ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଭୋଟ, ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

Published By : Prameya-News7 Bureau | February 05, 2025 IST

ନୂଆଦିଲ୍ଲୀ ୦୫/୦୧: ଦିଲ୍ଲୀରେ ଏଥର କିଏ ସରକାର ଗଢ଼ିବ? ବିଜେପି, କଂଗ୍ରେସ ନା ଆପ୍‌? ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ୧୦ ବର୍ଷ ହେଲା ଶାସନ କରିଆସୁଛି । ଏହା ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ସରକାର ଥିଲା । ଏଥର ବିଜେପି କ୍ଷମତାସୀନ ହେବା ନେଇ ଆଶା ରଖିଛି । ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନରେ ଜିତିବା ପରେ ବିଜେପିର ମନୋବଳ ଟାଣ ରହିଛି । ତା’ଛଡ଼ା କେତେକ ସଦ୍ୟ ଘଟଣା ମଧ୍ୟ ଦଳ ଆଡ଼କୁ ଇସାରା କରୁଛି । 

ଆପ୍‌ର ୮ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜ ନିର୍ବାଚନ ପ୍ରଚାରରେ ମଧ୍ୟ ବିଜୟ ନିଶ୍ଚିତ ବୋଲି ଦାବି କରିଛନ୍ତି । ସେପଟେ ଆପ୍‌ ହାଟ୍ରିକ୍‌ ମାରିବା ଲକ୍ଷ୍ୟରେ ରହିଛି । କଂଗ୍ରେସ ବି ରଖିଛି ବଡ଼ ସ୍ୱପ୍ନ । ଏଭଳି ଆଶା- ଆକାଂକ୍ଷା ମଧ୍ୟରେ ଦଳଗୁଡ଼ିକ ଦିଲ୍ଲୀର ଭୋଟରଙ୍କ ଉପରେ ସବୁ ଛାଡ଼ିଦେଇଛନ୍ତି । ଭୋଟରମାନେ ବୁଧବାର ନିଜ ମନପସନ୍ଦର ନେତା ତଥା ଦଳକୁ ଚୟନ କରିବେ । ମୋଟ ୭୦ ଆସନରେ ଭୋଟ ହେବ । 

ଏହାପରେ ୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଆଗାମୀ ୫ ବର୍ଷ ଶାସନ କରିବାକୁ ଦିଲ୍ଲୀବାସୀ କାହା ମୁଣ୍ଡରେ ସୁନା କଳସ ଢାଳିବେ, ତାହା ଉପରେ ସାରା ଦେଶର ନଜର । ଦିଲ୍ଲୀ ବିଧାନସଭାର ୭୦ ଆସନରେ ବୁଧବାର ମତଦାନ ହେବ । ଶାସକ ଦଳ ଆପ୍‌ ସମେତ ପ୍ରମୁଖ ଦଳ ଭାବେ ବିଜେପି, କଂଗ୍ରେସ ପରସ୍ପର ସହ ମୁହାଁମୁହିଁ ହେବ । 

ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଥିବା ୫ ଦଳ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି । ଆପ୍‌ ଏବଂ କଂଗ୍ରେସ ସମସ୍ତ ୭୦ ଆସନରେ ପରସ୍ପର ସହ ମୁକାବିଲା କରିବେ । ସିପିଆଇ ୬, ସିପିଏମ୍‌ ଏବଂ ସିପିଆଇ-ଏମ୍‌ଏଲ୍‌ ୨ ଟି ଲେଖାଏଁ ସିଟ୍‌ରେ ପ୍ରାର୍ଥୀ ଦେଇଛନ୍ତି । ବିଜେପି ୬୮ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଏହାର ସହଯୋଗୀ ଦଳ ଜେଡିୟୁ ଏବଂ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଦୁଇଟି ସିଟ୍‌ରେ ପ୍ରାର୍ଥୀ ରଖିଛି । 

