ଦଳରେ ଅନ୍ତଃକନ୍ଦଳ ପ୍ରସଙ୍ଗରେ ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା; ‘ନବୀନ ଯାହା ନିଷ୍ପତ୍ତି ନେବେ, ତାକୁ ସମସ୍ତେ ଗ୍ରହଣ କରିବେ’

Published By : Prameya-News7 Bureau | April 14, 2025 IST

କଟକ: ଓ୍ବକଫ୍ ସଂଶୋଧନ ବିଲ୍‌କୁ ନେଇ ବିଜେଡିର ଆଭିମୁଖ୍ୟ ଦଳକୁ ସମାଲୋଚିତ କରିଛି। କେବଳ ରାଜନୈତିକ ମହଲରେ ଯେ ଚର୍ଚ୍ଚା ହେଉଛି, ତାହା ନୁହେଁ ଏହି ପ୍ରସଙ୍ଗକୁ ନେଇ ବିଜେଡିରେ ଦଳୀୟ କନ୍ଦଳ ବି ଦେଖିବାକୁ ମିଳିଛି। ବିଜେଡିର ଅନେକ ବରିଷ୍ଠ ନେତା ଏହି ପ୍ରସଙ୍ଗ ଆଳରେ ନିଜର ଅସନ୍ତୋଷ ଜାହିର କରୁଛନ୍ତି। କିଛି ବରିଷ୍ଠ ନେତା ଏହି ପ୍ରସଙ୍ଗରେ ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ ମଧ୍ୟ କରିଛନ୍ତି। ଏସବୁ ଭିତରେ ଅବଶ୍ୟ ବିଜେଡି ମୁଖିଆ ଗଣମାଧ୍ୟମକୁ ଆସିଛନ୍ତି। କିନ୍ତୁ ଓ୍ବକଫ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ କିଭଳି ବଦଳିଲା ସେନେଇ କିଛି କହିନଥିଲେବି, ପାଣ୍ଡିଆନଙ୍କ ବିରୋଧରେ କହିବା ତଥା ବାହାରେ ନେତାଙ୍କ ମେଳିକୁ ନାପସନ୍ଦ କରିବା ସହ ଏସବୁରୁ ବିରତ ରହିବ ପାଇଁ ତାଗିଦ୍ କରିଛନ୍ତି । ଏହା ସତ୍ତ୍ବେ ବି ଦଳରେ ଅସନ୍ତୋଷର ବହ୍ନି କୁହୁଳୁଥିବା ଦେଖିବାକୁ ମିଳିଛି। 

ଏହାରି ମଧ୍ୟରେ ଗଣମାଧ୍ୟମରେ ପୁଣି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ଦେବାଶିଷ ସାମନ୍ତରାୟ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ। କଟକରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ବିଜେଡି ଭିତରେ ଉଠିଥିବା ବିବାଦ ସମ୍ପର୍କରେ ମତ ରଖି ରାଜ୍ଯସଭା ସାଂସଦ ଦେବାଶିଷ କହିଛନ୍ତି।

‘‘ନବୀନ ପଟ୍ଟନାୟକ ଆମର ଏକମାତ୍ର ତଥା ସର୍ବୋଚ୍ଚ ନେତା। ଯେହେତୁ ଦଳରେ ଶୃଙ୍ଖଳା ଓ ଏକତା ରଖିବାକୁ ପରାମର୍ଶ ଦେଇଛନ୍ତି, ତେଣୁ ମିଡିଆରେ ଆଉ କେହି ପ୍ରତିକ୍ରିୟା ରଖିବା ଉଚିତ ନୁହେଁ। ଆଗକୁ ନବୀନ ଯାହା ନିଷ୍ପତ୍ତି ନେବେ, ତାକୁ ସମସ୍ତେ ଗ୍ରହଣ କରିବେ।’’

ସେହିଭଳି ସୁଲତା ଦେଓଙ୍କ ଦେବାଶିଷଙ୍କ ସମ୍ପର୍କରେ ଟିପ୍ପଣୀର ଜବାବ ରଖି ଦେବାଶିଷ କହିଛନ୍ତି, ‘‘ସେ କେବେ ଦଳକୁ ଆସିଲେ ଆଉ ମୁଁ କେବେ ଦଳକୁ ଆସିଲି, ତାହା ଭିତରେ ଗୋଟେ ବଡ ଫରକ୍ ଅଛି। ନବୀନ ବାବୁ କହିବା ପରେ ଆଉ କାହାର କିଛି କହିବାର ଅଧିକାର ନାହିଁ। ଦଳର ଅନେକ ବରିଷ୍ଠ ସଦସ୍ୟ ଦଳର ଶୃଙ୍ଖଳା ରକ୍ଷା କରିବା କାମରେ ଲାଗିଛନ୍ତି, ଜଣେ କନିଷ୍ଠ ସଭ୍ୟ ଯଦି ଶୃଙ୍ଖଳା ଭଙ୍ଗ କରୁଛନ୍ତି ତେବେ ଏ ସମ୍ପର୍କରେ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ଦେବାଶିଷ। ସୁଲତାଙ୍କ ଟିପ୍ପଣୀ ଦଳ ସଭାପତି ନବୀନ ବାବୁଙ୍କ ଦୃଷ୍ଟିକୁ ନିଆଯାଇଛି ବୋଲି ଦେବାଶିଷ କହିଛନ୍ତି। ’’


ସେପଟେ ବାଙ୍କୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ପାଣ୍ଡିଆନ ଓ ନବୀନଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଛନ୍ତି ବିଧାୟକ ତଥା ପ୍ରଭାତଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ। ସେ ଆହୁରି କହିଛନ୍ତି ଗୋଟିଏ ରାଜନୈତିକ ପରିବାର ମଧ୍ୟରେ ଭିନ୍ନ ମତ ରହିବା ସ୍ବାଭାବିକ। ତେଣୁ ପ୍ରଭାତ ତ୍ରିପାଠୀ କଅଣ ଆଭିମୁଖ୍ୟ ରଖୁଛନ୍ତି, ତାର ପ୍ରଭାବ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ପଡିବ ନାହିଁ ବୋଲି କହିଛନ୍ତି ଦେବୀ ରଞ୍ଜନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.