କନ୍ଧମାଳ ୧୦/୦୭: ସୁପରହିଟ୍ ଚଳଚ୍ଚିତ୍ର ଥ୍ରୀ ଇଡିଅଟ୍ସ । ଫିଲ୍ମର ସେହି ସିନ୍ ଶିଖାଇଦେଇଛି ବାସ୍ତବ ଜୀବନ କାହାଣୀ । ଟେକ୍ନୋଲଜି ଜରିଆରେ ଅସମ୍ଭବ ବି ହୁଏ ସମ୍ଭବ । ଡାକ୍ତର ଘଟଣା ସ୍ଥଳରେ ନଥାଇ କରାଇଥିଲେ ପ୍ରସବ । ହେଲେ ଦେବଦୂତ ସାଜିଥିଲେ ଜଣେ ଆଇଆଇଟିଆନ । ନିଜସ୍ୱ ବୁଦ୍ଧି ବଳରେ ଭର୍ଚୁଆଲରେ ମୋଡରେ କରିଥିଲେ ସବୁକିଛି ।
ଏବେ କାହାଣୀ ହୋଇଛି ରିପିଟ୍ । ଡାକ୍ତରଙ୍କ ପରାମର୍ଶରେ ନର୍ସ କରିଛନ୍ତି ପ୍ରସବ । ପାଖାପାଖି ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମକୁ ମିଳିଛି ସଫଳତା । ବଲିଉଡ୍ ଫିଲ୍ମ ଭଳି କାହାଣୀ ଦେଖିବାକୁ ମିଳିଛି କନ୍ଧମାଳ ବେଲଘରରେ । ବାଧାବିଘ୍ନ ପଛକୁ ପକାଇ ଡାକ୍ତର ଓ ନର୍ସ ମୋବାଇଲ୍ରେ ସଫଳତାର ସହ କରାଇଥିଲେ ପ୍ରସବ ।
ହେଲୋ ସାର୍...ମୁଁ ସିଷ୍ଟର କହୁଛି । କେସ୍ ଏମର୍ଜେନ୍ସି । କେମିତି କଣ କରିବି ବୁଦ୍ଧି ବାଟ ଦିଶୁନି । ପେସେଣ୍ଟ ଲେବର ପେନ୍ ସମ୍ଭାଳିପାରୁନି । ଏଠି କେହି ଡାକ୍ତର ନାହାଁନ୍ତି । ଡୋଣ୍ଟ ଓରି ସିଷ୍ଟର ସବୁ ଠିକ୍ ହେବ । ସିଷ୍ଟରଙ୍କୁ ସପୋର୍ଟ କରିବାକୁ ଆଗେଇ ଆସିଥିଲେ ଡାକ୍ତର । ଆଉ ମାଧ୍ୟମ ସାଜିଥିଲା ୬ ଇଞ୍ଚର ଏହି ଦୂରଭାସ । ଛୋଟିଆ ଜିନିଷର ଏହି ଟେକ୍ନୋଲଜି ବହୁତ କିଛି କରିଥିଲା ।
ଜଣେ ଡାକ୍ତର ଦୃଢ ମନୋବଳ ଆଗରେ ସାହସ ଜୁଟାଇଥିଲେ ନର୍ସ। ଯେଉଁଥିପାଇଁ ଏତେ ବଡ଼ ପରିସ୍ଥିତିକୁ ଚୁଟ୍କିରେ କରିଥିଲେ ସମାଧାନ ନର୍ସ ସିନ୍ଧୁଲତା ଜାନୀ। ଆଉ ଡାକ୍ତର ଓ ନର୍ସଙ୍କ ଅଦମ୍ୟ ଚେଷ୍ଟା ବଳରେ ଡେଲିଭରି ଥିଲା ସକ୍ସେସ୍ । ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୩ଟି ଶିଶୁ ପୁତ୍ରକୁ ପ୍ରସବ କରାଇଥିଲେ ନର୍ସ । ତେବେ ଡାକ୍ତର ଦିବ୍ୟଜ୍ୟୋତି କର ଓ ଷ୍ଟାପ୍ ନର୍ସଙ୍କ ଉଦ୍ୟମକୁ ଭୁରି ଭୁରି ମିଳୁଛି ପ୍ରଶଂସା ।
ଘଟଣା ହେଉଛି ଗତ ୬ ତାରିଖ ରବିବାରର । କନ୍ଧମାଳ ବେଲଘର ଅଂଚଳର କୁଟିଆ ଜନଜାତି ସଂପ୍ରଦାୟର ରଂଜିତା ମାଝୀଙ୍କର ହୋଇଥିଲା ପ୍ରସବ ଯନ୍ତ୍ରଣା । ସଂଗେ ସଂଗେ ତାଙ୍କୁ ବେଲଘର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ କାର୍ଯ୍ୟରତ ନର୍ସ ସିନ୍ଧୁଲତା ଦିନ ୧୦ଟାରେ ପ୍ରଥମେ ଏକ ପୁତ୍ର ସନ୍ତାନକୁ ପ୍ରସବ କରାଇଥିଲେ।
