LIVE TV

ବିହାରରେ ବାଜି ମାରିଲା ଦକ୍ଷ ରଣନୀତି, ଧର୍ମେନ୍ଦ୍ରଙ୍କ ଗୋଟି ଚାଳନାକୁ ବୁଝିପାରିଲେନି ବିରୋଧୀ

NEWS7
deepak-perwani-is-the-richest-hindu-of-pakistan-know-what-he-does

ପାଟନା,୧୫/୧୧: ବିହାରରେ ଏନଡିଏର ବିଶାଳ ବିଜୟ ପଛରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଯେ ବଡ଼ ହାତ ରହିଛି, ସେଥିରେ ତିଳେମାତ୍ର ସନ୍ଦେହ ନାହିଁ । ରାଜ୍ୟ ନିର୍ବାଚନ ପ୍ରଭାରୀ ହେବାର ସମସ୍ତ ଦାୟିତ୍ୱ ବେଶ୍ ଭଲ ଭାବେ ତୁଲାଇଛନ୍ତି ସେ । ତାଙ୍କର ଶାଣିତ ରଣନୀତି, ବ୍ୟାପକ ଅଭିଜ୍ଞତା ଓ ସମନ୍ୱୟ ରକ୍ଷା କରିବାର କଳା ବିଜେପି ତଥା ଏନ୍ଡିଏକୁ ଦେଇଛି ଅଭୂତପୂର୍ବ ସଫଳତା । ବିଜେପିର ଜଣେ ସୁଦକ୍ଷ ସଙ୍ଗଠକ ହେବାର ପ୍ରମାଣ ଦେଇଛନ୍ତି ଧର୍ମେନ୍ଦ୍ର । ଏଥିପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ନିଜର ସବୁଠୁ ବିଶ୍ୱସ୍ତ, ଦକ୍ଷ, ରାଜନୈତିକ ଅନୁଭବୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଚଳିତବର୍ଷ ବିହାର ନିର୍ବାଚନୀ ପ୍ରଭାରୀ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । ସେମାନଙ୍କର ଆସ୍ଥା ବଜାୟ ରଖିଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେପିର ଜଣେ ଅଭିଜ୍ଞ ତଥା ଦକ୍ଷ ସଂଗଠକ ଭାବେ ପରିଚିତ । ଦେଶର ରାଜନୈତିକ ଦୃଷ୍ଟିକୋଣରୁ ଚଳିତବର୍ଷ ବିହାର ବିଧାନସଭା ନିର୍ବାଚନ ବିଜେପି ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ତମାମ ଚ୍ୟାଲେଞ୍ଜଗୁଡ଼ିକୁ ଅତି ଚତୁରତାର ସହ ସେ ସଫଳତାରେ ବଦଳାଇ ଦେଇଛନ୍ତି ।

ଚ୍ୟାଲେଞ୍ଜକୁ ଦେଲେ ସଫଳତାର ରୂପ:

୨୦୧୦ରେ ପ୍ରଥମ ଥର ପାଇଁ ଧର୍ମେନ୍ଦ୍ରଙ୍କୁ ବିହାରର ପ୍ରଭାରୀ ଭାବେ ଦାୟିତ୍ୱ ମିଳିଥିଲା । ଏହି କାର୍ଯ୍ୟକୁ ସେ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ୨୦୧୪ରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ବିହାରର ରାଜନୈତିକ ଦୃଶ୍ୟପଟ୍ଟ ପରିବର୍ତ୍ତନ ହୋଇଥିଲା । ତାଙ୍କର ସଫଳ ନେତୃତ୍ୱ ପାଇଁ ଲୋକସଭା ନିର୍ବାଚନରେ ଏନଡିଏର ୩୧ ଜଣ ପ୍ରାର୍ଥୀ ବିହାରରୁ ନିର୍ବାଚିତ ହୋଇପାରିଥିଲେ । ୨୦୧୫ରେ ମଧ୍ୟ ତାଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦେଇଥିଲେ ତତ୍କାଳୀନ ବିଜେପି ଅଧ୍ୟକ୍ଷ ଅମିତ ଶାହ । ୨୦୨୫ରେ ମଧ୍ୟ ସେ ନିର୍ବାଚନ ପ୍ରଭାରୀର ଦାୟିତ୍ୱ ନେଇଥିଲେ, ଯାହା ଆଜି ଏନଡିଏ ମେଣ୍ଟର ବିଜୟର ପ୍ରତିଫଳନ ।

