ନୂଆଦିଲ୍ଲୀ ୨୪।୦୩: ଏବେ ସମସ୍ତଙ୍କୁ ଘାରିଛି ଆଇପିଏଲ୍ ନିଶା । ଘରଠାରୁ ବାହାରେ ସମସ୍ତେ ମ୍ୟାଚ ଦେଖିବାରେ ବ୍ୟସ୍ତ । ଏମିତିକି ଗାଡି ଚଳାଇବା ବେଳେ ବି ଲୋକେ ଲେଖୁଛନ୍ତି ମ୍ୟାଚ୍ । ଏବେ ବସ୍ ଡ୍ରାଇଭିଙ୍ଗ ବେଳେ ମ୍ଯାଚ୍ ଦେଖିବା ଜଣେ ବ୍ୟକ୍ତିଙ୍କୁ ପଡିଛି ଭାରୀ । ଆଇପିଏଲ୍ ଦେଖିବାରୁ ତାଙ୍କୁ ଚାକିରୀ ହରେଇବାକୁ ପଡିଛି । ଘଟଣାଟି ମହାରାଷ୍ଟ୍ରର ମୁମ୍ବାଇ-ପୁନେର ।
ରାସ୍ତାରେ ଡ୍ରାଇଭର ବସ୍ ଚଲାଉଥିବା ସମୟରେ ମୋବାଇଲରେ ଆଇପିଏଲ୍ ମ୍ୟାଚ୍ ଦେଖୁଥିଲେ । ଏହି ଭିଡିଓ ଭାଇରାଲ୍ ହୋଇଥିଲା । ଏହାକୁ ଦେଖିଥିଲେ ମନ୍ତ୍ରୀ । ପରେ ମହାରାଷ୍ଟ୍ର ସଡ଼କ ପରିବହନ ନିଗମ ରବିବାର ସମ୍ପୃକ୍ତ ଚାଳକଙ୍କୁ ଚାକିରିରୁ ବରଖାସ୍ତ କରିଛି ।
ରିପୋର୍ଟ ଅନୁସାରେ, ବସ୍ରେ ଯାତ୍ରା କରୁଥିବା ଲୋକେ ଚାଳକ ଆଇପିଏଲ୍ ଦେଖୁଥିବା ବେଳର ଭିଡିଓ କରିଥିଲେ ।
ପରେ ସେହି ଭିଡିଓ ରାଜ୍ୟର ପରିବହନ ମନ୍ତ୍ରୀ ପ୍ରତାପ ସରନାଏକଙ୍କ ପାଖରେ ପହଞ୍ଚିଥିଲା । ଯାତ୍ରୀ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ଙ୍କ ସମେତ ଅନ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଟ୍ୟାଗ୍ କରିଥିଲେ ।
ସୂଚନା ଅନୁସାରେ ଘଟଣା ଗତ ମାର୍ଚ୍ଚ ୨୨ ତାରିଖର । ଭିଡିଓ ସାମ୍ନାକୁ ଆସିବା ପରେ ମନ୍ତ୍ରୀ ପ୍ରତାପ ତୁରନ୍ତ ଏମ୍ଏସ୍ଆର୍ଟିସିର ବରିଷ୍ଠ ଅଧିକାରୀଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଦେଶ ପାଇବା ପରେ ସ୍ଥାନୀୟ ଅଧିକାରୀ ସମ୍ପୃକ୍ତ ଚାଳକଙ୍କୁ ବସ୍ ସେବାରୁ ହଟାଇଛନ୍ତି । ଏଥିସହ ବସ୍ ଅପରେଟରଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି ।
ଅଟୋ, ଟ୍ୟାକ୍ସି ଏବଂ ଅନ୍ୟ ବାହନଗୁଡ଼ିକର ଚାଳକ ମଧ୍ୟ ଅନେକ ସମୟରେ ମୋବାଇଲ ଦେଖି ଗାଡ଼ି ଚଳାଉଥିବାର ଅଭିଯୋଗ ଆସୁଛି । ଏହାକୁ ଦୃଷ୍ଟିରେ ରଖି ସଡ଼କ ସୁରକ୍ଷା ସୁନିଶ୍ଚିତ କରିବାକୁ ପରିବହନ ବିଭାଗ ତୁରନ୍ତ ନୂଆ ନିୟମ ଆଣିବାକୁ ଯାଉଛି ବୋଲି ମନ୍ତ୍ରୀ ପ୍ରତାପ କହିଛନ୍ତି ।