ଏହାବାଦ୍‌ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ୭୦ ଏବଂ ଅସଦୁଦ୍ଦିନ ଓୱେସିଙ୍କ ଏଆଇଏମ୍‌ଆଇଏମ୍‌ ୧୨ ଆସନରେ ନିର୍ବାଚନ ଲଢ଼ୁଛି । ନିର୍ବାଚନ କମିଶନ(ଇସି)ଙ୍କ ସୂଚନା ମୁତାବକ, ନିର୍ଦ୍ଦଳୀୟ ଏବଂ ବିଭିନ୍ନ ପାର୍ଟିର ମୋଟ ୬୯୯ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ରିପୋର୍ଟ ଅନୁସାରେ, ସେମାନଙ୍କ ମଧ୍ୟରୁ ପ୍ରାୟ ୧୯% ବା ୧୩୨ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । 

୮୧ ଜଣଙ୍କ ବିରୋଧ ହତ୍ୟା, ଅପହରଣ, ବଳାତ୍କାର ଭଳି ସଙ୍ଗିନ ମାମଲା ରୁଜୁ ହୋଇଛି । ୧୩ ପ୍ରାର୍ଥୀଙ୍କ ନାଁରେ ମହିଳା ବିରୋଧୀ ଅପରାଧ ମାମଲା ରହିଛି । ସେହିପରି ୫ ପ୍ରାର୍ଥୀଙ୍କ ପାଖରେ ୧୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ସମ୍ପତ୍ତି ରହିଛି । ସେମାନଙ୍କ ମଧ୍ୟରେ ବିଜେପିର ୩, କଂଗ୍ରେସର ୧ ଏବଂ ଆପ୍‌ର ଜଣେ ରହିଛନ୍ତି । ବିଜେପି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ପ୍ରାୟ ୨୨ କୋଟି ୯୦ ଲକ୍ଷ ହେବ । ସେହିପରି ୩ ପ୍ରାର୍ଥୀଙ୍କ ସମ୍ପତ୍ତି ଶୂନ ଥିବା ସେମାନଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି । 

୨୮% ବା ୧୯୬ ପ୍ରାର୍ଥୀଙ୍କ ବୟସ ୨୫ରୁ ୪୦ ବର୍ଷ ଭିତରେ ହେବ । ୧୦୬ ଜଣଙ୍କ ବୟସ ୬୧ରୁ ୮୦ ବର୍ଷ ଏବଂ ୩ ଜଣଙ୍କ ବୟସ ୮୦ ବର୍ଷରୁ ଅଧିକ ହେବ । ସମସ୍ତ ୬୯୯ ପ୍ରାର୍ଥୀଙ୍କ ମଧ୍ୟରେ ୯୬ ଜଣ ମହିଳା ଅଛନ୍ତି ଯାହା କି ମୋଟ ଆଶାୟୀଙ୍କ ୧୪% । ସେହିପରି ୪୬% ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ଭିତରେ ରହିଥିବା ସେମାନେ ଘୋଷଣା କରିଛନ୍ତି । ୧୮ ପ୍ରାର୍ଥୀ ଡିପ୍ଲୋମାଧାରୀ ହୋଇଥିବା ବେଳେ ୬ ଜଣ ନିଜକୁ ସାକ୍ଷର ଏବଂ ୨୯ ଜଣ ନିଜକୁ ନିରକ୍ଷଣ ବୋଲି ସତ୍ୟପାଠରେ କହିଛନ୍ତି ।  

ଲୋକସଭା ନିର୍ବାଚନରେ ଦିଲ୍ଲୀର ୭ ଆସନରେ ଆପ୍‌ ଏବଂ କଂଗ୍ରେସ ଏକାଠି ଲଢ଼ିଥିଲେ । ଆପ୍‌ ୪ ଏବଂ କଂଗ୍ରେସ ୩ ଆସନରେ ପ୍ରାର୍ଥୀ ଦେଇଥିଲା । କିନ୍ତୁ ସମସ୍ତ ଆସନରେ ବିଜେପି କବ୍‌ଜା କରିଥିଲା । ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନ ଡାଟା ଅନୁଯାୟୀ, ପ୍ରାୟ ୧୮% ସ୍ୱିଙ୍ଗ୍‌ ଭୋଟର(ସର୍ବଦା କୌଣସି ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ ନ କରି ନିଜ ପସନ୍ଦ ଅନୁସାରେ ଭୋଟ ଦେଉଥିବା ଭୋଟର) ଦିଲ୍ଲୀ ଶାସନ ସ୍ଥିର କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.