ନୂଆଦିଲ୍ଲୀ ୪।୫: ଦିଲ୍ଲୀ-ତେଲ ଆଭିବ ଏୟାର ଇଣ୍ଡିଆ ବିମାନକୁ ରବିବାର ଅବୁଧାବୀ ନିଆଯାଇଛି। ଇସ୍ରାଏଲ ସହର ବିମାନ ବନ୍ଦର ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁ ଏହି ପଦକ୍ଷେପ ନିଆଯାଇଛି। ସୂତ୍ର ଅନୁସାରେ ଏହି ଆକ୍ରମଣ ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ-୧୩୯ ତେଲ ଆଭିବରେ ଅବତରଣ କରିବାର ପାଖାପାଖି ୧ ଘଣ୍ଟା ପୂର୍ବରୁ ହୋଇଥିଲା। ବିମାନ ପୁଣି ଦିଲ୍ଲୀ ଫେରିବ, ତେବେ ଏୟାରଲାଇନ ମେ ୬ ତାରିଖ ପର୍ଯ୍ୟନ୍ତ ତେଲ ଆଭିବ ଉଡାଣ ବାତିଲ କରିଦେଇଛି।
ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ‘ଫ୍ଲାଇଟ୍ ରାଡାର ୨୪ ଡଟକମ୍’ ଅନୁସାରେ ବିମାନ ଜୋର୍ଡାନ ଏୟାର ସ୍ପେସ୍ ରେ ଥିବା ବେଳେ ଏହାକୁ ଡାଇଭର୍ଟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅପରପଟେ ତେଲ ଆଭିବରୁ ଦିଲ୍ଲୀ ବିମାନକୁ ରବିବାର ବାତିଲ କରିଦିଆଯାଇଛି। ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ବୟାନକୁ ଅପେକ୍ଷା କରାଯାଇଛି। ୟେମେନରୁ ଲଞ୍ଚ ହୋଇଥିବା କ୍ଷେପଣାସ୍ତ୍ର ତେଲ ଆଭିବ ବିମାନ ବନ୍ଦର ନିକଟରେ ପଡିଥିଲା। ଏଣୁ ତେଲ ଆଭିବ ବିମାନବନ୍ଦରକୁ କିଛି ସମୟ ପାଇଁ ନିଲମ୍ବନ କରାଯାଇଥିଲା।
ହୁତି ବିଦ୍ରୋହୀମାନେ ଗାଜା ଯୁଦ୍ଧ ବିରୋଧରେ ପାଲେଷ୍ଟେନୀୟଙ୍କୁ ସମର୍ଥନ କରି ଇସ୍ରାଏଲ ଉପରେ ଆକ୍ରମଣ କରୁଛନ୍ତି। ରବିବାର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲର ଅନେକ ଅଞ୍ଚଳରେ ଆକାଶୀୟ ଆକ୍ରମଣ ଲାଗି ସାଇରନ ବାଜି ଉଠିଥିଲା। ଏଥିରେ ଇସ୍ରାଏଲୀ ଗଣମାଧ୍ୟମ ଦ୍ୱାରା ଜାରି ଫଟୋରେ ବିମାନ ବନ୍ଦରରୁ ଧୂଆଁ ଉଠୁଥିବାର ଦେଖାଯାଇଛି। ତେବେ ଏହି କ୍ଷେପଣାସ୍ତ୍ରଟି ବିମାନ ବନ୍ଦର ପାର୍କିଂକୁ ଯାଉଥିବା ରାସ୍ତାକଡ଼ କ୍ଷେତରେ ପଡିଛି କି ଏୟାରଡିଫେନ୍ସ ସିଷ୍ଟମର ଅଂଶବିଶେଷ ତାହା ଜଣାପଡୁ ନାହିଁ।
ତେବେ ଇସ୍ରାଏଲ ଏହାର ଜବାବ ଦେବା ପାଇଁ ସଂକଳ୍ପ କରିଛି। ପୋଲିସ ସୂଚନା ଅନୁସାରେ ଏହି ଆକ୍ରମଣ ପରେ ବିମାନ, ସଡ଼କ ଓ ରେଳ ଯାତାୟାତ ରୋକି ଦିଆଯାଇଛି। ଏୟାରପୋର୍ଟ ପ୍ରାଧିକରଣ ପ୍ରାୟ ଘଣ୍ଟାକ ପରେ ସବୁ ସ୍ୱଭାବିକ ହୋଇଯାଇଥିବା କହିଛନ୍ତି। ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ସେପରି କୌଣସି କ୍ଷୟକ୍ଷତି ହୋଇ ନାହିଁ। ତେବେ ୪ ଜଣ ଲୋକ ସାମାନ୍ୟ ଆହତ ହୋଇଥିବା ଇସ୍ରାଏଲ ପାରମେଡିକ୍ ସର୍ଭିସ କହିଛି।