ବାଂଲାଦେଶରେ ଅଟକିଲା ସତ୍ୟଜିତ ରାୟଙ୍କ ପୈତୃକ ଘର ଭଙ୍ଗା କାମ, ଅପିଲ କରିଥିଲା ଭାରତ

Published By : Prameya-News7 Bureau | July 16, 2025 IST

ଢାକା ୧୬।୭: ବାଂଲାଦେଶ ମୈମନସିଂହସ୍ଥିତ ଫିଲ୍ମ ନିର୍ମାତା ସତ୍ୟଜିତ ରାୟଙ୍କ ପୈତୃକ ଘରକୁ ଭାଙ୍ଗିଦେବା ପାଇଁ ନିଷ୍ପତ୍ତିକୁ ସମାଲୋଚନା ପରେ ସରକାର ସ୍ଥଗିତ କରିଛନ୍ତି। ଏହି ବିଲ୍ଡିଂକୁ ବ୍ୟବହାର କରୁଥିବା ଶିଶୁ ଏକାଡେମୀ ବର୍ତ୍ତମାନ ଲାଗି ବିଲ୍ଡିଂ ନ ଭାଙ୍ଗିବା ଲାଗି ନିଷ୍ପତ୍ତି ନେଇଛି। ବାଂଲାଦେଶୀ ସମ୍ବାଦପତ୍ର ଦି ଡେଲି ଷ୍ଟାର ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। 

ଏହି ରିପୋର୍ଟରେ କୁହାଯାଇଛି ଯେ ସତ୍ୟଜିତ ରାୟଙ୍କ ଜେଜେଙ୍କ ଦ୍ୱାରା ନିର୍ମିତ ଏହି ବିଲ୍ଡିଂକୁ ମୈମନସିଂହ ଶିଶୁ ଏକାଡେମୀ ରୂପେ ବ୍ୟବହାର କରାଯାଉଥିଲା। ଏବେ ସେଠାରେ ଏକ ନୂଆ ବିଲ୍ଡିଂ ନିର୍ମାଣ ନିମନ୍ତେ ଯୋଜନା ହେଉଛି। ରାୟ ପରିବାରଙ୍କ ପାଖାପାଖି ଶତାବ୍ଦୀ ପୁରୁଣା ଘର ମୈମନସିଂହର ହରିକିଶୋର ରାୟ ଚୌଧୁରୀ ରୋଡରେ ରହିଛି। ବଙ୍ଗଳା ସାହିତ୍ୟ ଓ କଳା କ୍ଷେତ୍ରରେ ଏହି ପରିବାରର ବିଶେଷ ଯୋଗଦାନ ରହିଛି। ଏହି ଭବନକୁ ସତ୍ୟଜିତ ରାୟଙ୍କ ଜେଜେ ଉପେନ୍ଦ୍ର କିଶୋର ରାୟଚୌଧୁରୀ ନିର୍ମାଣ କରିଥିଲେ। 

ତେବେ ତାଙ୍କର ଘରଟିକୁ ଭାଙ୍ଗି ଦେବା ପାଇଁ ନିଷ୍ପତ୍ତି ଉପରେ ଭାରତ ସରକାର ପୁନର୍ବିଚାର କରିବାକୁ ବାଂଲାଦେଶ ସରକାରଙ୍କୁ ନିବେଦନ କରିଥିଲେ। ପ୍ରସିଦ୍ଧ ଲେଖକ ତଥା ସମ୍ପାଦକ ଉପେନ୍ଦ୍ର କିଶୋରଙ୍କୁ ବେଙ୍ଗଲ ପୁନର୍ଜାଗରଣର ଏକ ସ୍ତମ୍ବ ମନେ କରାଯାଏ। ତାଙ୍କର ଏହି ଘରଟି ବଙ୍ଗଳା ସାଂସ୍କୃତିକ ଇତିହାସ ସହ ଗଭୀର ଭାବେ ଜଡ଼ିତ। ଏଣୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଂଲାଦେଶ ସରକାର ଓ ସବୁ ସମ୍ବେଦନଶୀଳ ନାଗରିକଙ୍କୁ ଏହି ଐତିହ୍ୟକୁ ନଷ୍ଟ ନ କରିବା ପାଇଁ ନିବେଦନ କରିବା ସହିତ ଭାରତ ସରକାରଙ୍କୁ ମଧ୍ୟ ଏହି ମାମଲା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। 

ଭାରତ ସରକାର ରାୟ ପରିବାରଙ୍କ ଘରକୁ ବାଂଲାଦେଶ-ଭାରତ ସଂସ୍କୃତିର ମିଳିତ ଐତିହ୍ୟ ବୋଲି କହିଛନ୍ତି। ଏଣୁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ମଙ୍ଗଳବାର ଏକ ବୟାନ ଜାରି କରି ବାଂଲାଦେଶ ସରକାରଙ୍କୁ ଏହି ଐତିହାସିକ ବିଲ୍ଡିଂ ଭାଙ୍ଗିବା ପ୍ରକ୍ରିୟା ରୋକିବାକୁ ନିବେଦନ କରିଥିଲେ। ବୟାନ ଅନୁସାରେ ଏହି ସମ୍ପତ୍ତି ବର୍ତ୍ତମାନ ବାଂଲାଦେଶ ସରକାରଙ୍କ ଅଧିନରେ ରହିଛି ଓ ଏହାର ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇ ପଡିଛି। 

ତେବେ ଏହି ବିଲ୍ଡିଂର ମରାମତି ଓ ପୁନନିର୍ମାଣ ବିକଳ୍ପ ବାଛିବାକୁ କୁହାଯାଇଥିଲା। ଯାହାଦ୍ୱାରା ଏହାକୁ ଏକ ଐତିହାସିକ ସଂଗ୍ରହାଳୟ ଅଥବା ଭାରତ-ବାଂଲାଦେଶ ମିଳିତ ସାଂସ୍କୃତିକ ପ୍ରତୀକ ରୂପେ ସଂରକ୍ଷିତ ରହି ପାରିବ। ଏହି ଉଦ୍ଦେଶ୍ୟ ପାଇଁ ଭାରତ ସରକାର ମଧ୍ୟ ସହଯୋଗ କରିବା ପାଇଁ ଆଗ୍ରହୀ ଥିବାର ସୂଚିତ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.