News7 Logo

ଭୀଷଣ ବର୍ଷା ପରେ ବୁଡିଲା ଦିଲ୍ଲୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି

NEWS7
Delhi Flood

ନୂଆଦିଲ୍ଲୀ ୪।୯: ରାଜଧାନୀ ଦିଲ୍ଲୀରେ ବନ୍ୟାପାଣି ପଶିଛି। ଫଳରେ ଅନେକ ଅଞ୍ଚଳରେ ଚଳାଯାଇଥିବା ରିଲିଫ କ୍ୟାମ୍ପରେ ମଧ୍ୟ ପାଣି ପଶିଛି। ସେପଟେ ବନ୍ୟା ପାଣି ଦିଲ୍ଲୀ ସଚିବାଳୟରେ ପ୍ରବେଶ କରିଛି। ଏଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଓ ବ୍ୟୁରୋକ୍ରାଟଙ୍କ କାର୍ଯ୍ୟାଳୟ ରହିଛି। ଦିଲ୍ଲୀବାସୀଙ୍କ ଲାଗି ଏହା ଦୋହରା ମାଡ଼ ସାବ୍ୟସ୍ତ ହୋଇଛି। କିଛି ଦିନ ପୂର୍ବରୁ ବର୍ଷା ଯୋଗୁ ପାଣି ଜମି ରହିବାରୁ ଯାତାୟାତ ପ୍ରଭାବିତ ହେଉଥିଲା। ଏବେ ଯମୁନା ଉଛୁଳି ସହରକୁ ବନ୍ୟା ପାଣିରେ ବୁଡେଇ ଦେଇଛି।

ବାସୁଦେବ ଘାଟ ଓ ଆଖପାଖ ଅଞ୍ଚଳ ବନ୍ୟା ପାଣିରେ ବୁଡି ରହିଛି। ମୟୁରବିହାର ଫେଜ-୧ ଭଳି ତଳିଆ ଅଞ୍ଚଳ ବନ୍ୟା ପାଣିରେ ବୁଡି ରହିଛି। ଏପରିକି ଏଠାରେ ଥିବା ରିଲିଫ କ୍ୟାମ୍ପ ମଧ୍ୟ ବୁଡି ଯାଇଛି। ମୋନେଷ୍ଟ୍ରି ମାର୍କେଟ ଓ ଯମୁନା ବଜାର ଏବେବି ପାଣିରେ ବୁଡି ରହିଛି। ତେବେ ବାସିନ୍ଦା ଆଶା କରୁଛନ୍ତି ପାଣି କମିଗଲେ ପୁଣି ସ୍ୱଭାବିକ ପରିସ୍ଥିତି ଫେରି ଆସିବ। କାଶ୍ମୀର ଗେଟ୍ ନିକଟରେ ଥିବା ହନୁମାନ ବାବା ମନ୍ଦିର ପର୍ଯ୍ୟନ୍ତ ବନ୍ୟା ପାଣି ପହଞ୍ଚି ଯାଇଛି। ସବୁ ବର୍ଷ ଯମୁନା ଉଛୁଳିଲେ ଏହି ମନ୍ଦିର ପାଣିରେ ବୁଡି ଥାଏ ବୋଲି ଜନୈକ ଭକ୍ତ କହିଛନ୍ତି।

ନିଗମବୋଧ ଘାଟ ବୁଧବାରଠାରୁ ପାଣିରେ ବୁଡି ରହିଛି। ଫଳରେ ଦାହ ସଂସ୍କାର କାମରେ ବାଧା ଉପୁଜିଛି। ସେହିପରି ଗିତା କଲୋନୀ ଶ୍ମାଶନ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି, ହେଲେ ଏଠାରେ ଏବେବି ଦାହ ସଂସ୍କାର କାର୍ଯ୍ୟ ହୋଇ ପାରୁଥିବା ଶ୍ମଶାନଘାଟ ମୁଖ୍ୟ ସଞ୍ଜୟ ଶର୍ମା କହିଛନ୍ତି। ଏହା ପୂର୍ବରୁ ୨୦୨୩ରେ ଶ୍ମଶାନ ଘାଟ ବନ୍ୟାରେ ବୁଡିଥିଲା। ଏଠାରେ ଗତକାଲି ମଧ୍ୟ ୧୦ ଫୁଟ ପାଣି ଭରି ଯାଇଛି।

ଦିଲ୍ଲୀ ବନ୍ୟା ଯୋଗୁ ପ୍ରଭାବିତ ୮,୦୧୮ ଜଣଙ୍କୁ ତମ୍ବୁରେ ତିଆରି ଅସ୍ଥାୟୀ ରିଲିଫ କ୍ୟାମ୍ପରେ ରଖା ଯାଇଛି। ଏହା ଛଡା ୨୦,୩୦ ଜଣଙ୍କୁ ୧୩ଟି ସ୍ଥାୟୀ ଆଶ୍ରୟ ସ୍ଥଳରେ ରଖା ଯାଇଛି। ଦିଲ୍ଲୀରେ ବନ୍ୟା ପରିସ୍ଥିତି ଜଟିଳ ହେଉଥିବା ବେଳେ ସରକାର ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ବନ୍ୟା ପରିସ୍ଥିତି ଉପରେ ସରକାର ୨୪ ଘଣ୍ଟା ନଜର ରଖି ରହିଥିବା ଲୋକଙ୍କୁ ଆଶ୍ୱସ୍ଥ କରିଛନ୍ତି।    ​​​​​​​