ବିହାରରୁ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ଧର୍ମେନ୍ଦ୍ର । ଏହି କାରଣରୁ ସେ ରାଜ୍ୟର ଭୋଟ୍ ରାଜନୀତିକୁ ବେଶ୍ ଭଲ ଭାବେ ବୁଝିପାରିଥିଲେ । ଚଳିତଥର ବିହାରରେ ଏନ୍ଡ଼ିଏର ସଫଳତା ପଛରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନାବଦ୍ଧ ରଣନୀତି, ଯଥୋଚିତ ସମନ୍ୱୟ ଏବଂ ଜନସାଧାରଣଙ୍କ ସହ ଯୋଡ଼ି ହେବାର ଦକ୍ଷତା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।

ସମନ୍ୱୟ ରକ୍ଷାରେ ଧୁରନ୍ଧର ସାଜିଲେ:

ଧର୍ମେନ୍ଦ୍ରଙ୍କ କ୍ଷେତ୍ରୀୟ ଅନୁଭବ, ଅଭିଜ୍ଞତା, ସହଯୋଗୀ ଦଳଗୁଡ଼ିକୁ ଏକାଠି ରଖିବାର ଦକ୍ଷତା ଏବଂ ମୋଦି ସରକାରଙ୍କ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରଭାବଶାଳୀ ରଣନୀତି ଏନଡିଏର ବିଜୟରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ଏହି ରଣନୀତି ତାଙ୍କୁ ଜଣେ ‘ଟ୍ରବଲ୍ସୁଟର ’ ଏବଂ ଦକ୍ଷ ନିର୍ବାଚନ ରଣନୀତିଜ୍ଞ ଭାବେ ପ୍ରତିଷ୍ଠିତ କରିଛି ।

ବିହାର ନିର୍ବାଚନରେ ଏନ୍ଡିଏର ବିଜୟ କେବଳ ରାଜନୈତିକ ସମୀକରଣ ନୁହେଁ, ବରଂ ନେତାମାନଙ୍କ ମଧ୍ୟରେ ଥିବା ସୁସମ୍ପର୍କର ପ୍ରତିଫଳନ । ଏହି ସଫଳତାର ମୂଳରେ ଶ୍ରୀ ପ୍ରଧାନଙ୍କ ସୁଚିନ୍ତିତ ରଣନୀତି ଏବଂ ତାଙ୍କର ବ୍ୟକ୍ତିଗତ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

୨୦୧୦ ମସିହାରୁ ଧର୍ମେନ୍ଦ୍ର ପ୍ରଧାନ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ସୁସମ୍ପର୍କ ସ୍ଥାପନ କରିଆସିଛନ୍ତି । ଏହି ସୁସମ୍ପର୍କ ହିଁ ମେଣ୍ଟକୁ ଅତୁଟ ତଥା ସଶକ୍ତ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ସ୍ୱର୍ଗତ ରାମବିଳାସ ପାଶ୍ୱାନଙ୍କ ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କର ମଧ୍ୟ ଉତ୍ତମ ସମ୍ପର୍କ ଥିଲା ଏବଂ ଏବେ ତାଙ୍କର ପୁତ୍ର ଚିରାଗ ପାଶ୍ୱାନଙ୍କ ସହ ଭଲ ସମ୍ପର୍କ ରହିଛି । ଏହି ସୁସମ୍ପର୍କ ଯୋଗୁ ବୁଝାମଣା ଠିକ୍ ଭାବେ ପ୍ରତିଫଳିତ ହୋଇଛି।

ଏନ୍ଡ଼ିଏ ମେଣ୍ଟର ଅନ୍ୟ ନେତା ଯଥା ‘ହାମ୍’ର ଜିତନରାମ ମାଁଝୀ, ଆର୍ଏଲ୍ଏସ୍ ଉପେନ୍ଦ୍ର କୁଶୱାହ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କର ସକ୍ରିୟ ସମନ୍ୱୟ ଓ ଉତ୍ତମ ସମ୍ପର୍କ ସମସ୍ତ ଦଳକୁ ଏକାଠି ଆଣି ବିଜୟର ମାର୍ଗ ପ୍ରଶସ୍ତ କରିଛି । ଏହି ସମସ୍ତ ବ୍ୟକ୍ତିଗତ ତଥା ରାଜନୈତିକ ସମ୍ପର୍କକୁ ସୁଦୃଢ଼ କରିବାର ରଣନୀତି ହିଁ ଏନ୍ଡିଏ ପାଇଁ ଏହି ବଡ଼ ସଫଳତା ଆଣିବାରେ ସହାୟକ ହୋଇଛି ।

ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ସଂଗଠନାତ୍ମକ କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି । ବିହାର ନିର୍ବାଚନର ପ୍ରଭାରୀ ଦାୟିତ୍ୱ ନେବା ପରେ ତୃଣମୂଳ ସ୍ତରରେ ଦଳର କାର୍ଯ୍ୟକୁ ସୁଦୃଢ଼ କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଥିଲେ । ବୁଥ କମିଟି, ଜିଲ୍ଲା କମିଟି, ରାଜ୍ୟ କମିଟିର ସଦସ୍ୟମାନଙ୍କ କାର୍ଯ୍ୟକୁ ନିୟମିତ ତଦାରଖ କରୁଥିଲେ ସେ । ସେ ଆଶାୟୀ ପ୍ରାର୍ଥୀ, ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଓ ବରିଷ୍ଠ ନେତାଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ସଂଗଠନକୁ ମିଳିତ ଭାବେ ମଜଭୁତ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ ।

ଯୁବପିଢ଼ି, ମହିଳା, କୃଷକ, ଏସ୍ସି, ଓବିସି ସହିତ ଅନ୍ୟାନ୍ୟ ମୋର୍ଚ୍ଚା ସହ କ୍ରମାଗତ ଭାବେ ଆଲୋଚନା କରିବା ସହ ସେମାନଙ୍କ ମତକୁ ଗୁରୁତ୍ୱ ଦେଇ ସେ ଦିଗରେ କାର୍ଯ୍ୟ କରିବା ପାଇଁ ଚର୍ଚ୍ଚା କରୁଥିଲେ । ବିହାରର ଜାତିଭିତ୍ତିକ ରାଜନୀତିକୁ ଠିକ୍ ଭାବରେ ପରିଚାଳନା କରିବା ଦିଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ବିଶେଷ ଭାବେ ସହାୟକ ହୋଇଥିଲା ।

ବିହାର ବିଧାନସଭା ନିର୍ବାଚନରେ ଯୁବ ଏବଂ ମହିଳା ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ନଜିର ରହିଛି । ତେଣୁ ଏହି ବର୍ଗକୁ ଫୋକସ୍ କରିବା ପାଇଁ ତାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିଲା । ପ୍ରତ୍ୟେକ ବୁଥ୍ ଉପରେ ଧ୍ୟାନ ଦେବା ଏବଂ କର୍ମୀମାନଙ୍କୁ ସକ୍ରିୟ କରିବାକୁ ଏକ ମାଇକ୍ରୋ-ମ୍ୟାନେଜମେଣ୍ଟ ବ୍ୟବସ୍ଥା ହୋଇଥିଲା । ପୃଷ୍ଠଭୂମିରେ ଥାଇ ସେ କର୍ମୀ ଏବଂ ନେତାମାନଙ୍କ ସହିତ ନିରନ୍ତର ସମ୍ପର୍କରେ ରହି ନିର୍ବାଚନ ପରିଚାଳନା କରୁଥିଲେ ।

ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ନେବା ଦିନଠାରୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ସେଠାରେ ରହିଥିଲେ । ସେ ବୁଥକୁ ଯାଇ କାର୍ଯ୍ୟକର୍ତ୍ତାଙ୍କ ସହ ବସି ସେମାନଙ୍କ କଥା ବୁଝିଥିଲେ, ଯାହା ସଂଗଠନର କାମକୁ ଅଧିକ ଗତି ଦେଇଥିଲା । ନିର୍ବାଚନ ପାଇଁ ସଫଳ ରଣନୀତିର ଏକ ବଡ଼ ଅଂଶ ଥିଲା ସଂଘ ପରିବାର ସହିତ ସୁଦୃଢ଼ ସମନ୍ୱୟ ରକ୍ଷା କରିବା। ଯାହାକୁ ସଫଳତାର ସହ ସେ ସମ୍ପାଦନ କରିଥିଲେ ।

ବିଭିନ୍ନ ବର୍ଗର ସାମାଜିକ ସଂଗଠନ, ମଠ, ମନ୍ଦିର ସହିତ ରାଜ୍ୟ, ଜିଲ୍ଲା ଏବଂ ବିଧାନସଭା ସ୍ତରରେ ତାଙ୍କର ରଣନୀତି ସଫଳ ଭାବେ ସମନ୍ୱୟ କରାଯାଇଥିଲା, ଯାହା ନିର୍ବାଚନ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା । ନିର୍ବାଚନ ସମୟରେ ଦଳ ଭିତରେ ଅସନ୍ତୁଷ୍ଟ ନେତାମାନଙ୍କୁ ବୁଝାଇବା ଏବଂ ସେମାନଙ୍କୁ କାର୍ଯ୍ୟରେ ଲଗାଇବା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ସେ ସଫଳତାର ସହ ତୁଲାଇଥିଲେ ।

ମୁଖ୍ୟତଃ ଏନଡିଏ ମେଣ୍ଟରେ ବିଭିନ୍ନ ଦଳକୁ ଏକାଠି ରଖିବା ଏବଂ ସନ୍ତୁଳିତ ଆସନ ବୁଝାମଣା କରିବା ଏକ ବଡ଼ ଆହ୍ୱାନ ଥିଲା, ଯାହାକୁ ଆତ୍ମବିଶ୍ୱାସର ସହ ଉଚିତ ପରିଚାଳନା କରିଥିଲେ କେନ୍ଦ୍ରମନ୍ତ୍ରୀ । ତାଙ୍କ ତତ୍ତ୍ୱାବଧାନରେ ସିଟ୍ ବଣ୍ଟନ ସମୟରେ ବିଜେପିକୁ ୧୦୧, ଜେଡିୟୁକୁ ୧୦୧, ଏଲ୍ଜେପି (ଆର୍)କୁ ୨୯, ଆର୍ଏଲ୍ଏମ୍ ୬ ଏବଂ ହାମ୍କୁ ୬ଟି ଆସନରେ ଲଢିବା ପାଇଁ ସଂକେତ ମିଳିଥିଲା । ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ‘ଏକ୍ସ’ ପ୍ରୋଫାଇଲରେ ମଧ୍ୟ ପୋଷ୍ଟ ହୋଇଥିଲା । ଏଭଳି ନିଷ୍ପତ୍ତିକୁ ସମସ୍ତେ ସ୍ୱ।।ଗତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି ସିଟ ଆବଣ୍ଟନରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା ।

ଯେଉଁ ସମୟରେ କଂଗ୍ରେସ-ଆରଜେଡି ମେଣ୍ଟ ଟିକଟ୍ ଫାଇନାଲ କରିପାରୁ ନଥିଲେ ଏବଂ ସିଟ୍ ବଣ୍ଟନକୁ ନେଇ ସେମାନଙ୍କ ମଧ୍ୟରେ ବିରୋଧ ଦେଖାଦେଉଥିଲା, ସେହି ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତିକୁ ରାଜନୈତିକ ବିଶେଷଜ୍ଞମାନେ ବିଜୟର ଏକ ପ୍ରଥମ ସୋପାନ ଭାବେ ଗ୍ରହଣ କରିଥିଲେ ।

ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ସମେତ କେନ୍ଦ୍ରୀୟ ନେତାମାନଙ୍କର ନିର୍ବାଚନ ସଭାଗୁଡ଼ିକୁ ସଫଳ କରାଇବାରେ ତାଙ୍କର ପରାମର୍ଶ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା । ତାଙ୍କ ରଣନୀତି ଅନୁଯାୟୀ, ଦଳ ସରକାରୀ ଯୋଜନା ଯେପରିକି ରୋଜଗାର ଓ ମହିଳା ସଶକ୍ତିକରଣ ଯୋଜନାର ସଫଳ ପ୍ରଚାର ଓ ପ୍ରସାର ପାଇଁ ଏକ ବଡ଼ ଯୋଜନା ତିଆରି କରିଥିଲା ।

ବିରୋଧୀ ମେଣ୍ଟର ଶକ୍ତି ଏବଂ ସ୍ଥାନୀୟ ଆହ୍ୱାନକୁ ସେ ସର୍ବଦା ଗୁରୁତ୍ୱ ଦେଇଥିଲେ । ବିରୋଧୀଙ୍କ ‘ମହାମେଣ୍ଟ'ର ପ୍ରସଙ୍ଗଗୁଡ଼ିକୁ ବିକାଶ ଏବଂ ସୁଶାସନର ଆଧାରରେ ମୁକାବିଲା କରିବାର ରଣନୀତି ତିଆରି କରାଯାଇଥିଲା । ଯେଉଁଠି ଆବଶ୍ୟକ ଥିଲା, ସେଠାରେ ସ୍ଥାନୀୟ ପ୍ରସଙ୍ଗ ଉପରେ ମଧ୍ୟ ଧ୍ୟାନ ଦେଇ ସଠିକ୍ ପ୍ରତିକ୍ରିୟା ଦେବାର ବ୍ୟବସ୍ଥା କରାଯାଇଥିଲା ।

