ବାହୁଡ । ଏଥର କିନ୍ତୁ ଟିକିଏ ବ୍ୟତିକ୍ରମ ହେଲା । ଶୂନ୍ୟେ ଶୂନ୍ୟେ ପହଣ୍ଡି କରୁଥିବା ମାଆ ଆଜି ଗୁଣ୍ଡିଚା ମନ୍ଦିରରୁ ଆସିବା ବେଳେ ହଠାତ୍ ହୋଇଗଲେ ଭାରି । ରଥ ଚାରିପଟେ ବୁଲିବା ବେଳେ ସମ୍ଭାଳି ପାରିଲେନି ସେବାୟତ । ବୁଲିଲେ ସିନା ରଥକୁ ଉଠିବାର ଇଚ୍ଛା କରିନଥିଲେ । ସେବାୟତ ବି ଧଇଁସଇଁ ହୋଇପଡ଼ିଲେ ।
ବଡ ଭାଇ ସିନା ଚାଲିଗଲେ ସତ ଚେଷ୍ଟା ପରେ ବି ସହଜରେ ଯାଇନଥିଲେ ଭଉଣୀ । ଏ ଦୃଶ୍ୟ ଦେଖି ଚକିତ ହୋଇପଡିଥିଲେ ଦେଖଣାହାରୀ । କିଏ କହିଥିଲା କଣ ହେଲା କି ମାଆ । କେଉଁଠି ରହିଲା କି ତ୍ରୁଟି ବିଚ୍ୟୁତି । ଆଉ କେହି କହିଲେ ଗୁଣ୍ଡିଚା ମାଆ କୋଳ ଛାଡ଼ି ବଡ଼ ଦେଉଳକୁ ଯିବାକୁ ଇଚ୍ଛା କରୁନାହାଁନ୍ତି ଦେବୀ । ଖାଲି ସେବାୟତ ନୁହେଁ ଭକ୍ତ ମନ ବି କହିଲା, ’ହେ ମା ସୁଭଦ୍ରା ।
ଏ ଶାନ୍ତ ସରଳ ଚେହେରା ପଛରେ ଏତେ ଅଭିମାନ କାହିଁକି । ମାଆ ଭୁବନେଶ୍ବରୀ, ତୁମର ଆଜି ଏ କି ରୂପ । ଲାଗିଲା ଯେମିତି ତୁମେ ସେବାୟତଙ୍କୁ କହୁଛ, ନା ନା ମୁଁ ଜମା ଯିବିନି । ମାଆ ପାଖରୁ ମୋତେ ନିଅନା । ଆଉ କେଇଟା ଦିନ ରହି ଯିବି । ପୁଣି କହୁଛ, ହଁ ଯିବାକୁ ତ ପଡ଼ିବ , ମୁଁ କର୍ମକ୍ଷେତ୍ରକୁ ନଗଲେ ଭାଇମାନେ ଯିବେନି ।
ରଥଯାତ୍ରା ବେଳେ ମାନ କରିଥିଲେ କାଳିଆ ସାଆନ୍ତ । ଘୋଷଯାତ୍ରାରେ ଭାଇ-ଭଉଣୀ ଗଲେ ହେଲେ ପାଦେ ଆଗକୁ ଗଲେନି ଜଗତର ନାଥ । ଦୁଇଦିନ ଟଣାହେଲା ରଥ । ଆଉ ଏବେ ବାହୁଡା ବେଳେ ହଳଦୀମୁଖୀଙ୍କ ଏ କି ରୂପ । କାହିଁକି ଘଟୁଛି ଏମିତି ବାରମ୍ୱାର ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ।