ବିଜୟ ସହ ଦିଲ୍ଲୀର ଅଭିଯାନ ଶେଷ, ପଞ୍ଜାବର ଟପ୍-୨ ପ୍ରବେଶ କଷ୍ଟକର !

Published By : Prameya-News7 Bureau | May 24, 2025 IST

ଜୟପୁର: ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡ଼ିଲା ସମୀର ରିଜଭିଙ୍କ ଅର୍ଦ୍ଧଶତକ। ଆଇପିଏଲ୍‌ ୨୦୨୫ର ୬୬ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଓ୍ଵିକେଟ୍‌ରେ ପଞ୍ଜାବ କିଙ୍ଗ୍ସକୁ ମାତ୍ ଦେଇଛି। ବିଜୟ ସହ ଦିଲ୍ଲୀ ଚଳିତ ସିଜିନରେ ନିଜର ଅଭିଯାନ ସମାପ୍ତ କରିଛି। ପରାଜୟ ଯୋଗୁଁ ପଞ୍ଜାବ କିଙ୍ଗ୍ସର ଟପ୍-୨ରେ ପ୍ରବେଶ କରିବା କଷ୍ଟକର ହୋଇ ପଡ଼ିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୮ ଓ୍ଵିକେଟ୍ ହରାଇ ୨୦୬ ରନ କରିଥିଲା। ଜବାବରେ ସମୀର ରିଜଭିଙ୍କ ବିସ୍ପୋରକ ୫୮ ରନ ବଳରେ ୧୯.୩ ଓଭରରେ ୪ ଓ୍ଵିକେଟ୍ ହରାଇ ଦିଲ୍ଲୀ ମ୍ୟାଚ୍‌କୁ ଜିତି ନେଇଛି। କରୁଣ ନାୟର ୪୪ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। 

୨୦୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀକୁ ଦୁଇ ଓପନର କେଏଲ ରାହୁଲ ଓ ଫାଫ ଡୁପ୍ଲେଲିସ୍ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ୫.୩ ଓଭରରେ ୫୫ ରନ ଯୋଡ଼ିଥିଲେ। ରାହୁଲ ୩୫ ରନର ଉପଯୋଗୀ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଡୁପ୍ଲେସିସ୍ ମଧ୍ୟ ୧୫ ରନ କରି ବିଦାୟ ନେଇଥିଲେ। ସେଦିକୁଲ୍ଲା ଅଟଲ ୨୨ ରନ କରି ଆଉଟ୍ ହୋଇଥିଲେ। ୯୩ ରନରେ ୩ ଓ୍ଵିକେଟ୍ ହରାଇଥିଲେ ହେଁ ଦିଲ୍ଲୀ ବିଜୟ ପାଇଁ ଆବଶ୍ୟକ ରନ ରେଟ୍ ସଂଗ୍ରହ କରି ଚାଲିଥିଲା।

ବିଶେଷ କରି କରୁଣ ନାୟର ଓ ସମୀର ରିଜଭି ଚତୁର୍ଥ ଓ୍ଵିକେଟ୍ ପାଇଁ ବିସ୍ପୋରକ ବ୍ୟାଟିଂ କରି ଦଳର ବିଜୟ ନିଶ୍ଚିତ କରିଥିଲେ। ଦୁଇ ବ୍ୟାଟର ୬୨ ରନ ଯୋଡ଼ି ସ୍କୋରକୁ ୧୫୫ ରନରେ ପହଞ୍ଚାଇଥିଲେ। ନାୟର ୨୭ ବଲରୁ ୪୪ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଅନ୍ୟପଟେ ସମୀର ବିସ୍ଫୋରକ ବ୍ୟାଟିଂ କରି କେବଳ ଅର୍ଦ୍ଧଶତକ ହାସଲ କରି ନ ଥିଲେ, ଟ୍ରିଷ୍ଟନ ଷ୍ଟବ୍ସଙ୍କ ସହ ୫୩ ରନ ଯୋଡ଼ି ଦଳକୁ ଜିତାଇଛନ୍ତି। ସମୀର ୨୫ ବଲରୁ ୩ ଚୌକା ଓ ୫ ଛକା ସହ ୫୮ ରନରେ ଅପରାଜିତ ଥିଲେ। ଷ୍ଟବ୍ସ ୧୮ ରନ କରିଥିଲେ। 

ପଞ୍ଜାବ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସକୁ ୮ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ପ୍ରିୟାଂଶ ଆର୍ଯ୍ୟ ୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ପ୍ରଭସିମରନ ଓ ଜୋଶ ଇଙ୍ଗ୍ଲିସ ଦ୍ଵିତୀୟ ଓ୍ଵିକେଟ୍‌ରେ ୪୭  ରନ ଯୋଡ଼ିଥିଲେ। ପ୍ରଭସିମରନ ସିଂ ୨୮ ରନ କରି ପାଭିଲିୟନ ଫେରିଥିଲେ। ନେହଲ ଓ୍ଵେଧରା ୧୬ ରନ ଓ ଶଶାଙ୍କ ସିଂ ୧୧ ରନ କରି ଆଉଟ୍ ହୋଇଥିଲେ ହେଁ ଅନ୍ୟପଟେ ଅଧିନାୟକ ଶ୍ରେୟସ ଆୟର ଇନିଂସ ସମ୍ଭାଳିଥିଲେ। 

ଆୟର ୩୪ ବଲ୍‌ରୁ ୫୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ତେବେ ଶେଷ ଆଡ଼କୁ ମାର୍କସ ଷ୍ଟୋଇନିସ ୧୬ ବଲ୍‌ରୁ ୩ ଚୌକା ଓ ୪ ଛକା ସହ ୪୪ ରନର ବିସ୍ଫୋରକ ଇନିଂସ ଖେଳିବାରୁ ଦଳ ୬ ଓ୍ଵିକେଟ୍ ହରାଇ ୨୦୬ ରନର ବିଶାଳ ସ୍କୋର କରିଛି।ବୋଲିଂରେ ଦିଲ୍ଲୀ ପକ୍ଷରୁ ମୁସ୍ତାଫିଜୁର ରେହମାନ ୪ ଓଭରରେ ୩୩ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ବିପ୍ରଜ ନିଗମ ଓ କୁଲଦୀପ ଯାଦବ ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.