ଦକ୍ଷ ସଙ୍ଗଠକର ପରିଚୟ ଦେଲେ:

କେନ୍ଦ୍ରମନ୍ତ୍ରୀ ନିଜ କାର୍ଯ୍ୟ ଦକ୍ଷତା, ରଣକୌଶଳ କାରଣରୁ ଦେଶରେ ଅଧିକାଂଶ ରାଜ୍ୟରେ ପ୍ରଭାରୀ, କିଛି ରାଜ୍ୟରେ ନିର୍ବାଚନ ପ୍ରଭାରୀ ସହିତ ବିଜେପି ଶାସିତ ସରକାରର ସଂକଟ ସମୟରେ ଗୁରୁ ଦାୟିତ୍ୱ ତୁଲାଇଥାନ୍ତି । ଯେତେବେଳେ କର୍ଣ୍ଣାଟକରେ ରାଜନୈତିକ ସଂକଟ ଉପୁଜିଥିଲା, ରାଜ୍ୟ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଇସ୍ତଫା ଦେଇଥିଲେ ଏବଂ ନୂଆ ମୁଖ୍ୟମନ୍ତ୍ରୀ ଚୟନ ଆରମ୍ଭ ହୋଇଥିଲା, ସେହି ସମୟରେ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିଲା ।

୨୦୨୧ରେ ଉତ୍ତରପ୍ରଦେଶର ନିର୍ବାଚନୀ ପ୍ରଭାରୀ ଭାବେ ମଧ୍ୟ ଦଳ ତାଙ୍କୁ ଦାୟିତ୍ୱ ଦେଇଥିଲା ଏବଂ ୟୁପିରେ ସରକାର ମଧ୍ୟ ବିଜେପି ଗଠନ କରିଥିଲା । ୨୦୨୧ରେ ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀର ପ୍ରଚାର ଏବଂ ରଣନୀତିର ଦାୟିତ୍ୱ ଦିଆଯାଇଥିଲା । ଯାହାକୁ ସୁଫଳ ଭାବେ ତୁଲାଇ ଅବିଶ୍ୱସନୀୟ ଭାବେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ

୨୦୨୪ ଅକ୍ଟୋବରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରିୟାଣାର ନିର୍ବାଚନ ପ୍ରଭାରୀର ଦାୟିତ୍ୱ ମିଳିଥିଲା । ଦେଶର ରାଜନୈତିକ ଦୃଷ୍ଟିକୋଣରୁ ଗତବର୍ଷ ହରିୟାଣା ବିଧାନସଭା ନିର୍ବାଚନ ବିଜେପି ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଶ୍ରୀ ପ୍ରଧାନଙ୍କ ଦୃଢ଼ ଓ ପ୍ରଭାବଶାଳୀ ନେତୃତ୍ୱ କାରଣରୁ ହରିୟାଣା ଭଳି ରାଜ୍ୟରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିଥିଲା ।

ସେତିକି ନୁହେଁ, ଶ୍ରୀ ପ୍ରଧାନ ପୂର୍ବରୁ ତ୍ରିପୁରା, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ପ୍ରଭାରୀ ଓ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଥିଲେ । ଧର୍ମେନ୍ଦ୍ରଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଆଶା ଏବଂ ବିଶ୍ୱାସ ଥିଲା ତାହାକୁ ସେ ବଜାୟ ରଖିବାରେ ସଫଳ ହୋଇଛନ୍ତି । ଚାଷୀଙ୍କ କଲ୍ୟାଣ ପାଇଁ ସମୀକରଣ ହେଉ କିମ୍ୱା ପ୍ରତ୍ୟେକ ବୁଥରେ ମହିଳାଙ୍କୁ ଦଳ ପ୍ରତି ଆକୃଷ୍ଟ କରିବା ହେଉ, ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ପୂର୍ଣ୍ଣାଙ୍ଗ ରୂପେ ସଫଳ ହୋଇଛି।