ହେଲେ ଏହାପରେ ଗର୍ଭରେ ଆହୁରି ଦୁଇଟି ଛୁଆ ଥିବା ସେ ଜାଣିବାକୁ ପାଇଥିଲେ। ଆଉ ବିଳମ୍ବ ନ କରି ଏ ସମ୍ପର୍କରେ ନର୍ସ ଜଣକ ୨୬ କିଲୋମିଟର ଦୂରରେ ଥିବା ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ଦିବ୍ୟଜ୍ୟୋତି କରଙ୍କୁ ଜଣାଇଥିଲେ। ବେଲଘର ମେଡିକାଲରେ ଡାକ୍ତର ଥିଲେ ତେବେ ଏହା ଏକ ଜଟିଳ ମାମଲା ଥିବାରୁ ଅଭିଜ୍ଞ ଡାକ୍ତର ଦିବ୍ୟଜ୍ୟୋତିଙ୍କ ପରାମର୍ଶ ନିଆଯାଇଥିଲା। ପାଖ ଡାକ୍ତରଖାନାକୁ ରେଫର କଲେ ଆମ୍ବୁଲାନ୍ସରେ ପ୍ରସବ ହେବା ଭୟ ଥିବାରୁ ସେଠାରେ ହିଁ ପ୍ରସବ କରାଇବାକୁ ନର୍ସଙ୍କୁ ଡାକ୍ତର ଦିବ୍ୟଜ୍ୟୋତି କହିଥିଲେ।
ପରେ ମୋବାଇଲ ଫୋନ୍ରେ ଆରମ୍ଭ ହୋଇଥିଲା ପ୍ରସବ । ଡାକ୍ତର ଫୋନରେ ଯାହା ସବୁ ପରାମର୍ଶ ଦେଉଥିଲେ, ଠିକ ସେହିଭଳି ନର୍ସ ସୁରକ୍ଷିତ ପ୍ରସବ ପାଇଁ ଉଦ୍ୟମ କରିଥିଲେ। ପାଖାପାଖି ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରଞ୍ଜିତା ଆଉ ଦୁଇ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ୩ ପୁତ୍ର ସନ୍ତାନର ବାପା ହେଉଛନ୍ତି କଂସ ମାଝୀ । ପୂର୍ବରୁ ତାଙ୍କର ଗୋଟିଏ ପୁଅ ଓ ଝିଅ ବି ରହିଛନ୍ତି। ଦିନ ମଜୁରିଆ ଭାବେ କାମ କରୁଥିବା କଂସ ଏବେ ଆଉ ତିନି ପୁତ୍ର ସନ୍ତାନ ପାଇ ବେଶ ଖୁସି ବି ଅଛନ୍ତି।
ଅନ୍ୟପଟେ ବେଲଘର ମେଡ଼ିକାଲରେ ଜନ୍ମ ଗ୍ରହଣ କରିଥିବା ୩ ପୁତ୍ର ସନ୍ତାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ୨ ଶିଶୁଙ୍କ ଓଜନ ୧ କିଲୋ ୪୦୦ ଲେଖାଏଁ ଥିବା ବେଳେ ଅନ୍ୟ ଏକ ଶିଶୁର ଓଜନ ପ୍ରାୟ ଦେଢ଼ କିଲୋ ରହିଛି। ମାଆ ରଞ୍ଜିତା ମାଝୀ ବି ବେଶ ସୁସ୍ଥ ଅଛନ୍ତି। ନବଜାତଙ୍କ ଓଜନ କମ୍ ଥିବା କାରଣରୁ ସେମାନଙ୍କୁ ଏବେ ବାଲିଗୁଡା ଡାକ୍ତରଖାନାରେ ଥିବା ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା କେନ୍ଦ୍ରରେ ରଖାଯାଇ ଅଧିକ ଚିକିତ୍ସା କରାଯାଉଛି।