ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିକୁ ପ୍ରଚଣ୍ଡ ବହୁମତ ମିଳିଛି । ମୋଟ୍ ୨୮୮ ଆସନରୁ ବିଜେପି-ଶିବସେନା-ଏନ୍ସିପି ମେଣ୍ଟ ୨୩୩ ସିଟ୍ ଅକ୍ତିଆର କରିଛି । ତେବେ ବଡ଼ ବିଜୟ ପରେ ମହାରାଷ୍ଟ୍ର ମଙ୍ଗ କିଏ ଧରିବ ତାକୁ ନେଇ ମହାୟୁତି ମେଣ୍ଟ ମଧ୍ୟରେ ମନ୍ଥନ ଆରମ୍ଭ ହୋଇଗଲାଣି । ଏନଡିଏ ମେଣ୍ଟରେ ବିଜେପି ବଡ଼ ଦଳ ଭାବେ ଉଭା ହୋଇଛି । ଏପରିକି ବିଜେପି ଏକାକୀ ମ୍ୟାଜିକ୍ ସଂଖ୍ୟା ନିକଟତର ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ରେସ୍ରେ ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ ବଡ଼ ଦାବିଦାର ଅଛନ୍ତି । ଶିବସେନା ନେତା ଏକନାଥ ସିନ୍ଦେ ଓ ଏନ୍ସିପି ନେତା ଅଜିତ୍ ପାୱାର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଉପସ୍ଥାପନ କରିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଦୁଇଦଳ ଯଥେଷ୍ଟ କମ୍ ଆସନ ହାସଲ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଆଉ ଦୃଢ଼ ଦାବି କରିପାରିବେ ନାହିଁ ।
୨୦୨୨ରେ ଶିବସେନାର ବିଭାଜନ ପରେ ଏକନାଥ ସିନ୍ଦେଙ୍କ ଶିବସେନା ବିଜେପି ସହ ମିଶି ସରକାର ଗଠନ କରିଥିଲେ । ତେଣୁ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ତାଙ୍କ ନେତୃତ୍ୱରେ ମଧ୍ୟ ମହାୟୁତି ଚଳିତ ବିଧାନସଭା ନିର୍ବାଚନ ଲଢ଼ିଥିଲା । ତେବେ ନିର୍ବାଚନ ପୂର୍ବରୁ ବିଜେପି କହିଥିଲା କି ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଫଳାଫଳ ସାମ୍ନାକୁ ଆସିବା ପରେ ସ୍ପଷ୍ଟ ହେବ । ଅର୍ଥାତ୍ ଯେଉଁ ଦଳ ଭଲ ପ୍ରଦର୍ଶନ କରିବ ତାକୁ ମିଳିବ ମୁଖ୍ୟମନ୍ତ୍ରୀ ପଦ । ଫଳ ପ୍ରକାଶ ପାଇବା ପରେ ଦେବେନ୍ଦ୍ର ଫଡନବିସ, ଏକନାଥ ସିନ୍ଦେ ଓ ଅଜିତ ପାୱାର ଏକାଠି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଥିରେ ସେମାନେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ତିନି ଦଳ ଏକାଠି ବସି ସ୍ଥିର କରିବେ । ଫଡନବିସଙ୍କ ନାମ ସର୍ବାଧିକ ଚର୍ଚ୍ଚାକୁ ଆସିବାର କାରଣ ହେଉଛି ତାଙ୍କ ପ୍ରତି ଆରଏସ୍ଏସ୍ର ସମର୍ଥନ ରହିଛି ।
ଗତ ୨୦ ତାରିଖରେ ମତଦାନ ଶେଷ ହେବା ପରେ ସେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ସାକ୍ଷାତ କରିଥିଲେ । ଯଦିଓ ସେ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଥିଲେ କିନ୍ତୁ ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ ମୁଖ୍ୟମନ୍ତ୍ରୀ ଚୌକି ପ୍ରତି ସମର୍ଥନ ହାସଲ କରିବାକୁ ସେ ଭାଗବତଙ୍କ ସମର୍ଥନ ଲୋଡିଥିଲେ । ସେପଟେ ଏକନାଥ ସିନ୍ଦେ କହିଛନ୍ତି, ନିର୍ବାଚନରେ ଯେଉଁ ଦଳ ଅଧିକ ଆସନ ପାଇବ ସେହି ଦଳର ନେତା ମୁଖ୍ୟମନ୍ତ୍ରୀ ହେବା ନେଇ କୌଣସି ପ୍ରାକ୍ ବୁଝାମଣା ହୋଇନାହିଁ । ଆମେ ଏକାଠି ନିର୍ବାଚନ ଲଢ଼ିଛୁ । ତେଣୁ ଚୂଡାନ୍ତ ଫଳ ପ୍ରକାଶ ପାଇବା ପରେ ଆମେ ଏକାଠି ବସି ଆଲୋଚନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନାମ ଚୂଡାନ୍ତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୩ ଦଳର ଶୀର୍ଷ ନେତାମାନେ ବସି ଏହା ଉପରେ ନିଷ୍ପତ୍ତି ନେବେ । ମହାୟୁତିର ତୃତୀୟ ଦଳ ଭାବେ ଏନ୍ସିପି ନେତା ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଚୌକି ଉପରେ ଆଖି ପକାଇଛନ୍ତି । ଏପରିକି ଭୋଟ୍ ଗଣତି ପୂର୍ବଦିନ କେତେକ ସ୍ଥାନରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରି ଦଳୀୟ ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିଲେ ।