ବହୁ ଚର୍ଚ୍ଚିତ ଦୀପୁ ଓ ଓମ୍ ହତ୍ୟାକାଣ୍ଡ ମାମଲା : ଧଳସାମନ୍ତ ଭ୍ରାତାଙ୍କ ସହ ଅନ୍ୟ ୬ ଅଭିଯୁକ୍ତ ନିର୍ଦ୍ଦୋଷ

Published By : Prameya-News7 Bureau | June 26, 2025 IST

କଟକ ୨୬।୬: ବହୁ ଚର୍ଚ୍ଚିତ ଦୀପୁ ମଲ୍ଲିକ ଏବଂ ଓମ୍ ସ୍ୱାଇଁ ହତ୍ୟା ମାମଲାରୁ ମୁକୁଳି ଗଲେ ଧଳସାମନ୍ତ ବ୍ରଦର୍ସ । କେବଳ ହତ୍ୟା ନୁହେଁ, ଉଭୟ ଦୀପୁ ଏବଂ ଓମ୍‌ଙ୍କୁ ଅପହରଣ କରିଥିବା ଭଳି ଜଘନ୍ୟ କାଣ୍ଡ ଘଟାଇଥିବାର ମଧ୍ୟ ଯେଉଁ ସାଙ୍ଘାତିକ ଅଭିଯୋଗ ଥିଲା ସେସବୁରୁ ମଧ୍ୟ ମୁକୁଳିଗଲେ ଡି-ବ୍ରଦର୍ସ । ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ସମସ୍ତ ୬ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆବଶ୍ୟକୀୟ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଲେ ବୋଲି ରାୟ ଶୁଣାଇଛନ୍ତି କଟକ ଜିଲ୍ଲା ଦୌରା ଜଜ୍ । ତେବେ ବେଆଇନ ଭାବେ ବନ୍ଧୁକ ରଖିବା ନେଇ ଡି-ବ୍ରଦର୍ସଙ୍କ ନାଁରେ ଯେଉଁ ଅଭିଯୋଗ ହୋଇଛି, ସେଥିରେ ଉଭୟ ଧଳସାମନ୍ତ ବ୍ରଦର୍ସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଉଭୟଙ୍କୁ ୭ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ପୋଲିସର ତଥ୍ୟ ଅନୁଯାୟୀ, ୨୦୧୩ ମସିହାରେ ଉଭୟ ଦୀପୁ ମଲ୍ଲିକ ଏବଂ ଓମ୍ ସ୍ବାଇଁଙ୍କୁ ଅପହରଣ କରାଯାଇଥିଲା । ଆଠଗଡ଼ ଥାନା ଖୁଣ୍ଟକଟା ସ୍ଥିତ ନିର୍ମଳ ରାଉତଙ୍କ ଫାର୍ମ ହାଉସରେ ଉଭୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପରେ ମୃତଦେହ ଗୁଡିକୁ ଝାଡ଼ଖଣ୍ଡର ଗୁଆ ଥାନା ଅଞ୍ଚଳରେ ପୋତି ଦିଆଯାଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ହେଲା ୨୦୧୩ ମସିହାରେ ହତ୍ୟାକାଣ୍ଡ ହେଲା, କିନ୍ତୁ ୨୦୧୬ ମସିହାରେ ଏନେଇ ଏତଲା ଦାୟର ହୋଇଥିଲା । ଉକ୍ତ ଅପରାଧକୁ ପ୍ରମାଣିତ କରିବା ଲାଗି ପୋଲିସ ଡିଏନ୍‌ଏ ଟେଷ୍ଟର ସାହାରା ନେଲା ଏବଂ ଘଟଣାସ୍ଥଳରୁ ଜବତ ହୋଇଥିବା ଗୋଟିଏ କଡାକୁ ପ୍ରମାଣ ଆକାରରେ କୋର୍ଟରେ ପେସ୍ କରିଥିଲା । ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ୨୫ଜଣିଆ ସାକ୍ଷୀ ତାଲିକା ମଧ୍ୟ ପ୍ରସ୍ତୁତ କରିଥିଲା ପୋଲିସ । ହେଲେ ମାମଲାର ଶୁଣାଣି ସମୟରେ କୋର୍ଟ ଆବଶ୍ୟକ କରୁଥିବା ତଥ୍ୟ ପ୍ରମାଣ ଆଦି ଉପଲବ୍ଧ କରାଇ ପାରିଲା ନାହିଁ ପୋଲିସ । ୨୫ ଜଣିଆ ସାକ୍ଷୀ ତାଲିକାରୁ ବାଦ୍ ପଡ଼ିଥିଲେ ମୃତ ଓମ୍‌ଙ୍କ ସ୍ତ୍ରୀ । ଏପରି କି ଟିଆଇ ପରେଡରେ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଚିହ୍ନଟ କରିପାରି ନଥିଲେ ଏତଲାକାରୀ ମାନେ । ଏହିଭଳି ଅନେକ ତଦନ୍ତ ଜନିତ ତ୍ରୁଟି କାରଣରୁ ଏହି ଚର୍ଚ୍ଚିତ ମାମଲାର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

You Can Read:

ଆଠଗଡ଼ ବ୍ଲକ୍ ସମ୍ମୁଖରେ ଖଣ୍ଡଯୁଦ୍ଧ ଘଟଣା : ୫୯ ଜଣ ଗିରଫ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.