ଶନିବାର IPLରେ ଡବଲ୍ ଫାଇଟ୍; ଅପରାହ୍ଣରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଟକ୍କର

Published By : Prameya-News7 Bureau | April 27, 2024 IST

ନୂଆଦିଲ୍ଲୀ: ୨୭/୪: ଶନିବାର ଆଇପିଏଲରେ ଡବଲ ଫାଇଟ୍ । ଅପରାହ୍ଣରେ ପ୍ରଥମ ମ୍ୟାଚ୍ ଏବଂ ସଂଧ୍ୟାରେ ଦ୍ବିତୀୟ ମ୍ୟାଚ୍ ଖେଳାଯିବ । ୪୩ତମ ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ପଏଣ୍ଟ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ  ଠାରୁ ଉପରେ ରହିଛି ଦିଲ୍ଲୀ । ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ହେଉଥିବା ବେଳେ ପନ୍ତ ବାହିନୀ ପୂର୍ବ ପରଜାୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଅତି ନିମ୍ନମାନର ରହିଛି । ଦଳ ଆଜିର ମ୍ୟାଚ୍ ଜିତି ବିଜୟ ସହ ନୂଆ ଅଭିଯାନ ଆରମ୍ଭ  କରିବାକୁ ଅପେକ୍ଷା କରିଛି । 

କ୍ୟାପିଟାଲ୍ସ ଦଳ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଅଜିର ମ୍ୟାଚ ଜିତିଲେ ଦଳ ପଞ୍ଚମ ସ୍ଥାନକୁ ଉନ୍ନୀତ ହେବ। ପୂର୍ବ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ହରାଇବା ପରେ ଟିମର  ମନୋବଳ ବୃଦ୍ଧି ପାଇଛି । ବିଶେଷ କରି  ରିଷଭ ପନ୍ତ ପୂର୍ବ ଫର୍ମକୁ ଫେରିଥିବାରୁ  ଦଳର ଉତ୍ସାହ ବଢ଼ି ଯାଇଛି । ଟାଇଟନ୍ସ  ବିପକ୍ଷରେ ୪୪ ବଲ୍‌ରୁ ଅପରାଜିତ ୮୮  ରନ୍‌ର ଇନିଂସକୁ ଦର୍ଶକ ସହଜରେ ଭୁଲି  ପାରିବେ ନାହିଁ । ଲେଗ ସ୍ପିନର କୁଲଦୀପ  ଯାଦବଙ୍କ ପ୍ରଦର୍ଶନ କ୍ୟାପିଟାଲ୍ସ ବିଜୟରେ  ପ୍ରମୁଖ ଭୂମିକା ଗ୍ରହଣ କରୁଛି । ସେ ଗତ  ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ବେଳେ ଆହତ ଥିଲେ । ଇତି ମଧ୍ୟରେ ସେ ୧୨ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । 

ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାର  ଅଷ୍ଟମ ସ୍ଥାନରେ ରହିଛି । ଗତ ୨ଟି  ସିଜନ ତୁଳନାରେ ଏଥର ଦଳ ବେଶ୍‌  ଶକ୍ତିଶାଳୀ ଓ ସନ୍ତୁଳିତ । ମାତ୍ର ନେତୃତ୍ୱ  ପରିବର୍ତ୍ତନକୁ ନେଇ ଉପୁଜିଥିବା  ବିବାଦୀୟ ପରିସ୍ଥିତି ମୁମ୍ବାଇ  ଇଣ୍ଡିଆନ୍ସ ପ୍ରଦର୍ଶନରେ ବାଧକ  ସାଜିଛି । ଦଳରେ ଏକତା ନଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । କିଛି ବ୍ୟକ୍ତିଗତ  ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୩ଟି  ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି । ପୂର୍ବ ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସ ସପକ୍ଷରେ ରହିଥିଲେ ହେଁ ଆଜିର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ  କରିବା କଷ୍ଟକର । 

ଉଭୟ ଦଳ ଇତି   ମଧ୍ୟରେ ପରସ୍ପରକୁ ୩୪ଥର ଭେଟିଛନ୍ତି ।   ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯ଟି ମ୍ୟାଚ୍‌   ଜିତିଛି ଓ କ୍ୟାପିଟାଲ୍ସ ୧୫ଟି ମ୍ୟାଚ୍‌ରେ   ବିଜୟୀ ହୋଇଛି । ଗତ ୭ ତାରିଖରେ  ଉଭୟ ଦଳ ୱାଙ୍ଖଡ଼େରେ ପରସ୍ପରକୁ  ଭେଟିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ୨୯ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା ।   ବର୍ତ୍ତମାନ ସମୟ ବଦଳିଛି । ଦିଲ୍ଲୀ  ଅନେକ ତ୍ରୁଟି ସୁଧାରି ନେଇଛି । ଏକ ସନ୍ତୁଳିତ ଏକାଦଶ ଗଠନ କରିବାରେ  ମଧ୍ୟ ସଫଳ ହୋଇଛି । ଶନିବାର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ କଡ଼ା ଟକ୍କର ଦେବାକୁ ଦଳ ପ୍ରସ୍ତୁତ ହୋଇରହିଛି । 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.