ଭାରତୀୟ ମହିଳା ଟିମର ଐତିହାସିକ ପ୍ରଦର୍ଶନ, ପ୍ରଥମ ଥର ଅଷ୍ଟ୍ରେଲିଆରେ ଜିତିଲେ ଟି-୨୦ ସିରିଜ୍

NEWS7
demand-letter-from-bjp-to-governor-in-binika

ନୂଆଦିଲ୍ଲୀ: ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ଭାରତ ୨-୧ରେ ସିରିଜ୍ ଜିତିଛି । ଏହି ବିଜୟ ସହିତ ଭାରତୀୟ ମହିଳା ଦଳ ଇତିହାସ ରଚିଛି । ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ପାଇଁ ଟି-୨୦ ସିରିଜ୍ ଜିତିଛି । ଶନିବାର ଆଡିଲେଡ୍‌ରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ଭାରତ ସ୍ମୃତି ମନ୍ଧାନା (୮୨) ଏବଂ ଜେମିମା ରଡ୍ରିଗ୍ସ (୫୯)ଙ୍କ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ୨୦ ଓଭରରେ ୬ ୱିକେଟରେ ୧୭୬ ରନ୍ କରିଥିଲା । ଜବାବରେ, ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ କେବଳ ୧୫୯ ରନ୍ କରିପାରିଥିଲା । ଏହି ମ୍ୟାଚରେ ଭାରତ ପକ୍ଷରୁ ଶ୍ରୀ ଚରଣୀ ଏବଂ ଶ୍ରେୟଙ୍କା ପାଟିଲ୍ ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ, ଅରୁନ୍ଧତୀ ରେଡ୍ଡୀ ଦୁଇଟି ୱିକେଟ୍ ନେଇଥିଲେ ।

୧୭୭ ରନର ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ଦଳ ଖରାପ ଆରମ୍ଭ କରିଥିଲା । ଶ୍ରେୟଙ୍କା ପାଟିଲ, ଜର୍ଜିଆ ୱାଲଙ୍କୁ ରେଣୁକାଙ୍କ ହାତରେ କ୍ୟାଚ୍ କରାଇଥିଲେ । ସେ ମାତ୍ର ୧୦ ରନ କରିପାରିଥିଲେ । ବେଥ୍ ମୁନିଙ୍କୁ ପ୍ୟାଭିଲିୟନ ପଠାଇ ରେଣୁକା ଦ୍ୱିତୀୟ ୱିକେଟ ନେଇଥିଲେ । ସେ କେବଳ ୬ ରନ କରିପାରିଥିଲେ । ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଆଶ୍ଲେ ଗାର୍ଡନର ସର୍ବାଧିକ ୫୭ ରନର ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆର ୬ ଜଣ ବ୍ୟାଟର ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନଥିଲେ ।

ଏହି ମ୍ୟାଚରେ ସ୍ମୃତି ମନ୍ଧାନା ଏବଂ ଶେଫାଲି ବର୍ମା ଇନିଂସ୍ ଓପନିଂ କରିଥିଲେ । ଶେଫାଲି ଅଧିକ ସମୟ କ୍ରିଜରେ ରହିପାରିଲେ ନାହିଁ । ସେ ମାତ୍ର ସାତ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ, ମନ୍ଧାନା ଏବଂ ଜେମିମା ରୋଡ୍ରିଗ୍ସ ଏକ ଚମତ୍କାର ଭାଗୀଦାରି କରିଥିଲେ । ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ମନ୍ଧାନା ଏବଂ ଜେମିମାଙ୍କ ବ୍ୟତୀତ ଭାରତୀୟ ମହିଳା ଦଳର ଅନ୍ୟ ବ୍ୟାଟରମାନେ ଫ୍ଲପ୍ ହୋଇଥିଲେ । ଭାରତ ପାଇଁ ମନ୍ଧାନା ସର୍ବାଧିକ ୮୨ ରନ୍ କରିଥିଲେ ଏବଂ ଜେମିମା ୫୯ ରନ କରିଥିଲେ ।