ଦିଲ୍ଲୀ ଜାମା ମସଜିଦ୍ ଶାହୀ ଇମାମ ଅହମଦ ବୁଖାରୀ ଅସୁସ୍ଥ, ଆପୋଲୋ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | May 28, 2025 IST

ନୂଆଦିଲ୍ଲୀ ୨୮।୫: ଦିଲ୍ଲୀ ଐତିହାସିକ ଜାମା ମସଜିଦ୍ ର ଶାହୀ ଇମାମ ସୟଦ ଅହମଦ ବୁଖାରୀ ବୁଧବାର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନାତି ସୟଦ ଅରୀବ ବୁଖାରୀ  ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଅରୀବ ବୁଖାରୀ ଏକ ଭିଡିଓ ସେୟାର କରି ତାଙ୍କ ଜେଜେଙ୍କ ସୁସ୍ଥତା ନିମନ୍ତେ ଲୋକଙ୍କୁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ଭିଡିଓରେ ଅରୀବ ବୁଖାରୀ କହିଛନ୍ତି ଯେ ମୋ ଜେଜେ ଶାହି ଇମାମ ସୟଦ ଅହମଦ ବୁଖାରୀ ଅସୁସ୍ଥ ହୋଇପଡିଛନ୍ତି। 

ତାଙ୍କର ଏହି ବାର୍ତ୍ତା ପରେ ସୋସିଆଲ ମିଡିଆରେ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି। ଇମାମ ବୁଖାରୀଙ୍କ ପାରିବାରିକ ସୂତ୍ର ଅନୁସାରେ ତାଙ୍କୁ ଏକ ସଂକ୍ରମଣ ହୋଇଛି, ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତରଙ୍କ ଦେଖରେଖରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ଦିଲ୍ଲୀ ଜାମା ମସଜିଦ ଶାହି ଇମାମ ଅସୁସ୍ଥ ହେବା କିଛି ନୂଆ ଘଟଣା ନୁହେଁ। କିଛି ମାସ ପୂର୍ବରୁ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥିଲା। ଏଥି ପାଇଁ ତାଙ୍କର ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା। 

ସୟଦ ଅହମଦ ବୁଖାରୀ ଦେଶର ପ୍ରମୁଖ ଧାର୍ମିକ ନେତାଙ୍କ ମଧ୍ୟରେ ଜଣେ। ତାଙ୍କର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ମଧ୍ୟ ଖାସ ପ୍ରଭାବ ରହିଛି। ଦିଲ୍ଲୀ ଜାମା ମସଜିଦ ଶାହି ଇମାମ ଭାବେ ସେ ଦୀର୍ଘ ସମୟରୁ ସେବା ଦେଇ ଆସୁଛନ୍ତି। ସେ ଅସୁସ୍ଥ ହୋଇପଡିବା ତାଙ୍କ ଅନୁଗାମୀ ଓ ସମୂଦାୟରେ ଚିନ୍ତାର ବିଷୟ ପାଲଟିଛି। 

ଅନ୍ୟପଟେ ସାରା ଦେଶରେ ଜୁନ ୭ ତାରିକ ଦିନ ଇଦ-ଉଲ-ଅଜହା ଉତ୍ସବ ପାଳନ ହେବ। ଲକ୍ଷ୍ନୌର ଏସିୟାବାଦସ୍ଥିତ ଇଦଗାହରେ ମରକଜୀ ଚାନ୍ଦ କମିଟି ପକ୍ଷରୁ ବୁଧବାର ଏହି ଘୋଷଣା କରାଯାଇଛି। ମୌଲନା ଖଲିଦ ରସିଦ ଏହି ଘୋଷାଣା କରିଛନ୍ତି। ରସିଦଙ୍କ ଘୋଷଣା ପରେ ପରେ ଇସ୍ଲାମ ଧର୍ମାବଲମ୍ବୀ ଲୋକେ ବକର ଇଦ ଉତ୍ସବରେ କୁର୍ବାନୀ ଲାଗି କିଣାକିଣି ଆରମ୍ଭ କରିଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.